ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ତେଜିବାରେ ଲାଗିଛି। ପୁରୁଣା ନେତାମାନେ କୋଣଠେସା ହେଉଥିବାବେଳେ ବହୁ ଅସନ୍ତୁଷ୍ଟ ନେତା ବିଜେପିମୁହାଁ ହେଉଥିବା ଚର୍ଚ୍ଚା‌ ହେଉଛି। ପୂର୍ବ ସାଂସଦ ଓ ପୂର୍ବ ବିଧାୟକମାନେ ଦଳରେ କୋଣଠେସା ହେଉଥିବା ଯୋଗୁଁ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଭଳି ସ୍ଥିତି ଯୋଗୁଁ ପୂର୍ବ ଲୋକସଭା ସାଂସଦ ଅର୍କକେଶରୀ ଦେଓ ଓ ପୂର୍ବ ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝୀ ବିଜେପିମୁହାଁ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Advertisment

publive-image Entrance India

ପୂର୍ବ ସାଂସଦ ଅର୍କକେଶରୀ ଦେଓ ଏବଂ ପୂର୍ବ ବିଧାୟକ ବଳଭଦ୍ର ମାଝୀଙ୍କ ସମେତ ପୂର୍ବ ବିଧାୟକ ଅନାମ ନାଏକ, ପୂର୍ବ ବିଧାୟକ ଦୁଷ୍ମନ୍ତ ନାଏକ, ପୂର୍ବ ବିଧାୟକ ଧନେଶ୍ବର ମାଝୀ ଭଳି ବହୁ ଆଗଧାଡ଼ିର ନେତା ବର୍ତ୍ତମାନ ଦଳରେ ଅଲୋଡ଼ା ହୋଇ ପଡ଼ିଛନ୍ତି। ଅର୍କକେଶରୀ ଦେଓଙ୍କୁ ଗତ ସାଧାରଣ ନିର୍ବାଚନରେ ବିଜେଡି ଟିକେଟ ଦେଇନଥିଲା। ଏହା ପରଠୁ ଏଯାଏ ସେ ତାଙ୍କୁ ଦଳର କୈାଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ। ଚଳିତ ଏପ୍ରିଲ ପ୍ରଥମ ସପ୍ତାହରେ ଅର୍କକେଶରୀ ନୂଆଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିଜେପି ପକ୍ଷରୁ ଅର୍କଙ୍କ ପତ୍ନୀ ମାଳବିକା ଦେଓଙ୍କୁ ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଧାୟକ ପ୍ରାର୍ଥୀ କରିବାକୁ ଦଳ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଅର୍କ ନିଜ ପାଇଁ ଟିକେଟ ମାଗିବା ଯୋଗୁଁ ବର୍ତ୍ତମାନ ଏହା ଝୁଲି ରହିଥିବା ଆଲୋଚନା ହେଉଛି।

ସେହିଭଳି ବଳଭଦ୍ର ମାଝୀ ମାସେ ତଳେ ନୂଆଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟି ଆଲୋଚନା କରିଥିଲେ। ବର୍ତ୍ତମାନ ଅର୍କ କେଶରୀ ଦେଓ ଓ ବଳଭଦ୍ର ମାଝୀ ବିଜେଡିର ଆଗଧାଡ଼ିରେ ଥିବା କୋଣଠେସା ନେତାମାନଙ୍କୁ ବିଜେପିରେ ଯୋଗ ଦେବା ନେଇ ଆଲୋଚନା କରୁଥିବା ଚର୍ଚ୍ଚା ହେଉଛି। ଏପରିକି ପୂର୍ବ ବିଧାୟକ ଧନେଶ୍ବର ମାଝୀଙ୍କ ସହ ମଧ୍ୟ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି। ବିଜେଡିର ଅଲୋଡ଼ା ଥିବା ନେତାଙ୍କୁ ଏକାଠି କରି ଏକ ବଡ଼ ଗୋଷ୍ଠୀ ବିଜେପିରେ ଯୋଗ ଦେବା ପାଇଁ ଯୋଜନା ଆରମ୍ଭ କରୁଥିବା ନେଇ ଆଲୋଚନା ହେଉଥିବା ବେଳେ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସେହିଭଳି ସାଇନିଂ କଳାହାଣ୍ଡି କାର୍ଯ୍ୟକ୍ରମରେ ଯୋଗ ଦେଇ ବହିଷ୍କୃତ ହୋଇଥିବା ଭବାନୀ ଶଙ୍କର ନିଆଲଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ମଧ୍ୟ ଦଳ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି। ତାଙ୍କ ସହ ଯୋଗାଯୋଗ‌ରେ ଥିବା ବିଜେଡି ନେତାଙ୍କ ଗୋଟି ଚାଳନା ଉପରେ ସଭିଙ୍କ ନଜର ରହିଛି। ସେହିଭଳି ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ‌ଅନ୍ୟ ନେତାମାନଙ୍କ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଭୟ ନେଇ ଛନକା ପଶିଥିବାବେଳେ ବିରୋଧୀଦଳମାନଙ୍କ ପକ୍ଷରୁ ଏହି ନେତାମାନଙ୍କ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି।

publive-image knnindia.co.in

ସେହିଭଳି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ଶିବିରରେ ମଧ୍ୟରେ ବଳ କଷା ଚାଲିଛି। କିଏ ନିଜ ପତିଆରା ସାମ୍ନାକୁ ଆଣିପାରିବ ସେ ନେଇ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି। ଏମାନଙ୍କ ପ୍ରତିଯୋଗିତା ମଧ୍ୟରେ ବହୁ ବିଜେଡି ନେତା ବଳି ପଡୁଥିବା ସାଧାରଣରେ ଆଲୋଚନା ହେଉଛି। ଆଗକୁ ଦଳର କୋଣଠେସା ନେତାମାନଙ୍କ ମେଳି ଯୋଗୁଁ ବିଜେଡିର ପରବର୍ତ୍ତୀ ପଦକ୍ଷେପ ଉପରେ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି।