ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ: ରଣକ୍ଷେତ୍ର ପାଲଟିଲା ଲୋହିଆ ଏକାଡେମି ପରିସର

ଝରକା, ଫୁଲକୁଣ୍ଡ ଭାଙ୍ଗିଲେ, ଜୟ ଶ୍ରୀରାମ ନାରା ଓ ଗୋବର ମାଡ଼, ୮ ଅଟକ

ଭୁବନେଶ୍ବର: ଗତ ଦୀପାବଳି ଅମାବାସ୍ୟା ତିଥିରେ ପଡ଼ିଥିବା ସୂର୍ଯ୍ୟୋପରାଗଠାରୁ ହେତୁବାଦୀଙ୍କ ଉପରେ ରହିଥିବା ପରମ୍ପରାବାଦୀଙ୍କ ପୁଞ୍ଜୀଭୂତ ଅସନ୍ତୋଷ ଆଜି ଉଗ୍ରରୂପ ନେଇଥିଲା। ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଭଳି ଦିନରେ ବିରିୟାନି ଖାଇ ପରମ୍ପରାକୁ ଆହ୍ବାନ ଦେଉଛନ୍ତି ବୋଲି ଅଭିଯୋଗ କରି ଆଜି ପରମ୍ପରାବାଦୀମାନେ ହେତୁବାଦୀମାନଙ୍କୁ ଘେରିଥିଲେ। ଭୁବନେଶ୍ବର ଲୋହିଆ ଏକାଡେମିଠାରେ ହେତୁବାଦୀମାନଙ୍କ କାର୍ଯ୍ୟକ୍ରମକୁ ବିରୋଧ କରି ପରମ୍ପରାବାଦୀମାନେ ହୋ-ହଲ୍ଲା କରିବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ପୂର୍ବରୁ ଗଣ୍ଡଗୋଳ ଆଶଙ୍କା କରି ସେଠାରେ ପୁଲିସ ମୁତୟନ ହୋଇଥିଲେ ବି ଉଭୟ ପକ୍ଷ ମୁହାଁମୁହିଁ ହୋଇଯାଇଥିଲେ ଏବଂ ପୁଲିସ ସେମାନଙ୍କୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଥିଲା। ପରମ୍ପରାବାଦୀମାନେ ଏକାଡେମି କାର୍ଯ୍ୟାଳୟର ଝରକା, ଫୁଲକୁଣ୍ଡ ଭାଙ୍ଗିବା ସହ ଗୋବର ମାଡ଼ କରିବା ବେଳେ ହେତୁବାଦୀମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଧସ୍ତାଧସ୍ତି‌ ‌ରୋକିବାକୁ ଯାଇ ପୁଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା ଏବଂ ୮ ଜଣଙ୍କୁ ଅଟକ ରଖାଯାଇଥିଲା।

ସୂଚନାଯୋଗ୍ୟ ଯେ ‘ଜୟ ବିଜ୍ଞାନ ଅଭିଯାନ’ ପକ୍ଷରୁ ଆଜି ଲୋହିଆ ଏକାଡେମିଠାରେ ‘ସମାଜ ସଂସ୍କାରରେ ବିଜ୍ଞାନର ଭୂମିକା’ ଉପରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏହି ଅବସରରେ ସେଠାରେ ବିରିୟାନି ପାର୍ଟି ଆୟୋଜନ କରାଯାଇଥିଲା। ହେତୁବାଦୀମାନେ ଏହି କାର୍ଯ୍ୟକ୍ରମ କରୁଛନ୍ତି ବୋଲି ପୂର୍ବରୁ ପ୍ରଚାର ହୋଇଥିଲା। ସୂର୍ଯ୍ୟୋପରାଗ ଦିନ ହେତୁବାଦୀମାନେ କରିଥିବା ବିରିୟାନି ପାର୍ଟିକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏନେଇ ହେତୁବାଦୀ ସମର୍ଥକ ଓ ପରମ୍ପରାବାଦୀ ସମର୍ଥକଙ୍କ ମଧ୍ୟରେ ତର୍କ ଲାଗି ରହିଥିଲା। ଏମିତିକି ହେତୁବାଦୀମାନଙ୍କୁ ବିଭିନ୍ନ ପ୍ରକାର ଧମକଚମକ ମିଳିଥିଲା। ଏନେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ତେଣୁ ଆଜି ଚନ୍ଦ୍ରଗ୍ରହଣ ଅବସରରେ ହେତୁବାଦୀମାନଙ୍କ ଏହି କାର୍ଯ୍ୟକ୍ରମ ଆମ ପରମ୍ପରାକୁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଅଭିଯୋଗ କରି ଜୋର୍‌ଦାର ବିରୋଧ କରିବାକୁ ପରମ୍ପରାବାଦୀମାନେ ପ୍ରସ୍ତୁତ ହୋଇରହିଥିଲେ। ତେଣୁ ଲୋହିଆ ଏକାଡେମିରେ ହେତୁବାଦୀମାନଙ୍କ କାର୍ଯ୍ୟକ୍ରମ ଆରମ୍ଭ ହେବାର କିଛି ସମୟ ଭିତରେ ପ୍ରାୟ ୫୦ ରୁ ଅଧିକ ପରମ୍ପରାବାଦୀ ପହଞ୍ଚି ହୋ-ହଲ୍ଲା ଆରମ୍ଭ କରିଦେଲେ। ‘ଜୟ ଶ୍ରୀରାମ’ ନାରା ଦେଇ ଲୋହିଆ ଏକାଡେମି ପରିସର ଭିତରକୁ ଧସେଇ ପଶିଲେ।

ପରମ୍ପରାବାଦୀମାନେ ଜୟ ଶ୍ରୀରାମ ନାରା ଦେଉଥିବା ବେଳେ ବିପକ୍ଷରୁ କିଛି ବିରୋଧୀ ନାରା ଶୁଭିଥିଲା। ଫଳରେ ଉତ୍ତେଜନା ବଢ଼ିଥିଲା। ପୁଲିସ ବିରୋଧ କରିବା ସତ୍ତ୍ବେ ସେମାନେ ବିରିୟାନି ପାର୍ଟି ସ୍ଥଳକୁ ମାଡ଼ିଯିବା ବେଳେ ହେତୁବାଦୀମାନେ ବିରୋଧ କରିଥିଲେ। ପରମ୍ପରାବାଦୀମାନେ ବିରିୟାନି ହାଣ୍ଡିକୁ ଫୋପାଡ଼ି ଦେବାକୁ ଉଦ୍ୟମ କରିଥିଲେ। ଫଳରେ ଉଭୟ ପକ୍ଷଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ମଝିରେ ରହି ଠେଲାପେଲାକୁ ନିୟନ୍ତ୍ରଣ କରୁଥିବା ବେଳେ ଉତ୍ତ୍ୟକ୍ତ ପରମ୍ପରାବାଦୀମାନେ ଲୋହିଆ ଏକାଡେମିର ଝରକା କାଚ ଭାଙ୍ଗିବା ସହ ଫୁଲ କୁଣ୍ଡ ଆଦିକୁ ଭାଙ୍ଗି ପକାଇଥିଲେ। ହେତୁବାଦୀମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ।

ଏତିକିବେଳେ ହେତୁବାଦୀମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଖବର ପ୍ରସାରଣ ବନ୍ଦ କରିବାକୁ କହିଥିଲେ। ପରେ ପରେ ୟୁନିଟ୍-୯ କଲୋନିର ଲୋକମାନେ ମଧ୍ୟ ଆସି ହେତୁବାଦୀମାନଙ୍କ ବିରିୟାନି ଖାଇବାକୁ ବିରୋଧ କରିଥିଲେ। ଏହି ଗଣ୍ଡଗୋଳ ଭିତରେ ଆଲୋଚନାଚକ୍ରକୁ ଆସିଥିବା ନବକିଶୋର ଦାସ ଆହତ ହୋଇଥିଲେ। ଶେଷରେ ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇବାକୁ ମୁଦୃ ଲାଠିଚାଳନା କରିବା ସହ ୮ ପରମ୍ପରାବାଦୀଙ୍କୁ କାବୁ କରିନେଇଥିଲା। ଲୋହିଆ ଏକାଡେମିର ସଂପତ୍ତି ନଷ୍ଟ ହୋଇଥିବା ନେଇ ସେକ୍ରେଟେରି ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି ଏବଂ ପୁଲିସ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ ଯେ ଆଜି ଭିଏସ୍‌ଏସ୍‌ନଗର ଓ ସହିଦନଗରରେ ମଧ୍ୟ ହେତୁବାଦୀମାନଙ୍କ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କିନ୍ତୁ ଉକ୍ତ ଦୁଇ ସ୍ଥାନରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିନାହିଁ।

ଭୂରିଭୋଜନକୁ ନେଇ ବ୍ରହ୍ମପୁରରେ ଉତ୍ତେଜନା

ବ୍ରହ୍ମପୁର: ଚନ୍ଦ୍ରଗ୍ରହଣରେ ଭୂରି ଭୋଜନକୁ ନେଇ ବ୍ରହ୍ମପୁର ସିଟି ହାଇସ୍କୁଲ ରୋଡ଼ ରଣକ୍ଷେତ୍ର ପାଲଟିଛି। ଗୋଟିଏ ପଟେ ହେତୁବାଦୀ ଏବଂ ଅନ୍ୟପଟେ ବଜରଙ୍ଗ ଦଳ, ବିଶ୍ବହିନ୍ଦୁ ପରିଷଦ ଓ ବ୍ରାହ୍ମଣ ସମାଜ ମୁହଁାମୁହିଁ ହୋଇଛନ୍ତି। ପୂର୍ବରୁ ସୂର୍ଯ୍ୟୋପରାଗ ସମୟରେ ବି ହେତୁବାଦୀ ସଙ୍ଗଠନ ପକ୍ଷରୁ ଏହିଭଳି ସାମୂହିକ ଭୋଜନର ଆୟୋଜନ କରାଯାଇଥିଲା। ହେତୁବାଦୀଙ୍କ ଏଭଳି କାର୍ଯ୍ୟକ୍ରମକୁ ବଜରଙ୍ଗ ଦଳ, ବିଶ୍ବ ହିନ୍ଦୁ ପରିଷଦ ଓ ବ୍ରାହ୍ମଣ ସମାଜ ତୀବ୍ର ବିରୋଧ କରିବା ସହିତ ବଡ଼ବଡ଼ ଠେଙ୍ଗା ଧରି ଆୟୋଜନ ସ୍ଥଳରେ ପହଞ୍ଚିଥିଲେ।

ପ୍ରତିବାଦକାରୀମାନେ ଠେଲାପେଲା କରିବା ସହ ଟେଣ୍ଟ ଭଙ୍ଗାରୁଜା କରିଥିଲେ। ଏପରିକି ହେତୁବାଦୀଙ୍କ ଉପରକୁ ଗୋବର ଓ ଚପଲ ମାଡ଼ କରିଥିଲେ। ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ ଲାଠିଚାଳନା କରିଥିଲା। ଏହାପରେ ବିକ୍ଷୋଭକାରୀମାନେ ଛତ୍ରଭଙ୍ଗ ଦେଇଥିଲେ ବି ଉତ୍ତେଜନା ଥମି ନଥିଲା। କେତେଜଣ ରାଜରାସ୍ତାରେ ଧାରଣା ଦେବାସହ ହେତୁବାଦୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ। ହେତୁବାଦୀ ସଂଗଠନର ବ୍ୟାନର୍‌କୁ ଚିରି ସମୂହ ଭୋଜନ ସ୍ଥଳକୁ ଧସେଇ ପଶିଥିଲେ। ପୁଲିସ ବାଧ୍ୟହୋଇ ହେତୁବାଦୀଙ୍କୁ ଘଟଣାସ୍ଥଳରୁ ହଟାଇବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ସମ୍ବନ୍ଧିତ ଖବର