କଟକ : ବି.ଏସ୍ସି. (ହର୍ଟିକଲଚର) ଡିଗ୍ରିକୁ ଫରେଷ୍ଟ ରେଞ୍ଜର ଓ ଆସିଷ୍ଟାଣ୍ଟ କଂଜରଭେଟର ଅଫ୍ ଫରେଷ୍ଟ (ଏସିଏଫ) ପଦବି ପାଇଁ ଶିକ୍ଷାଗତ ଯୋଗ୍ୟତା ଭାବେ ଗ୍ରହଣ କରିବା ପ୍ରସଂଗକୁ ନେଇ ଦାୟର ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗ ନେଇ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜୁଲାଇ ୩ରେ ପ୍ରଦାନ କରାଯାଇଥିବା ଚିଠିରେ ରହିଥିବା ତଥ୍ୟରେ ଅସଂଗତି ରହିଛି ବୋଲି ହାଇକୋର୍ଟ ମତ ଦେବା ସହିତ ଦୁଇ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏଥି ସହିତ ଫରେଷ୍ଟ ରେଞ୍ଜର ଓ ଏସିଏଫ ପଦ ପୂରଣ ପାଇଁ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଆବେଦନକାରୀ ଦରଖାସ୍ତର ହାର୍ଡ କପି ଓ ଆବଶ୍ୟକ ନଥିପତ୍ର ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ନିକଟରେ ଜୁଲାଇ ୨୮ରେ ଦାଖଲ କରିବେ। ଯଦି ନିୟମ ଅନୁସାରେ ଆବେଦନକାରୀଙ୍କ ଦରଖାସ୍ତ ଗ୍ରହଣୀୟ ହୁଏ ତେବେ ତାଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯିବ। ନିଯୁକ୍ତି ପ୍ରକ୍ରିୟାରେ ଆବେଦନକାରୀଙ୍କ ଅଂଶଗ୍ରହଣ ପ୍ରସଂଗ ବିଚାରାଧୀନ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୨୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ.କେ. ମେହେରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଆଜି ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଏଗ୍ରିକଲଚର ସ୍ନାତକ ଡ୍ରିଗ୍ରିର ସଂପର୍କିତ ଡିଗ୍ରି ଭାବେ ହର୍ଟିକଲଚରକୁ ସରକାର ଗ୍ରହଣ କରିଛନ୍ତି। କିନ୍ତୁ ଏହି ଦୁଇ ଡିଗ୍ରି ସମାନ ବୋଲି କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ନାହିଁ। ଏଭଳି ସ୍ଥିତିରେ ବି.ଏସସି. (ହର୍ଟିକଲଚର) ଡିଗ୍ରି ହାସଲ କରିଥିବା ଆବେଦନକାରୀଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଅନୁମତି ଦେବାରେ ସମସ୍ୟା ରହିଛି ବୋଲି ଓପିଏସ୍ସି ତରଫରୁ ଦର୍ଶାଯାଇଥିଲା। ଏହାପରେ ହାଇକୋର୍ଟ ମାମଲାରେ ଜବାବ ତଲବ କରିବା ସହିତ ଆବେଦନକାରୀଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଅନୁମତି ଦେବାକୁ କହିଛନ୍ତି।