ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଏବେ ନେତୃତ୍ବ ନେବାକୁ ଯାଉଛି ଓଡ଼ିଶା। ‘ସମ୍ବାଦ’ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହେବାକୁ ଯାଉଛି ଏକ ତିନିଦିନିଆ ସମ୍ମିଳନୀ। ରାଜ୍ୟରେ ପ୍ରଥମ ଥର ପାଇଁ ଏହି ମଞ୍ଚରେ ଏକାଠି ହେବେ ସାରା ଭାରତର ବଛା ବଛା ବିଶେଷଜ୍ଞ ଏବଂ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଦିଗରେ କାମ କରୁଥିବା ଦେଶ ବିଦେଶର ୪୦ରୁ ଅଧିକ ଅତିଥି ବକ୍ତା। ୧୧ରୁ ଅଧିକ ଅଧିବେଶନରେ ଜଳବାୟୁ ପରିବର୍ତ୍ତନର ବିଭିନ୍ନ ଦିଗକୁ ନେଇ ମାନସମନ୍ଥନ କରାଯିବ। ଏହି ଅବସରରେ କ୍ଲାଇମେଟ୍‌ ଆଟ୍‌ଲାସ ଉନ୍ମୋଚିତ ହୋଇ ଭବିଷ୍ୟତ ପାଇଁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରାଯିବ। ଜଳବାୟୁ ପରିବର୍ତ୍ତନର ମୁକାବିଲା ସାରା ବିଶ୍ବ ସମ୍ମୁଖରେ ଏକ ବଡ଼ ଆହ୍ବାନ ହୋଇଥିବାରୁ ‘ସମ୍ବାଦ’ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରୁ ୬୦ ଦିନିଆ ଆନ୍ଦୋଳନ ଆରମ୍ଭ କରିଥିଲା। ବିଭିନ୍ନ ସଚେତନତାଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ, ଯୁବପିଢ଼ି, ଜନପ୍ରତିନିଧି ଓ ସାଧାରଣ ଜନତାଙ୍କୁ ସାମିଲ କରାଯାଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ ବସାଇ ଲୋକଙ୍କୁ ସଚେତନ କରାଯାଇଛି।

Advertisment

ଆଜି ସୁଦ୍ଧା ୧୩୦ରୁ ଅଧିକ ନିର୍ବାଚନମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ହୋଇଛି, ଯେଉଁଥିରେ କି ବିଧାୟକମାନେ ନେତୃତ୍ବ ନେଇଛନ୍ତି। ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ପରିବେଶ ସୁରକ୍ଷା, ସଂରକ୍ଷଣ ପରି କାର୍ଯ୍ୟକ୍ରମ ହାତକୁ ନେବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ସମ୍ବାଦ’, ‘କନକ ନ୍ୟୁଜ୍‌’, ‘ରେଡିଓ ଚକଲେଟ୍‌’, ‘ସମ୍ବାଦ ଡିଜିଟାଲ’ ପରି ସମ୍ବାଦ ଗ୍ରୁପ୍‌ର ବିଭିନ୍ନ ସଂସ୍ଥା ମାଧ୍ୟମରେ ଲୋକଙ୍କ ନିକଟରେ ଜଳବାୟୁ ପରିବର୍ତ୍ତନର ପ୍ରତିଟି ଖବର ପହଞ୍ଚାଯାଇଛି। ଆସନ୍ତା ୪ ତାରିଖ ଦିନ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହେବ। 
ପ୍ରଥମ ଦିନ ଅର୍ଥାତ୍‌ ୨ ତାରିଖ ବୁଧବାର ହୋଟେଲ୍‌ ସ୍ବସ୍ତି ପ୍ରିମିୟମରେ ଉଦ୍‌ଘାଟନୀ ଉତ୍ସବକୁ ବାଚସ୍ପତି ସୁରମା ପାଢ଼ୀ ଉଦ୍‌ଘାଟନ କରିବେ। ଏହି ଆନ୍ଦୋଳନକୁ ଆଉ କେଇ ପାଦ ଆଗକୁ ନେବା ଲାଗି ଆରମ୍ଭ ହେଉଥିବା ଯାତ୍ରାର ଶୁଭାରମ୍ଭ କରିବେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଏହି ଅବସରରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଓ ଏନର୍ଜି ସ୍ବରାଜ ଫାଉଣ୍ଡେସନର ପ୍ରତିଷ୍ଠାତା ଚେତନ୍‌ ଏସ୍‌. ସୋଲାଙ୍କି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଦିନ ହେବାକୁ ଥିବା ତିନିଟି ଅଧିବେଶନରେ ପ୍ରସିଦ୍ଧି ଫରେଷ୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରସିଦ୍ଧି ସିଂ,  ଅଲଟିଜେନ୍‌ ପ୍ରୋପୁଲଜନ୍‌ ଲ୍ୟାବ୍‌ସର ସିଇଓ ଅମିତାଭ୍‌ ସରଣ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ୱାସନ୍‌ର କାର୍ଯ୍ୟନିର୍ବାହୀ ସଚିବ ଏ ରବୀନ୍ଦ୍ର ପ୍ରମୁଖ ସାମିଲ ହୋଇ ବକ୍ତବ୍ୟ ରଖିବେ।

‘ସମ୍ବାଦ’-‘କନକ ନ୍ୟୁଜ୍‌’ର ବାର୍ଷିକ ଉତ୍ସବ

ତିନି ଦିନ ଧରି ଚାଲିବ ମାନସମନ୍ଥନ
ଏକାଠି ହେବେ ବିଶେଷଜ୍ଞ, ଗବେଷକ
ଉନ୍ମୋଚନ ହେବ କ୍ଲାଇମେଟ୍‌ ଆଟ୍‌ଲାସ୍‌

ସମ୍ମିଳନୀର ଦ୍ବିତୀୟ ଦିନ ଅର୍ଥାତ ୩ ତାରିଖ ସନ୍ଧ୍ୟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ପୂର୍ବାହ୍ନ‌ରୁ ଅପରାହ୍ଣ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ଅଧିବେଶନ ଡକ୍ୟୁମେଣ୍ଟାରି ଫିଲ୍ମ ମେକର ସଞ୍ଜୟ ବର୍ଣ୍ଣେଲା, ଅଭିନେତା ତଥା ବିଧାୟକ ଆକାଶଦାସ ନାୟକ, ରାହଗିରି ଫାଉଣ୍ଡେସନର ପ୍ରତିଷ୍ଠାତା ସାରିକା ପଣ୍ଡା ଭଟ୍ଟ, ଛଉପାଲ୍‌ ଗ୍ରାମୀଣ ବିକାଶ ପ୍ରତିଷ୍ଠାନ ଏବଂ ସୌଦ୍ଧ ସଂସ୍ଥାନର ସଭାପତି ଗଙ୍ଗାରାମ ପାଇକରା ଓ ମାନବାଧିକାର କର୍ମୀ ତଥା ଗବେଷକ ଗ୍ଲାଡସନ୍‌ ଡୁଙ୍ଗ୍‌ଡୁଙ୍ଗ୍‌ ପ୍ରମୁଖ ସାମିଲ ହେବେ। ୪ ତାରିଖ ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ପରିବେଶ ପଞ୍ଚ‌ାୟତ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ‘କ୍ଲାଇମେଟ୍‌ ଆଟ୍‌ଲାସ’ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବନ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେବେ। ଏହା ପରେ ପରେ ରାଜ୍ୟସ୍ତରୀୟ କ୍ଲାଇମେଟ୍‌ ପଞ୍ଚାୟତ ମଧ୍ୟ ଅନୁଷ୍ଠିତ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନରେ ସ୍ବସ୍ତି ଗ୍ରୁପ୍‌ ଅଫ୍‌ ହୋଟେଲର ଅଧ୍ୟକ୍ଷ ଜେ କେ ମହାନ୍ତି, ମୁଡ୍ଡି ବୋଟ୍‌ସ ଭାକେସନ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଦୀପ ମୁଡ୍ଡି, ରିଟ୍ରୋଡ୍‌ର ପ୍ରତିଷ୍ଠାତା ପ୍ରଭାତ ପଣ୍ଡା, ୟୁଏସ୍‌ କନ୍‌ସଲେଟ୍‌ ଜେନେରାଲ ଜେନିଫର୍‌ ଲାର୍ସନ, ଆର୍ଥ ଡେ ନେଟୱାର୍କର ଆଞ୍ଚଳିକ ନିର୍ଦ୍ଦେଶକ କରୁଣା ସିଂ ସାମିଲ ହେବେ।

ଉଲ୍ଲେଖଥାଉ କି, ଅକ୍ଟୋବର ୪ ତାରିଖ ଶୁକ୍ରବାର ସନ୍ଧ୍ୟା ୬ଟାରେ ‘ସମ୍ବାଦ’ର ୪୦ ବର୍ଷ ଓ ‘କନକ ନ୍ୟୁଜ୍’ର ୧୫ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହେବ। ହୋଟେଲ୍‌ ସ୍ବସ୍ତି ପ୍ର୍ରିମିୟମରେ ହେବାକୁ ଥିବା ଏହି ଉତ୍ସବରେ ‘ଦି ପ୍ରିଣ୍ଟ’ର ଅଧ୍ୟକ୍ଷ ଓ ମୁଖ୍ୟ ସମ୍ପାଦକ ଶେଖର ଗୁପ୍ତା,  ବରିଷ୍ଠ ସାମ୍ବାଦିକ ତଥା‌ ସ୍ତମ୍ଭକାର ଦିନେଶ ଚନ୍ଦ୍ର ଶର୍ମା ଅତିଥି ଭାବେ ଯୋଗ ଦେବେ। ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ‌ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ ରାଜ୍ୟସ୍ତରୀୟ ବିତର୍କ, ସାରେଗାମା, ଭାଷାଜ୍ଞାନ, ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।