ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବିଜେପିରେ ବିବାଦ ଥମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। କିଛିଦିନ ଆଗରୁ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ରବିବାର ରାତିରେ ପୁଣି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମର୍ଥକ ତଥା ପୁରୁଣା ବିଜେପି କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ନିର୍ବାଚନ ଆଉ ମାସ କେଇଟା ଥିବାବେଳେ ବିଜେପିର ଏହି ବିବାଦ ଆତ୍ମଘାତୀ ହୋଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

Advertisment

ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ସ୍ବାସ୍ଥ୍ୟଗତ କାରଣରୁ ଲମ୍ବା ସମୟ ଧରି ସମ୍ବଲପୁର‌ରେ ଅନୁପସ୍ଥିତ ଅଛନ୍ତି। ସାଂସଦ ନିତେଶ ଗଙ୍ଗଦେବ ଲମ୍ବା ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସମ୍ବଲପୁରରେ ପଦାର୍ପଣ କରିଥିଲେ। ଏକଦା ସମ୍ବଲପୁର ପୌର ପରିଷଦର ପୂର୍ବତନ ନଗରପାଳ ତଥା ବର୍ତ୍ତମାନର ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲଙ୍କ ରାଜନୈତିକ ଉତ୍‌ଥାନରେ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ପ୍ରମୁଖ ଅବଦାନ ରହିଥିଲା। ମାତ୍ର, ସମୟ ଅତିକ୍ରାନ୍ତ ହେବା ସହିତ ଅନେକ କିଛି ପରିବର୍ତ୍ତନ ହୋଇଯାଇଛି। ଜୟନାରାୟଣଙ୍କ ସହିତ ଆଉ ଗିରୀଶଙ୍କ ସେହିଭଳି ମଧୁର ସଂପର୍କ ନାହିଁ। ସ୍ଥିତି ଏମିତି ହୋଇଛି ଯେ ଜିଲ୍ଲା ବିଜେପିର ଗୋଟିଏ ଗୋଷ୍ଠୀର ନେତୃତ୍ବ ଗିରୀଶ ନେଉଥିବା ବେଳେ ଅନ୍ୟ ଗୋଷ୍ଠୀର ନେତୃତ୍ବ ଜୟନରାୟଣଙ୍କ ଘନିଷ୍ଠ ସମର୍ଥକମାନଙ୍କ ହାତରେ ରହିଛି। ଏପଟେ ଗିରୀଶଙ୍କ ସଂପର୍କ ଧର୍ମେନ୍ଦ୍ରଙ୍କ ସହିତ ବଢ଼ିଛି ଏବଂ ନିକଟରେ ତାଙ୍କୁ ବିଜେପିର ଲୋକସଭା ସଂଯୋଜକ ଦାୟିତ୍ବ ବି ଦିଆଯାଇଛି।

ହସ୍ତଗତ ସୂଚନା ଅନୁସାରେ, ଜୟ ନାରାୟଣ ସମର୍ଥକମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଗିରୀଶଙ୍କ ବିରୋଧରେ ଫେରାଦ ହୋଇଛନ୍ତି। ଗତକାଲି ରାତିରେଦୁଇ ଜଣ ପୂର୍ବତନ କାଉନସିଲର ସରୋଜ ଦଲପତ ଓ ସୁଶାନ୍ତ ପୁରୋହିତଙ୍କ ନେତୃତ୍ବରେ ସମ୍ବଲପୁର ଓ ବୁର୍ଲାର ଅଂଚଳରେ ୪୦/୪୫ ଜଣ ପୁରୁଣା କାର୍ଯ୍ୟକର୍ତ୍ତା ସୁଶାନ୍ତଙ୍କ ହୋଟେଲରେ ଏକାଠି ହେବାସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟି ଗିରୀଶଙ୍କ ବିରୋଧରେ ଦୀର୍ଘ ୨ ଘଣ୍ଟାକାଳ ବିଷୋଦ୍‌ଗାର କରିଥିଲେ। ରାଜ୍ୟ ସାଧାରଣ ସଂପାଦକ ସୀମାଂଚଳ ଖଟାଇ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ପ୍ରମୁଖ ନେତା ସେଠାରେ ଉପସ୍ଥିତ ଥିଲେ। ଧର୍ମେନ୍ଦ୍ର ଧୈର୍ଯ୍ୟର ସହିତ ସେମାନଙ୍କ ସବୁକଥା ଶୁଣିଥି‌ଲେ। ବିବାଦ ଆଉ ଆଗକୁ ଯେମିତି ନବଢ଼ିବ ସେଦିଗରେ ସେ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଆଶ୍ବାସନା ଦେଇଥିବା ଜଣାପଡ଼ିଛି।