ଦ୍ବନ୍ଦ୍ବରେ ମାଟ୍ରିକ୍ ପରୀକ୍ଷାର୍ଥୀ: କେବେ ସୂଚନା ଦେବ ବୋର୍ଡ?
ସବ୍ଜେକ୍ଟିଭ୍ ବିଭାଗରେ ପ୍ରଶ୍ନ କେତେ ନମ୍ବର ବିଶିଷ୍ଟ ହେବ?
କେଉଁ ଅଧ୍ୟାୟରୁ କେତେ ନମ୍ବର ପ୍ରଶ୍ନ ଆସିବ?
Sambad is now on WhatsApp
Join and get latest news updates delivered to you via WhatsApp
କଟକ : ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହେଲା। ମାଟ୍ରିକ୍ ପରୀକ୍ଷା ତାରିଖ ବି ଚୂଡ଼ାନ୍ତ ହେଲା। ପରୀକ୍ଷାର୍ଥୀଙ୍କ ପାଇଁ ଫର୍ମ ପୂରଣ ସୂଚୀ ଘୋଷଣା ସରିଲାଣି। କିନ୍ତୁ ମାଟ୍ରିକ୍ ପରୀକ୍ଷାର ନମ୍ବର ବଣ୍ଟନ(ମାର୍କ ଡିଷ୍ଟ୍ରିବ୍ୟୁସନ୍) ଯାହାକି ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରଛାତ୍ରୀ ଜାଣିବା କଥା, ତାହା ଏଯାଏ ହୋଇନାହିଁ। ପ୍ରତି ବିଷୟରେ ୮୦ ନମ୍ବର ପରୀକ୍ଷା ହେବ, ଯେଉଁଥିରେ ୫୦ ନମ୍ବର ଅବ୍ଜେକ୍ଟିଭ୍ ପ୍ରଶ୍ନ ଓ ଅବଶିଷ୍ଟ ୩୦ ନମ୍ବର ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ। ଏତିକି କହି ଗଣଶିକ୍ଷା ବିଭାଗ ତଥା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଚୁପ୍ ହୋଇ ବସିଛନ୍ତି। ମାଟ୍ରିକ୍ ପରୀକ୍ଷା ପାଇଁ ଏହି ତଥ୍ୟ ଯଥେଷ୍ଟ ନୁହେଁ। ପ୍ରତି ବିଷୟର କେଉଁ ଅଧ୍ୟାୟରୁ କେତେ ନମ୍ବର ପଡ଼ିବ, ତାହା ଏଯାଏ ସ୍ପଷ୍ଟ ହୋଇନଥିବାରୁ ଏହାକୁ ନେଇ ପରୀକ୍ଷାର୍ଥୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ଦ୍ବନ୍ଦ୍ବରେ ରହିଛନ୍ତି।
ମେ ୩ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। କରୋନା ପାଇଁ ଚଳିତବର୍ଷ ପ୍ରତି ବିଷୟରେ ୧୦୦ ନମ୍ବର ବଦଳରେ ୮୦ନମ୍ବର ପରୀକ୍ଷା ହେବ। କିନ୍ତୁ ୧୦୦ ନମ୍ବର ହିସାବ ହେବ। ଜଣେ ପରୀକ୍ଷାର୍ଥୀ ୮୦ ନମ୍ବରରୁ ପାଇଥିବା ନମ୍ବରର ପ୍ରତିଶତକୁ ହିସାବ କରି ଅବଶିଷ୍ଟ ୨୦ ନମ୍ବରରୁ ପରୀକ୍ଷାର୍ଥୀମାନେ ନମ୍ବର ପାଇବେ। ଗଣଶିକ୍ଷା ମନ୍ତ୍ରୀଙ୍କ ଏହି କଥାକୁ ସମସ୍ତେ ବୁଝିଛନ୍ତି। କିନ୍ତୁ ମାଟ୍ରିକ୍ ପରୀକ୍ଷାର ପ୍ରସ୍ତୁତି ପାଇଁ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ କଥା ରହିଛି, ଯାହା ବୋର୍ଡ କର୍ତ୍ତୃପକ୍ଷ ଏଯାଏ ସ୍ପଷ୍ଟ କରି ପାରିନାହାନ୍ତି। ପରୀକ୍ଷାରେ ୫୦ ନମ୍ବର ଅବ୍ଜେକ୍ଟିଭ୍(୧ ନମ୍ବର ବିଶିଷ୍ଟ) ପ୍ରଶ୍ନ ଆସିବ, ଏହାର ଉତ୍ତରକୁ ପରୀକ୍ଷାର୍ଥୀମାନେ ଓଏମ୍ଆର୍ ଫର୍ଦ୍ଦରେ ପୂରଣ କରିବେ। ଅବଶିଷ୍ଟ ୩୦ନମ୍ବର ସବ୍ଜେକ୍ଟିଭ୍ ପ୍ରଶ୍ନ ଆସିବ। କିନ୍ତୁ ସବ୍ଜେକ୍ଟିଭ୍ରେ ୫ନମ୍ବର, ୩ନମ୍ବର ଅଥବା ୨ନମ୍ବର ବିଶିଷ୍ଟ ପ୍ରଶ୍ନ ଆସିବ, ସେ ବିଷୟରେ ସୂଚନା ନାହିଁ। ସେହିପରି ପ୍ରତି ବିଷୟର କେଉଁ ଅଧ୍ୟାୟରୁ କେତେ ନମ୍ବର ଆସିବ ସେ ବିଷୟରେ ମଧ୍ୟ ବୋର୍ଡ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ।
ପ୍ରଥମ ଭାଷା ଓଡ଼ିଆରେ ପ୍ରବନ୍ଧ, ପତ୍ରଲିଖନ, ଅଜଣା ଅନୁଚ୍ଛେଦ, ଦୀର୍ଘ ଉତ୍ତରମୂଳକ ଆଦି ସବୁ ରହିଛି ନା କାହାକୁ ବାଦ୍ ଦିଆଯାଇଛି ତାହା ମଧ୍ୟ ସନ୍ଦେହଘେରରେ। ସେହିପରି ସଂସ୍କୃତରେ ଅନୁବାଦ ରହିଛି କି ନାହିଁ, ଯଦି ରହିଛି ତାର ଅର୍(କିମ୍ବା)ରେ କ’ଣ ରହିଛି। ଗଣିତରେ ଯେଉଁ ୩୦ନମ୍ବର ସବ୍ଜେକ୍ଟିଭ୍ ପ୍ରଶ୍ନ ଆସିବ ପ୍ରତି ପ୍ରଶ୍ନର କେତେ ନମ୍ବର ବିଶିଷ୍ଟ ହେବ? ଜ୍ୟାମିତିରେ ଉପପାଦ୍ୟ, ରିଡର, ତ୍ରିକୋଣମିତି, ଅଙ୍କନ ଏସବୁରୁ ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନ ଆସିବ ନା କାହାକୁ କାହାକୁ ବାଦ୍ ଦିଆଯାଇଛି, ଯଦି ବାଦ୍ ଦିଆଯାଇଛି ତେବେ ପିଲାମାନେ ତାହାକୁ ପଢ଼ିବେ କାହିଁକି ? ବିଜ୍ଞାନ ଓ ସାମାଜିକ ବିଜ୍ଞାନ ପ୍ରସଙ୍ଗ ଆହୁରି ଦ୍ବନ୍ଦ୍ବରେ ରହିଛି। ଜାନୁଆରି ୮ରୁ ସ୍କୁଲ ଖୋଲିଲେ, ଶିକ୍ଷକମାନେ ପାଠ ପଢ଼ାଇବା ସମୟରେ ପିଲାମାନଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ସମର୍ଥ ହେବେ ତ? ଏସଂକ୍ରାନ୍ତରେ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମାର୍କ ଡିଷ୍ଟ୍ରିବ୍ୟୁସନ ବିଷୟରେ ଖୁବ୍ଶୀଘ୍ର ସୂଚନା ଦିଆଯିବ।