ସୀମା ବିବାଦ ଓ ଧାନ ସଂଗ୍ରହ ନେଇ ହଟ୍ଟଗୋଳ : ଗୃହ ୫ଥର ମୁଲତବୀ

ଚାଷୀଙ୍କୁ ଦଲାଲ କହିଥିବା ଯୋଗାଣମନ୍ତ୍ରୀ କ୍ଷମା ମାଗନ୍ତୁ: ବିରୋଧୀ
ସର୍ବଦଳୀୟ ବୈଠକ ଡାକିଲେ ଉପବାଚସ୍ପତି

ଭୁବନେଶ୍ବର : ଚାଷୀ ଧାନ ବିକ୍ରି କରି ନପାରି ଚିନ୍ତାରେ ଆତ୍ମହତ୍ୟା କରିବାକୁ ବସିଲାଣି। ପ୍ରାୟ ୨୫ ହଜାର ଚାଷୀଙ୍କର ଟୋକନ୍‌ ଅବଧି ସରିଯାଇଛି। ଅବଧି ସରିଯାଇଥିବା ଟୋକନ୍‌ର ବୈଧତା ଆଉ ବୃଦ୍ଧି କରାଯିବନାହିଁ ବୋଲି ମନ୍ତ୍ରୀ ଗୃହରେ ରୋକଠୋକ୍‌ ମନାକରିଦେଲେ। ଏହା କିପରି ହେବ? ଏତେ ସଂଖ୍ୟକ ଚାଷୀମାନଙ୍କ ଧାନ ନ କିଣିଲେ ସେମାନେ କରିବେ କଣ? ଚାଷୀଙ୍କର ସବୁ ଧାନ କିଣିବା ପାଇଁ ସରକାର ବାଧ୍ୟ। ଏ ପ୍ରତିଶ୍ରୁତି ଗୃହରେ ମନ୍ତ୍ରୀ ଦିଅନ୍ତୁ। ସେହିପରି କୋଟିଆ ଓ ସୀମା ବିବାଦ ଯେପରି ସ୍ଥିତିକୁ ଆସିଲାଣି ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗୋଟିଏ ଟିମ୍‌ ସେ ଅଞ୍ଚଳ ଗସ୍ତ କରୁ। ସେଠାକାର ଲୋକମାନଙ୍କ ସହିତ ଆଲୋଚନା କଲେ ସ୍ଥିତିରେ ପରିବର୍ତ୍ତନ ଆସିବ।

ଆଜି ବିଧାନସଭା ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇବା ପରେ ଗୃହ ଅଶାନ୍ତ ହୋଇଯାଇଥିଲା। ବିଶେଷକରି ଚାଷୀ ପ୍ରସଙ୍ଗରେ ସରକାରଙ୍କଠାରୁ ନିର୍ଭର ପ୍ରତିଶ୍ରୁତି ଦାବିରେ ବିରୋଧୀ ଅଡ଼ି ବସିଥିଲେ।

ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ରଜନୀକାନ୍ତ ସିଂ ଯେତେ ବୁଝାଇଥିଲେ ବି ବିରୋଧୀ ସଦସ୍ୟମାନେ ମାନି ନଥିଲେ। ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିବା ସହିତ ବାଚସ୍ପତିଙ୍କ ପୋଡିୟମ୍‌ ବାଡ଼େଇଥିଲେ। ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଶ୍ରୀ ସିଂ ଗୃହକୁ ୫ ଥର ମୁଲତବୀ କରିବା ସହିତ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକର ନିଷ୍ପତ୍ତି ସମ୍ପର୍କରେ ବାଚସ୍ପତିଙ୍କୁ ଅବଗତ କରାଯିବ। ବିରୋଧୀଙ୍କ ଦାବି ନେଇ ବାଚସ୍ପତି ହିଁ ନିଷ୍ପତ୍ତି ନେବେ ବୋଲି ଶ୍ରୀ ସିଂ ଘୋଷଣା କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ଆନ୍ଧ୍ର ସରକାର ଯେପରି କୋଟିଆର ଲୋକମାନଙ୍କୁ ପ୍ରଭାବିତ କରି ରଖିଛନ୍ତି ସେମାନଙ୍କୁ ବୁଝାଇବାକୁ ହେଲେ ଗୋଟିଏ ରାଜନୈତିକ ଦଳ ସେପରି ପ୍ରଭାବ ପକାଇପାରିବ ନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗୋଟିଏ ଟିମ୍‌ ତୁରନ୍ତ ସେଠାକୁ ଯିବା ଦରକାର। ତାହେଲେ ଯାଇ ସ୍ଥିତିରେ କିଛି ସୁଧାର ଆସିପାରିବ। ଆନ୍ଧ୍ର ସରକାର ସେ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ବହୁ ଦିନରୁ ବିଜ୍ଞପ୍ତି କଲେ। ଅଥଚ କୋରାପୁଟ ଜିଲ୍ଲାପାଳ ଜାଣିପାରିଲେନି? ୨୦୦୬ ମସିହାରେ ସୁପ୍ରିମ କୋର୍ଟ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ରାୟ ଦେଲେ। ବୋଧହୁଏ ତାପରଠାରୁ ମୁଖ୍ୟମନ୍ତ୍ରୀ ନିଦରେ ଶୋଇପଡ଼ିଲେ। ଅଦାଲତ ଅବମାନନା ମାମଲାରେ ଜଣେ ଅଧିକାରୀକୁ ତାର ଭୁଲ ପାଇଁ ଦଣ୍ଡ ଦିଆଯିବ ନଚେତ୍‌ ସମ୍ପୃକ୍ତ ଅଧିକାରୀ କ୍ଷମା ମାଗିଲେ ତାକୁ ଗ୍ରହଣ କରାଯିବ। କିନ୍ତୁ ଏଥିରେ ଓଡ଼ିଶା ଜମି ଫେରସ୍ତ ପାଇବନି କି ଆନ୍ଧ୍ର କୋଟିଆରେ କରୁଥିବା ନିର୍ବାଚନକୁ କୋର୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇପାରିବେନି।

ଶ୍ରୀ ମିଶ୍ର ଆହୁରି କହିଥିଲେ, ଗୁଇନ୍ଦା କଣ ମୁଖ୍ୟମନ୍ତ୍ରୀଙ୍କୁ ନିୟମିତ ବ୍ୟବଧାନ କିମ୍ବା ଆବଶ୍ୟକ ସ୍ଥଳେ ପ୍ରତ୍ୟେକ ଦିନ ଖବର ଦେଉନାହିଁ କି? ଏହା ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗ ହେଲାଣି ଗତକାଲି ମୁଲତବୀ ଆଲୋଚନାର ଉତ୍ତର ରାଜସ୍ବ ମନ୍ତ୍ରୀ ନ ଦେଇ ମୁଖ୍ୟମନ୍ତ୍ରୀ ଦେଇଥିଲେ ଭଲ ହୋଇଥାନ୍ତା। ଛତିଶଗଡ଼ ସହ ମହାନଦୀ ଜଳବିବାଦ ଘଟଣାରେ ସର୍ବଦଳୀୟ ବୈଠକ ଡାକିବାକୁ ଆମେ କହିଥିଲୁ। ମୁଖ୍ୟମନ୍ତ୍ରୀ କହିଲେ ସେ ଏକା ଯଥେଷ୍ଟ। କଣ ହେଲା ବିବାଦ ସମାଧାନ ହୋଇଗଲା? ସୀମା ବିବାଦ ଯେପରି ସ୍ତରକୁ ଗଲାଣି ତୁରନ୍ତ ମୁଖ୍ୟମନ୍ତ୍ରୀ ଗୋଟିଏ ସର୍ବଦଳୀୟ ବୈଠକ ଡାକନ୍ତୁ ଓ ସୀମାନ୍ତ ଅଞ୍ଚଳ ଗସ୍ତ କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ।

ସବୁ ଚାଷୀଙ୍କର ଧାନକୁ କିଣିବା ପାଇଁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଶ୍ରୀ ଦାବି କରିଥିଲେ। ପରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି ଚାଷୀ ସମସ୍ୟା ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଦାବି କରିଥିଲେ। ଉପବାଚସ୍ପତି ଗୃହ କାର୍ଯ୍ୟ ଜାରି ରଖିବାରୁ କଂଗ୍ରେସ ସଦସ୍ୟାମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି ଦେଇଥିଲେ। ‘ଚାଷୀ ସମସ୍ୟା ଆମର ଦାବି, କୋଟିଆ ସୁରକ୍ଷା ଆମର ଦାବି’ ନେଇ ସ୍ଲୋଗାନ ଦେବା ସହ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ୍‌ ବାଡେ଼ଇଥିଲେ। ରାଜ୍ୟର ଆଇନ ଶୃଙ୍ଖଳା ନେଇ ମୁଲତବୀ ଆଲୋଚନା ଅଛି ଆପଣମାନେ ନିଜ ନିଜ ଆସନକୁ ଫେରିଯାଆନ୍ତୁ ବୋଲି ଉପବାଚସ୍ପତି ଯେତେ କହିଲେ ବି କେହି ଶୁଣିନଥିଲେ।

ଚାଷୀ ସମସ୍ୟା ନେଇ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରୁଥିବା ଦେଖି ନିଜ ନିଜ ଆସନରେ ଚୁପ ବସିଥିବା ବିଜେପି ସଦସ୍ୟମାନେ ଜଣକ ପରେ ଜଣେ ଠିଆ ହୋଇଥିଲେ। ବିଜେପି ସଦସ୍ୟ ଜୟନାରାୟଣ ମିଶ୍ର ଗୃହ ମଧ୍ୟଭାଗକୁ ଆସିବା ପରେ ଅନ୍ୟ ବିଜେପି ସଦସ୍ୟମାନେ ଚାଲି ଆସିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ନିଜ ଆସନରେ ଠିଆ ହୋଇ କହିଥିଲେ, ଚାଷୀ ସମସ୍ୟା ନେଇ ଗୃହର ସମସ୍ତ ସଦସ୍ୟ ଉଦବେଗ ପ୍ରକାଶ କରିବାରୁ ୨ ଘଣ୍ଟା ଆଲୋଚନା ହେଲା। କେବଳ ସରକାରୀ ଅବହେଳା ପାଇଁ ଟୋକନ୍‌ ଅବଧି ଶେଷ ହୋଇଥିବା କ୍ଷେତ୍ରରେ ସରକାର ସାନି ଟୋକନ୍‌ ଦିଆଯିବ ବୋଲି କହିଲେ। ଏପରି ସରକାରୀ ଅବହେଳାର ଶିକାର ହଜାର ହଜାର ଚାଷୀ ହୋଇଛନ୍ତି। ସେହି ସରକାରୀ ଅଧିକାରୀଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାହିଁକି ସରକାରୀ ଅଧିକାରୀଙ୍କ ପାଇଁ ଚାଷୀମାନେ ଧାନ ବିକ୍ରି କରିପାରିବେ ନାହିଁ। ମନ୍ତ୍ରୀ କାରଣ ଦର୍ଶାଇ କହିଥିଲେ ଯେ କିଛି ଚାଷୀ ବାହାର ରାଜ୍ୟରୁ ଧାନ ଆଣି ବିକ୍ରି କରିବାକୁ ଯୋଜନା କରିଛନ୍ତି। ସେଥିପାଇଁ ଟୋକନ୍‌ ଅବଧି ଭିତରେ ଧାନ ମଣ୍ଡିକୁ ଆଣୁନାହାନ୍ତି। ସେମାନେ ଦଲାଲ୍‌। ଆଉ ସେ ଦଲାଲମାନଙ୍କ ଟୋକନ୍‌କୁ ସରକାର କେବେ ବି ରି-ଭ୍ୟାଲିଡେଟ୍‌ କରିବେ ନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମନ୍ତ୍ରୀଙ୍କ କହିବାନୁୟାୟୀ ଏ ଗୃହ ବିଧାୟକମାନେ କଣ ଦଲାଲମାନଙ୍କ ପାଇଁ ଉଦବେଗ ପ୍ରକାଶ କରିଛନ୍ତି। ନିଜ ଜିଲ୍ଲା ଓ ନିର୍ବାଚନମଣ୍ଡଳୀର ଚାଷୀଙ୍କୁ କଣ ବିଧାୟକମାନେ ଚିହ୍ନିନାହାନ୍ତି। ଚାଷୀକୁ ଦଲାଲ୍‌ କହିଥିବା ଯୋଗାଣ ମନ୍ତ୍ରୀ ଏ ଗୃହରେ କ୍ଷମାମାଗନ୍ତୁ ଓ ସବୁ ଧାନ ଉଠାଇବାକୁ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଶ୍ରୀ ନାଏକ ଦାବି କରିଥିଲେ। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବି ଚାଷୀ ପ୍ରସଙ୍ଗ ଉଠାଇ ସମାନ ଦାବି କରିଥିଲେ।

ସମ୍ବନ୍ଧିତ ଖବର