ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ନଗର ମୌଜା ଦିନାଡ଼ିଆ ପଡ଼ାରେ ଦୁଇ ଦିନରେ ଦୁଇଜଣଙ୍କ ମୃତ୍ୟୁ ପରେ ଶବଦାହ କରିବାକୁ ଜାଗା ମିଳୁ ନଥିବାରୁ ଉତ୍ତେଜନା ଲାଗିରହିଛି। ସ୍ଥାନୀୟ ନୂଆକାଳିଆକଣ ଓ ଦିନାଡିଆପଡା ମଧ୍ୟରେ ଏକ ମଶାଣିକୁ ନେଇ ବିବାଦ ଉପୁଜିଛି।
ଏହାକୁ ନେଇ ଗତକାଲି ଗୋଟିଏ ଶବ ୧୨ ଘଣ୍ଟା ପଡ଼ିରହି ଶେଷରେ ରାସ୍ତାକଡ଼ରେ ରାତି ପ୍ରାୟ ୧୧ଟାରେ ଦାହ କରାଯାଇଥିଲା। ପରିସ୍ଥିତିକୁ ଆଖିଆଗରେ ରଖି ଗତକାଲି ଠାରୁ ସେଠାରେ ପୁଲିସ୍ ଫୋର୍ସ ପଇଁତରା ମାରୁଥିବାବେଳେ ବୁଧବାର ସେହି ଦିନାଡିଆର ବଇଁଶୀଧର ବେହେରା(୭୫) ପୂର୍ବରୁ କ୍ୟାନ୍ସର୍ରେ ପୀଡିତ ହୋଇ ବୁଧବାର ସକାଳେ ଆଖି ବୁଜିଥିଲେ। ତାଙ୍କର ଶବଦାହ ପାଇଁ ଦୁଇ ପଡ଼ା ମଧ୍ୟରେ ଥିବା ଶ୍ମଶାନକୁ ଆଜି ପୂର୍ବାହ୍ଣରେ ନିଆଯାଉଥିବାବେଳେ ଦୁଇପଡ଼ାର ଲୋକେ ମୁହାମୁହିଁ ହୋଇଥିଲେ। ମଶାଣିରେ ଶବ ଦାହକୁ ନୂଆକାଳିଆକଣବାସୀ ତୀବ୍ର ବିରୋଧ କରିଥିଲେ। ଏହାପରେ ଦୁଇ ପଡ଼ାବାସୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଖଣ୍ଡ ଯୁଦ୍ଧ।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ରାସ୍ତାରୁ ନୂଆକାଳିଆକଣକୁ ଥିବା ମାଟି ରାସ୍ତା ଉପରେ ଦୀର୍ଘ ଦୁଇ ଘଣ୍ଟାକାଳ ଏଭଳି ସଂଘର୍ଷ ହୋଇଥିଲା। ଟେକାପଥର ମାଡ଼ରେ ରାସ୍ତାକଡରେ ଥିବା କ୍ୟାବିନ୍, ଦୋକାନ ଭାଙ୍ଗିବା ସମେତ ଏକ ଔଷଧ ଦୋକାନ ଓ ସିମେଣ୍ଟ ଦୋକାନରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇଦେଇଥିଲେ। ଅସ୍ତରଙ୍ଗ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଦୋକାନଗୁଡିକରେ ନିଆଁ ଲାଗିବାରେ ବିଭିନ୍ନ ସ୍ଥାନକୁ ସଂଯୋଗ ହୋଇଥିବା ବିଦ୍ୟୁତ ତାର ଛିଣ୍ଡି ତଳେ ପଡ଼ିଥିଲା। ସେହିପରି ରାସ୍ତା ଉପରେ ଚାରିଆଡ଼େ ଇଟାପଥର, କାଚଗୁଣ୍ଡ ବିଛାଡ଼ି ହୋଇପଡ଼ିଥିଲା। ସବୁଠାରୁ ବଡ଼କଥା ହେଲା ଏଭଳି କାଣ୍ଡ ଚାଲିଥିବାବେଳେ ଉପସ୍ଥିତ ପୁଲିସ ପ୍ରଶାସନ କିଛି ଉପାୟ ନପାଇ ୧୦୦ ମିଟର ପଛକୁ ଘୁଞ୍ଚି ଯାଇଥିବା ଦେଖାଯାଇଥିଲା।
ଉତ୍ତେଜନାସ୍ଥଳରେ ଅସ୍ତରଙ୍ଗ ଥାନା ଅଧିକାରୀ ବାମଦେବ ନନ୍ଦଙ୍କ ସମେତ ପୁଲିସ୍ କର୍ମଚାରୀ ଉପସ୍ଥିତ ଥିଲେ। କିଛି ସମୟ ପରେ ନିମାପଡ଼ା ଏସ୍ଡିପିଓ ଦେବାଶିଷ ମିଶ୍ର ଓ ତହସିଲଦାର ରାଜଲକ୍ଷ୍ମୀ ନାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଅନ୍ୟପକ୍ଷରେ ଏଭଳି ପରିସ୍ଥିତିରେ ୮ ଘଣ୍ଟା କାଳ ଘରେ ଶବ ପଡିରହିବା ପରେ ଶେଷରେ ନିଜ ଜମିରେ ଦାହ ହୋଇଥିବା ସୂଚନା ମିଳିଛି। ଗତ ଦୁଇଦିନ ଧରି ଏଭଳି ଉତ୍ତେଜନା ଲାଗିଥିବା ବେଳେ ଆପୋଷ ସମାଧାନ କରିବାକୁ କୌଣସି ନେତା ବା ଜନପ୍ରତିନିଧି ପହଞ୍ଚି ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/puri-aaa.jpg)