ସଂସ୍କୃତି ବିଭାଗର ଏକାଡେମି ପଦବିକୁ ନେଇ ଦ୍ବନ୍ଦ୍ବ ଜାରି

ପୁଣି ଥରେ ବସିପାରେ ଚୟନ କମିଟି ବୈଠକ
ପ୍ରତି ପଦବି ପାଇଁ ଗୋଟିଏ ଲେଖାଏ ନାମ ସୁପାରିସ୍ ହେବ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଚାରିଟି ଏକାଡେମିର ବିଭିନ୍ନ ପଦବି ପୂରଣ ହୋଇପାରୁ ନାହିଁ। ଦୀର୍ଘ ଦିନ ଖାଲି ରହିଲା ପରେ ବି ସରକାରୀ ସ୍ତରରେ ଚାଲିଥିବା ଲମ୍ବା ପ୍ରକ୍ରିୟା ଶେଷ ହୋଇପାରୁ ନାହିଁ। ବିଭିନ୍ନ ପଦବି ପାଇଁ ଚୟନ କମିଟି ନାମ ସୁପାରିସ୍‌ କରିଥିଲେ ବି ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଚୂଡ଼ାନ୍ତ ମୋହର ବାଜିପାରି ନାହିଁ। ଚୟନ କମିଟି ପ୍ରତି ପଦବି ପାଇଁ ଏକାଧିକ ନାମ ସୁପାରିସ୍‌ କରିଥିବାରୁ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଖୁବ୍ ଶୀଘ୍ର ଆଉ ଥରେ ଚୟନ କମିଟି ବୈଠକ ବସିବାର ସମ୍ଭାବନା ରହିଛି।

ସାହିତ୍ୟ ଏକାଡେମିର ତିନି, ସଙ୍ଗୀତ ନାଟକ ଏକାଡେମିର ଦୁଇ, ଲଳିତ କଳା ଏକାଡେମିର ଦୁଇ ଏବଂ ଉର୍ଦ୍ଦୁ ଏକାଡେମିର ଗୋଟିଏ ପଦବି ପାଇଁ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ମୋଟ୍‌ ୮ଟି ପଦବି ପାଇଁ ୨୨୭ ଆବେଦନ ଆସିଥିଲା। କର୍ମକର୍ତ୍ତା ମନୋନୟନ କରିବା ପାଇଁ ଏକ ଚୟନ କମିଟି ଗଠନ କରାଯାଇଥିଲା। ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କମିଟିରେ ସଦସ୍ୟ ଅଛନ୍ତି ଅବସରପ୍ରାପ୍ତ ପ୍ରଶାସକ ଆର୍‌. ଏନ୍. ସେନାପତି, ପ୍ରିୟମ୍ବଦା ମହାନ୍ତି ହେଜମାଦି, ଡ. ରମେଶ ପ୍ରସାଦ ପାଣିଗ୍ରାହୀ ଓ ସଦାଶିବ ପ୍ରଧାନଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ। ଗତ ମାର୍ଚ୍ଚ ୩୦ ଓ ଏପ୍ରିଲ୍‌ ୬ ତାରିଖରେ କମିଟି ବୈଠକ ବସି ଆବେଦନଗୁଡ଼ିକ ଯାଞ୍ଚ୍‌ କରାଯାଇ ୮ଟି ପଦବି ପାଇଁ ନାମ ସୁପାରିସ୍‌ କରାଯାଇଥିଲା। ନିୟମ ଅନୁଯାୟୀ କମିଟିର ସୁପାରିସ୍‌କୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ ଓ ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଚୟନ କମିଟି ବୈଠକ ପରେ ହିଁ ସମସ୍ୟା ସୃଷ୍ଟି ହୋଇଛି। କମିଟି ପ୍ରତି ପଦବି ପାଇଁ ୨/୩ ଜଣ ଲେଖାଏ ଆବେଦନକାରୀଙ୍କ ନାମ ସୁପାରିସ୍‌ କରିଛି। ଏହି ନାମ ଭିତରୁ ମୁଖ୍ୟମନ୍ତ୍ରୀ ଜଣଙ୍କ ନାମରେ ମୋହର ମାରିଥା‌’ନ୍ତେ। କିନ୍ତୁ ଏମିତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇ ନ ଥିବା ଜଣାପଡ଼ିଛି। ପ୍ରତି ପଦବି ପାଇଁ ଗୋଟିଏ ଲେଖାଏ ନାମ ହିଁ ଚୟନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆଉ ଥରେ ପଠାଯିବା ପାଇଁ କୁହାଯାଇଛି। ଫଳରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ସେଇଠି ଅଟକିଯାଇଛି।

ବିଭାଗ ପକ୍ଷରୁ ଆଉ ଥରେ ଚୟନ କମିଟି ବୈଠକ ଡକାଇବା ପାଇଁ ଯୋଜନା ଚାଲିଛି। ତେବେ କରୋନା ପରିପ୍ରେକ୍ଷୀରେ ସିଧାସଳଖ ବୈଠକ ହେବ ନା ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ବୈଠକ ହେବ, ସେ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିନି। ଏହି ବୈଠକରେ ହିଁ ପ୍ରତି ପଦବି ପାଇଁ ଗୋଟିଏ ନାମ ଉପରେ ସହମତି ଅଣାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ। ଏହି ସହମତି ସହଜ ବ୍ୟାପାର ହୋଇ ନ ଥିବାରୁ ବୈଠକ କେତେଦୂର ଫଳପ୍ରଦ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏ ସମ୍ପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ଯୋଗାଯୋଗ କରାଯିବାରୁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇ ନାହିଁ ବୋଲି କହିଥିଲେ। ତେବେ ପ୍ରକ୍ରିୟା ବିଳମ୍ବ ହେବା ନେଇ ସେ କୌଣସି ମତାମତ ଦେଇ ନ ଥିଲେ।

ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ଏକାଡେମିର ଏହିସବୁ ପଦପଦବି ପାଇଁ ଆବେଦନପତ୍ର ଆହ୍ବାନ କରାଯାଇଥିଲା। ପୂର୍ବରୁ ସରକାର ସିଧାସଳଖ ଚୟନ କରୁଥିଲେ। ୨୦୨୦ ଅକ୍ଟୋବର ମାସରେ ଏହିସବୁ ପଦବି ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା। ପ୍ରଥମ ବିଜ୍ଞାପନରେ ବୟସ ସୀମା ସଭାପତି ଓ ଉପସଭାପତି ପାଇଁ ୬୦ରୁ ୮୦ ଥିଲା ବେଳେ ସମ୍ପାଦକ ପଦବି ପାଇଁ ୪୫ରୁ ୬୫ ବର୍ଷ ରହିଥିଲା। ତେବେ ନଭେମ୍ବର ୪ ତାରିଖରେ ଏହାକୁ ସଂଶୋଧନ କରାଯାଇ ସର୍ବନିମ୍ନ ବୟସସୀମାକୁ ଉଠାଇ ଦିଆଯାଇଥିଲା ଓ କେବଳ ସାବାଳକ ହୋଇଥିବା ଦରକାର ବୋଲି କୁହାଯାଇଥିଲା। କେଉଁ ପରିସ୍ଥିତିରେ ସର୍ବନିମ୍ନ ବୟସସୀମା ଧାର୍ଯ୍ୟ କରାଗଲା ଓ ପୁଣି କାହା ଚାପରେ କିଛି ଦିନରେ ତାହାକୁ ସଂଶୋଧନ କରାଗଲା, ତାହାକୁ ନେଇ ବିଭାଗ ସମାଲୋଚନାର ଶିକାର ହୋଇଥିଲା।

ସମ୍ବନ୍ଧିତ ଖବର