ଭୁବନେଶ୍ୱର: ୨୦୧୯ ନିର୍ବାଚନ ପରବର୍ତ୍ତୀ ପରିସ୍ଥିତିରେ ବିଜେଡି-ବିଜେପି ବା କେନ୍ଦ୍ର-ରାଜ୍ୟ ସମୀକରଣରେ ହଠାତ୍ ଏକ ବଡ଼ ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି। ମମିତା ପ୍ରସଙ୍ଗକୁ ଆୟୁଧ କରି ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛି। ବିଜେଡି ବି ପଛରେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁ ନ ନେଇ ବା ତାଙ୍କୁ ଅସନ୍ତୁଷ୍ଟ ନ କରି ଦଳ କେନ୍ଦ୍ରକୁ ଶାଣିତ ଆକ୍ରମଣ କରୁଛି। ଏବେ ପ୍ରଶ୍ନ ଉଠୁଛି, ପରିବର୍ତ୍ତିତ ରାଜନୀତି ପାଣିପାଗ ପରିପ୍ରେକ୍ଷୀରେ ଆସନ୍ତା ୨୯ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଶୀତ ଅଧିବେଶନରେ ବିଜେଡିର ସଂସଦୀୟ ଆଭିମୁଖ୍ୟ କଣ ହେବ? ବିରୋଧ କେବଳ ରାଜ୍ୟ ଭିତରେ ସୀମିତ ରହିବ? ଯଦି ବିରୋଧ କରିବ, ତେବେ କେଉଁ କେଉଁ ପ୍ରସଙ୍ଗ ଉଠାଇବ ବିଜେଡି?

Advertisment

ଗତ ଅଢେଇ ବର୍ଷ ଧରି ବିଜେଡି-ବିଜେପି ନେତାମାନେ ପରସ୍ପର ବିରୋଧରେ ମପାଚୁପା ମନ୍ତବ୍ୟ ଦେଉଥିଲେ। ସେମାନଙ୍କ ଆଚରଣରେ ବି ସଂଯମ ଏବଂ ଅଦୃଶ୍ୟ ବୁଝାମଣାର ଛବି ଜଳ ଜଳ ହୋଇ ଦିଶୁଥିଲା। ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ବାଦ୍ କେନ୍ଦ୍ରୀୟ ନେତାମାନେ ରାଜ୍ୟ ବିରୋଧରେ ସେମିତି କିଛି ଅସନ୍ତୋଷ ପ୍ରକାଶ କରିନାହାନ୍ତି କିମ୍ବା ପ୍ରତିକୂଳ ମନ୍ତବ୍ୟ ଦେଇନାହାନ୍ତି। ବରଂ ସବୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ସମର୍ଥନ ମିଳିଛି। ଅନ୍ୟପଟରେ ବିବାଦୀୟ ଚାଷୀ ବିଲ ଅନୁମୋଦନ ସମୟରେ ପରାମର୍ଶମୂଳକ ଆଭିମୁଖ୍ୟ ଗ୍ରହଣ କରିବା ସହିତ ବିଜେଡି ମଧ୍ୟ କେନ୍ଦ୍ର ସରକାରଙ୍କୁ ଆଖିବୁଜା ସମର୍ଥନ ଦେଇଆସିଛି। ସଂପ୍ରତି କିନ୍ତୁ ଉଭୟ ଦଳ ମୁଖରା ହେବା ପଛରେ କାରଣ କେବଳ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନା ସମୀକରଣରେ କିଛି ପରିବର୍ତନ? ରାଜନୈତିକ ମହଲରେ ଏହା ଏବେ ଆଲୋଚନାର ବିଷୟ ହୋଇଛି।

ତେବେ ଯେଉଁ ମୁଖ୍ୟ କଥାଟି ଉପରେ ବେଶି ଚର୍ଚ୍ଚା ହେଉଛି, ତାହା ହେଲା-ଉଭୟ ଚିଟଫଣ୍ଡ ଓ ବ୍ଲାକରୋଜ ମାମଲାରେ ସିବିଆଇର ଧୀର ଗତି ଏବଂ ରାଜ୍ୟ ବିଜେପିର ନରମ ଆଭିମୁଖ୍ୟ। ଏଥିପାଇଁ ଅନେକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେଡି ଲିଙ୍କ୍ ବା ରାଜ୍ୟ ସରକାରଙ୍କ ସହିତ ଭାବ ଦୋସ୍ତିକୁ ଦାୟୀ କରୁଥିଲେ। କେବଳ ସେତିକି ନୁହେଁ, ଗତ କିଛି ଦିନ ହେଲା ଆଉ ଗୋଟିଏ ଘଟଣା ବି ଦେଖିବାକୁ ମିଳୁଥିଲା ଯେ ସବୁ କେନ୍ଦ୍ରୀୟ ଯୋଜନାର ସମୀକ୍ଷା ବେଳେ ରାଜ୍ୟ ସରକାର ଧର୍ମେନ୍ଦ୍ରଙ୍କୁ ସାଙ୍ଗରେ ରଖୁଥିଲେ। ଏଣୁ ଧର୍ମେନ୍ଦ୍ର-ବିଜେଡି ଭିତରେ ଗୋଟିଏ ସଂପର୍କ ନିବିଡ, ଏକଥା ସହଜରେ ବୁଝାପଡୁଥିଲା। ରାଜ୍ୟ ବିଜେପି ଯେଉଁ ସବୁ ପ୍ରସଙ୍ଗ ଇତିମଧ୍ୟରେ ଉଠାଇଛି, ସେସବୁ କେବଳ ବିରୋଧ କରିବା ଖାତିରରେ ଥିଲା। ହେଲେ ସରକାରକୁ ବିପଦକୁ ଠେଲିଦେବା ସ୍ଥିତିକୁ ବିଜେପି ନେଇପାରିନାହିଁ କିମ୍ବା ନେବାକୁ ଉଦ୍ୟମ ବି କରିନାହିଁ। ଏସବୁ ଭିତରେ ମମିତା ପ୍ରସଙ୍ଗଟି ଆସିଛି। ଏହି ପ୍ରସଙ୍ଗରେ ବିଜେପି ଯେଭଳି ମାତ୍ରାଧିକ ସକ୍ରିୟ ହୋଇପଡ଼ିଛି ତାହାକୁ ଆଉ ହାଲୁକା ଭାବେ ଗ୍ରହଣ କରିହେବ ନାହିଁ।

ଏମିତି କଣ ଅଙ୍କ ବିଗିଡିଗଲା ଯେ ନିଜେ କେନ୍ଦ୍ରମନ୍ତ୍ରୀ ଗତ ସପ୍ତାହ ଓଡ଼ିଶା ଆସି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗର୍ଜନ କଲେ? କେନ୍ଦ୍ରରୁ ସେଭଳି କିଛି ସଙ୍କେତ ଆସିଲା ନା ଧର୍ମେନ୍ଦ୍ରଙ୍କ ସହିତ ବିଜେଡି ଗଣିତରେ ପରିବର୍ତ୍ତନ ହୋଇଛି? ଗୋଟିଏ ମହଲର ମତ ହେଉଛି ଯେ ଓଡ଼ିଶା ପ୍ରତି କେନ୍ଦ୍ରର ଆଭିମୁଖ୍ୟରେ ବଡ଼ ପରିବର୍ତ୍ତନ ଲକ୍ଷ୍ୟ କରାଯାଉନାହିଁ। ସେମିତି ହୋଇଥିଲେ କେନ୍ଦ୍ର ପାଖରେ ଦୁଇଟି ବଡ଼ ଅସ୍ତ୍ର ରହିଛି। ଖଣି ପ୍ରସଙ୍ଗରେ ଶାହ କମିସନଙ୍କ ରିପୋର୍ଟର ସୁପାରିସ ଏବଂ ଅଧାପନ୍ତରିଆ ଅବସ୍ଥାରେ ଥିବା ଚିଟ୍‌ଫଣ୍ଡ ତଦନ୍ତ। ଏ ଦୁଇଟି ଘଟଣାରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇନାହାନ୍ତି ଏବଂ ନେବାର ସମ୍ଭାବନା ମଧ୍ୟ କ୍ଷୀଣ। ବରଂ ବିଜେଡିର ଧର୍ମେନ୍ଦ୍ରଙ୍କ ପ୍ରତି ଥିବା ଆଚରଣରେ ପରିବର୍ତ୍ତନ ହୋଇଛି। ସମ୍ଭବତଃ ମୋଦୀ ମନ୍ତ୍ରିମଣ୍ଡଳ ନବକଳେବର ପରେ କେନ୍ଦ୍ରରେ ଅତ୍ୟନ୍ତ ପ୍ରଭାବୀ ଥିବା ଆଉ କୌଣସି ନେତାଙ୍କ ସହିତ ବିଜେଡିର ଭାବଦୋସ୍ତି ବଢ଼ିଛି କିମ୍ବା ସଂପୃକ୍ତ ନେତାଙ୍କ ସୌଜନ୍ୟରୁ ଅଭୟ ଆଶୀର୍ବାଦ ମିଳିଛି। ଏହି କାରଣରୁ ଧର୍ମେନ୍ଦ୍ରଙ୍କ ପ୍ରାଧାନ୍ୟ ଅଥବା ପତିଆରା ରାଜ୍ୟ ରାଜନୀତିରେ ଆଉ ପୂର୍ବଭଳି ନାହିଁ।

ଏ କ୍ଷେତ୍ରରେ ଆଉ ଗୋଟିଏ ଉଦାହରଣ ମଧ୍ୟ ନିଆଯାଇପାରେ। ତାହା ହେଲା, ଧର୍ମେନ୍ଦ୍ରଙ୍କୁ ବିଜେଡି ଏବେ ବାରମ୍ବାର ନୀଚା ଦେଖାଇବାକୁ ଉଦ୍ୟମ କରୁଛି। ମମିତା ପ୍ରସଙ୍ଗରେ ଯେବେ ଧର୍ମେନ୍ଦ୍ର ସଭାମଞ୍ଚରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କଲେ, ଅହଂକାରୀ ବୋଲି କହିଲେ; ସେବେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହାର ତୁରନ୍ତ ଜବାବ ଦେଲେ ଟ୍ବିଟରରେ। ପରୋକ୍ଷରେ ବିଜେଡି ଗୋଟିଏ ସଙ୍କେତ ଦେଲା ଯେ ଧର୍ମେନ୍ଦ୍ର ଏଯାଏ ମୁଖ୍ୟମନ୍ତ୍ରୀଙ୍କ ସମାସ୍କନ୍ଧ ହୋଇନାହାନ୍ତି। ପୂର୍ବରୁ ମହିଳା ସଂରକ୍ଷଣ କ୍ଷେତ୍ରରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଏମିତି ମୁକାବିଲା କରିଥିଲା ବିଜେଡି। ବରଂ କେନ୍ଦ୍ରରେ ‘ଉଜ୍ଜଳା ମଣିଷ’ ବୋଲି ଯେବେ ଧର୍ମେନ୍ଦ୍ରଙ୍କୁ କୁହାଯାଉଛି, ଅମିତାଭ ବଚ୍ଚନଙ୍କ ‘କୌନ୍ ବନେଗା କରୋଡପତି’ କାର୍ଯ୍ୟକ୍ରମରେ ଏହା ପ୍ରଶ୍ନ ଭାବେ ସ୍ଥାନ ପାଇଲାଣି, ଠିକ୍ ସେତିକି ବେଳେ ଓଡ଼ିଶାରେ ବିଜେଡି ଉଜ୍ଜଳା କେଳେଙ୍କାରୀ ସଂପର୍କରେ ସିଏଜି ରିପୋର୍ଟରେ ଥିବା ତଥ୍ୟ ଠାରି ରାସ୍ତାରେ ଆନ୍ଦୋଳନ ପାଇଁ ଓହ୍ଲାଇଛି। ଏଲପିଜି ଦର ହ୍ରାସ ଆଳରେ ବିଜେଡି ଇତିମଧ୍ୟର ଧର୍ମେନ୍ଦ୍ରଙ୍କ ଅନେକ ସଫଳତା ଉପରେ ପ୍ରଶ୍ନ ଉଠାଇ ସାରିଲାଣି।

ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜେଡି କେଉଁଠାରେ ବି ପ୍ରଧାନମନ୍ତ୍ରୀଙ୍କ ନାମ ନେଉ ନାହିଁ କିମ୍ବା ତାଙ୍କୁ ସିଧାସଳଖ ସମାଲୋଚନା କରୁନାହିଁ। ଅତଏବ ବୁଝିବାକୁ ହେବ, ଧର୍ମେନ୍ଦ୍ରଙ୍କୁ ଛାଡି ବିଜେଡି ଅନ୍ୟ ସୂତ୍ରରେ କେନ୍ଦ୍ରୀୟ ସହିତ ସଂପର୍କ ମଜବୁତ କରିସାରିଥିବା ଆଶଙ୍କା ଆଦୌ ଅମୂଳକ ନୁହେଁ। ତେବେ ଏହି ରହସ୍ୟ ଏଯାଏ ଉନ୍ମୋଚିତ ହୋଇନାହିଁ। ଏହି କାରଣରୁ ସଂସଦରେ ବିଜେଡି ସେଭଳି କିଛି କଠୋର ଭୂମିକା ଗ୍ରହଣ କରିବ ବା ସିଧାସଳଖ କେନ୍ଦ୍ର ସରକାରଙ୍କୁ ଅକଳରେ ପକାଇବା ପାଇଁ କୌଣସି ପନ୍ଥା ବାଛିନେବ, ଏକଥା ଭାବିବା ଭୁଲ୍ ବୋଲି ଏହି ମହଲର ମତ।