ଦଶପଲ୍ଲା: ଗୋଷ୍ଠୀ ଜଙ୍ଗଲ ମଧ୍ୟରୁ ଗଛକଟାକୁ ନେଇ ଦଶପଲ୍ଲା ବ୍ଲକ୍‌ର କଳସାଖମଣ ପଞ୍ଚାୟତ କଣପାଜୁ ଗ୍ରାମରେ ବିବାଦ ଲାଗି ରହିଥିବା ବେଳେ ଆଜି ଏହାକୁ ନେଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ। ପୂର୍ବାହ୍ଣ ପ୍ରାୟ ସାଢେ ୧୧ଟା ସମୟରେ ବନଖଣ୍ଡ ଅଧିକାରୀଙ୍କ ସମେତ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ଓ ବନ ଉନ୍ନୟନ ନିଗମ ଏସ୍‌ଡିଏମ୍ ଶିବାଶିଷ ଦାସ ଗାଁରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସମୟରେ ଗ୍ରାମବାସୀ ବର୍ଷବର୍ଷ ଧରି ରାସ୍ତାପାଇଁ ଦୁର୍ଦ୍ଦଶା ଭୋଗୁଥିବା ନେଇ ବନବିଭାଗ ଉପରେ ବଷିର୍ଥିଲେ। ଶେଷରେ ରାସ୍ତାର ଅବସ୍ଥା ପରଖିବା ପାଇଁ ବନଖଣ୍ଡ ଅଧିକାରୀଙ୍କୁ କହିଥିଲେ। ହେଲେ ଗାଡିରେ ନୁହେଁ, ଆମ ସହିତ ଚାଲିଚାଲି ଯାଇ ରାସ୍ତା ଅବସ୍ଥା ପରଖିବାକୁ ଜିଦ୍‌ ଧରିଥିଲେ।

Advertisment

ଶେଷରେ ବନଖଣ୍ଡ ଅଧିକାରୀଙ୍କ ସମେତ ବନାଞ୍ଚଳ ଅଧିକାରୀ ଏବଂ ଏସ୍‌ଡିଏମ୍ ଲୋକଙ୍କ ସହିତ ମିଶି ତପିଡା ଠାରୁ କଣପାଜୁ ପର୍ଯ୍ୟନ୍ତ ପ୍ରାୟ ୩କିମି ଘାଟି ରାସ୍ତା ଜଙ୍ଗଲ ମଧ୍ୟରେ ଚାଲିଚାଲି ଯାଇ ଫେରିଥିଲେ। ଏହାପରେ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା। ଆସନ୍ତାକାଲିଠାରୁ ପ୍ରଥମେ ମୋରମ୍ ବିଛାଯାଇ ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଆସନ୍ତାବର୍ଷ ଏହାକୁ କଂକ୍ରିଟ୍ କରିବାକୁ କୁହାଯାଇଛି। ଏନେଇ ବନଖଣ୍ଡ ଅଧିକାରୀ ଫୋନ୍ ଗ୍ରହଣ କରି ନ ଥିବା ବେଳେ ବନାଞ୍ଚଳ ଅଧିକାରୀ ଶ୍ରୀ ଦେହୁରୀ କହିଛନ୍ତି ଯେ ଲୋକଙ୍କ ରାସ୍ତା ସମସ୍ୟା ନେଇ ଅଭିଯୋଗ ଥିଲା। ଏହି ରାସ୍ତାକୁ ଦେଖିବା ପାଇଁ କହିବାରୁ ଚାଲିଚାଲି ଯାଇ ରାସ୍ତା ଦେଖି ଫେରିଥିଲୁ। ତେବେ ରାସ୍ତାରେ ମୋରମ୍ ବିଛାଯିବା ପରେ ଜଙ୍ଗଲରେ ପଡ଼ି ରହିଥିବା ବିଭିନ୍ନ କିସମର ୯୮୫ ଖଣ୍ଡ କାଠଗଣ୍ଡି ଛାଡ଼ିବା ପାଇଁ ନିଷ୍ପତ୍ତି ହୋଇଛି।