ରେଢ଼ାଖୋଲ: ଚାରମାଳ ଥାନା ମହାଲିଙ୍ଗ ଗାଁରେ ସରକାରୀ ଜମି ଦଖଲକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ମାମଲାରେ ଉଭୟ ପକ୍ଷର ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଅକ୍ଷୟ ପ୍ରଧାନ (୩୫), ସଂଜୀତ ପ୍ରଧାନ (୩୨) ଓ ବିଜୟ ପ୍ରଧାନ (୩୫)।

Advertisment

ସୂଚନା ଅନୁସାରେ, ମହାଲିଙ୍ଗ ଗାଁରେ ଥିବା ଗୁଡ଼ି ଘର ନିକଟରେ ଏକ ସରକାରୀ ଜମି ରହିଛି। ସେହି ଜମି ଅକ୍ତିଆରକୁ ନେବା ପାଇଁ ଅକ୍ଷୟ ଓ ସଂଜୀତ ବାଡ଼ ଦେଉଥିଲେ। ଏହା ଜାଣିବା ପରେ ଗ୍ରାମର ବିଜୟ ପ୍ରଧାନଙ୍କ ସମେତ ଅନ୍ୟ ଗ୍ରାମବାସୀ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହୋଇଥିଲା। ଏ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଅକ୍ଷୟଙ୍କ ମା’ ବାସନ୍ତୀ ଚାରମାଳ ଥାନାରେ କରିଥିବା ଅଭିଯୋଗ ଅନୁସରେ, ବିଜୟ ତାଙ୍କୁ ଗାଳିଗୁଲଜ କରିବା ସହିତ ମୁହଁରେ ଏକ ମୁଥ ମାରିଥିଲେ। ଫଳରେ ତାଙ୍କ ଦାନ୍ତରେ ଆଘାତ ଲାଗିବା ସହିତ ରକ୍ତସ୍ରାବ ହୋଇଥିଲା।

ଏପରିକି ବିଜୟ ତାଙ୍କୁ ମାରିଦେବାକୁ ଧମକ ଦେଇଥିବା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ସେପଟେ ସରକାରୀ ଜମି ଜବରଦଖଲକୁ ପ୍ରତିବାଦ କରିବାରୁ ଗ୍ରାମର ମହିଳା ଝୁନୁ ବେହେରା ମଧ୍ୟ ଦୁର୍ବ୍ୟବହାର ଶିକାର ହୋଇଥିବା ସେ ମଧ୍ୟ ଚାରମାଳ ଥାନାରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ତାଙ୍କ ଅଭିଯୋଗରେ ସେ ଦର୍ଶାଇଛନ୍ତି ତାଙ୍କୁ ଅକ୍ଷୟ ଓ ସଂଜୀତ ଉଭୟ ମିଶି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ତାଙ୍କ ପିନ୍ଧିଥିବା ଶାଢ଼ିକୁ ଟଣାଓଟରା କରିଥିଲେ। ଏପରିିକି ତାଙ୍କ ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ଏପରିକି ଉଭୟ ଗୋଷ୍ଠୀର ଦୁଇ ମହିଳା ଆହତ ହୋଇ ଡାକ୍ତରଖାନାରେ ମଧ୍ୟ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ଗୁରୁବାର ରାତିରେ ଉଭୟ ମହିଳାଙ୍କ ଅଭିଯୋଗ ପରେ ଚାରମାଳ ଥାନା ପୁଲିସ ପୃଥକ ପୃଥକ ଭାବରେ ୨ଟି ମାମଲା ରୁଜୁ କରି ଦୁଇ ଗୋଷ୍ଠୀର ୩ଜଣଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି। ୩ ଜଣଙ୍କ ନାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଚାରମାଳ ଥାନା ଅଧିକାରୀ ବସନ୍ତ ଦଳାଇଙ୍କ କହିବା ଅନୁସାରେ ଅକ୍ଷୟ ଓ ସଂଜୀତଙ୍କ ନାମରେ ପୂର୍ବରୁ ମଧ୍ୟ ଥାନାରେ ୫ଟି ଲେଖାଁଏ ମାମଲା ରହିଛି।