ଭାରତର ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ସମ୍ମିଳନୀ: ଉପକୂଳବର୍ତୀ ଲୋକେ ସହନଶୀଳ ହେବା ଆବଶ୍ୟକ

ଭୁବନେଶ୍ବର : ଦେଶର ୭୫୦୦ କିମି ସୁଦୀର୍ଘ ଉପକୂଳ, ଦେଶର ସାମାଜିକ, ଅର୍ଥନ‌ୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ବପୂର୍ଣ୍ଣ। ବିଶ୍ବର ୭ଟି ବୃହତ୍ତମ ଉପକୂଳରେ ଦେଶର ପାଖାପାଖି ୨୦% ଜନସଂଖ୍ୟା, ୧୭ ହଜାରରୁ ଅଧିକ ପ୍ରାଣୀ ଓ ଉଦ୍ଭିଦ ବସବାସ କରୁଛନ୍ତି। ସମୁଦ୍ର ଉପକୂଳରେ ଅବସ୍ଥାନ କରୁଥିବା ଲୋକଙ୍କୁ ଅଧିକ ସହନଶୀଳ ହେବାର ଆବଶ୍ୟକତା ରହିଛି। ଜଳବାୟୁ ପରିବର୍ତନ ମୁକାବିଲା ପାଇଁ ଆଇସିଜେଡ୍‌ଏମ୍‌ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗୁଜୁରାଟ ଓ ମହାରାଷ୍ଟ୍ର ପରି ରାଜ୍ୟ ଉପକୂଳ ପରିଚାଳନା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ଉପକୂଳର ଗଞ୍ଜାମ ଓ କେନ୍ଦ୍ରାପଡ଼ାକୁ ପ୍ରତିବର୍ଷ ଲକ୍ଷାଧିକ ଅଲିଭ୍‌ରିଡେ ଆସି ସମୂହ ଅଣ୍ଡାଦାନ କରିବା ଭଲ ଖବର ବୋଲି ଭାରତୀୟ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଦୁଇଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ କରି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି।

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଦେଶର ଉପକୂଳ ଅଞ୍ଚଳରେ ସହନଶୀଳତା ଓ ଦୀର୍ଘସ୍ଥାୟିତ୍ବ ବଢ଼ାଇବା ପାଇଁ ଆଲୋଚନା ପର୍ଯ୍ୟାଲୋଚନା କରାଯିବା ପାଇଁ ଏଭଳି ଏକ ସମ୍ମିଳନୀ ଆୟୋଜନ କରାଯାଇଛି ବୋଲି ମତପ୍ରକାଶ କରିଥିଲେ। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ପାଇଁ ଉପକୂଳ ସାମୁଦ୍ରିକ ସମ୍ବଳର ସ୍ଥାୟୀ ପରିଚାଳନା ଗୁରୁତ୍ବପୂର୍ଣ୍ଣ। କେନ୍ଦ୍ର ସରକାର, ଓଡ଼ିଶା ସରକାର ଓ ବିଶ୍ବବ୍ୟାଙ୍କର ମିଳିତ ସହଯୋଗରେ ଏକ ସମନ୍ବିତ ପରିଚାଳନା ପ୍ରକଳ୍ପ ଓଡ଼ିଶାରେ ପାଇଲଟ୍‌ ଭିତ୍ତିରେ କାର୍ଯ୍ୟକାରୀ କରାଯାଇଛି। ୨୦୧୦ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ୧୯୬ କିମି ପରିବ୍ୟାପ୍ତ ପ୍ରକଳ୍ପ ଓଡ଼ିଶାର ଦୁଇଟି ଉପକୂଳବର୍ତୀ(ପାରାଦୀପରୁ ଧାମରା ଓ ଗୋପାଳପୁରୁ ଚାଲିକା) ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି। ପାଖାପାଖି ୨୯୩.୧୫ କୋଟି ଟଙ୍କା ଏହି ପ୍ରକଳ୍ପରେ ବିନିଯୋଗ କରାଯାଇଛି। ଉପକୂଳବର୍ତୀ ଅଞ୍ଚଳରେ ଜଳବାୟୁ ପରିବର୍ତନ ପ୍ରଭାବକୁ ପ୍ରତିରୋଧ କରିବାରେ ଏହି ପ୍ରକଳ୍ପ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ଉପକୂଳ ଓ ସାମୁଦ୍ରିକ ଜୈବ ବିବିଧତା, ଜଳବାୟୁ ପରିବର୍ତନର ପ୍ରଭାବକୁ ପ୍ରତିରୋଧ ଏବଂ ଉପକୂଳ ପ୍ରଦୂଷଣ ରୋକିବା ଆଦି ବିଷୟବସ୍ତୁ ଉପରେ ଏହି ସମ୍ମିଳନୀରେ ବିଶଦ ଆଲୋଚନା କରାଯାଇଛି। ଏଥିରେ ଦେଶର ୧୩ଟି ଉପକୂଳ ଜିଲ୍ଲାର ବରିଷ୍ଠ ଅଧିକାରୀ ଓ ସାମାଜିକ ଅନୁଷ୍ଠାନ ସାମିଲ ‌ହୋଇଛନ୍ତି। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ୟୁଏନ୍‌ଡିପି ସହାୟତାରେ ଉପକୂଳ ଅଞ୍ଚଳବାସୀଙ୍କ ସହଭାଗିତା ଓ ସହନୀଶୀଳିତା ବଢ଼ାଇବା ଏହି କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ଅଭିମୁଖ୍ୟ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ରିଚା ଶର୍ମା ସ୍ବାଗତ ଭାଷଣ ଦେଇଥିବା ବେଳେ ପିସିସିଏଫ୍‌ ଦେବୀଦତ୍ତ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରତିଯୋଗିତାର ୬ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର