ଏଏସ୍‌ବିଏମ୍ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: ଆତ୍ମବିଶ୍ବାସ ହିଁ ସଫଳତାର ମୂଳ ମନ୍ତ୍ର

ଭୁବନେଶ୍ବର: ଏଏସ୍‌ବିଏମ୍ ବିଶ୍ଵବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇ ଯାଇଅଛି। ଏହି ଉତ୍ସବରେ ବ୍ୟାଙ୍କ ଅଫ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅତନୁ କୁମାର ଦାସ ମୁଖ୍ୟ ଅତିଥି ଥିଲେ। ସେ କହିଲେ ଯେ ଆତ୍ମବିଶ୍ବାସ ହିଁ ସଫଳତାର ମୂଳ ମନ୍ତ୍ର। ଛାତ୍ରଛାତ୍ରୀମାନେ ସବୁବେଳେ ଅତୀତର କ୍ଲାନ୍ତିକୁ ଭୁଲି ଭବିଷ୍ୟତ ପାଇଁ ସଜାଗ ରହିବା ଏବଂ ସ୍ବପ୍ନ ଦେଖିବା ଉଚିତ୍।

ସମ୍ମାନନୀୟ ଅତିଥି ଜିଓଜିତ୍ ଫାଇନାନ୍ସିଆଲ୍ ସର୍ଭିସର ପରିଚାଳନା ନିର୍ଦ୍ଦେଶକ କହିଲେ ଯେ ସାଂପ୍ରତିକ ଅନିଶ୍ଚିତତାରେ ବିଚଳିତ ନ ହୋଇ ଆଗାମୀ କାଲିର ଅସୀମିତ ସୁଯୋଗକୁ ସ୍ବାଗତ କରିବା ଉଚିତ୍। ଏମିତି କରିପାରିଲେ ଭବିଷ୍ୟତର ବୃତ୍ତିଗତ ଜୀବନରେ ସଫଳତା ଅବଶ୍ୟମ୍ଭାବୀ।

ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଓ କୁଳାଧିପତି ପ୍ରଫେସର ବିଶ୍ୱଜିତ୍ ପଟ୍ଟନାୟକ ସତ୍ୟମ୍, ଏନରନ, କିଙ୍ଗଫିସର ଆଦିର ଉଦାହରଣ ଦେଇ କହିଲେ, ବ୍ୟବସାୟ ଏବଂ ବୃତ୍ତିଗତ ଜୀବନରେ ଅସାଧୁତାର ପରିଣାମ ଭୟାବହ ହୋଇଥାଏ। ତେଣୁ ସେ ଛାତ୍ରଛାତ୍ରୀମାନଙ୍କୁ ସାଧୁତା ଅବଲମ୍ବନ ପୂର୍ବକ ଅଧ୍ୟବସାୟୀ ହୋଇ ସମାଜରେ ପରିବର୍ତ୍ତନ ଆଣିବାକୁ ଆହ୍ବାନ ଦେଇଥିଲେ।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କଲ୍ୟାଣ ଶଙ୍କର ରାୟ ବାର୍ଷିକ ବିବରଣୀ ପାଠ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ମୁକ୍ତ ମନ ନେଇ ସହନଶୀଳ ହେବାପାଇଁ ଉପଦେଶ ଦେଇଥିଲେ। କୁଳାଧିପତି ପ୍ରଫେସର ପଟ୍ଟନାୟକ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଏମ୍‌ବିଏ, ବିବିଏ ସମ୍ମାନ ଏବଂ ବି.କମ୍ ସମ୍ମାନ ଉପାଧିପତ୍ର ପ୍ରଦାନ କରିଥିଲେ। ଉପ କୁଳପତି ପ୍ରଫେସର ଫଲ୍ଗୁ ନିରଞ୍ଜନା କୃତୀ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ରାଜେଶ କୁମାର ଦାସ୍, ସନ୍ଦୀପ କର, ଶ୍ରୀପ୍ରିୟା ସାହୁ, ବିନୟ କରନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନନୀୟ ଅତିଥିଙ୍କ ଦ୍ଵାରା ସ୍ଵର୍ଣ୍ଣ ପଦକ ପ୍ରଦାନ କରା ଯାଇଥିଲା।

ସମାବର୍ତ୍ତନ ଉତ୍ସବରେ ବିଶ୍ଵବିଦ୍ୟାଳୟରେ ଛାତ୍ରୀ ଶିବାଙ୍ଗୀ ପଟ୍ଟନାୟକ ଓ ଲିସା ଦାସ ଉପସ୍ଥାପିକା କରିଥିଲେ। ବୃହଦାରନ୍ୟକ ଉପନିଷଦର ଉଦ୍ଧୃତିରୁ ଆରମ୍ଭ ହୋଇଥିବା ସମାବର୍ତ୍ତନ ଉତ୍ସବ ଜାତୀୟ ସଙ୍ଗୀତ ଗାନ ପରେ ସମାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର