‘ଅନୁଗୁଳ’ନାମକୁ ନେଇ ଦ୍ବନ୍ଦ୍ବ, ତିନି ପ୍ରକାର ବନାନ, ଶୁଦ୍ଧ କିଏ ଅଶୁଦ୍ଧ କିଏ?

ଚପିଗଲା ରାଧାମୋହନଙ୍କ ଯୁକ୍ତି, ସ୍ବର ଉଠାଇଲେ ବୁଦ୍ଧିଜୀବୀ

ଅନୁଗୁଳ: ଅନଗୁଳ, ଅନୁଗୁଳ ଏବଂ ଅନୁଗୋଳ…। ଓଡ଼ିଶାର ୩୦ଜିଲ୍ଲା ମଧ୍ୟରୁ ଏହା ହେଉଛି ଏକ ମାତ୍ର ଜିଲ୍ଲା; ଯାହାର ନାମ ଉଚ୍ଚାରଣ ବେଳେ ଅଧିକାଂଶ କେବଳ ଭୁଲ୍‌ କରୁ ନାହାନ୍ତି, ବରଂ ଲେଖାରେ ବି ବିଭ୍ରାନ୍ତ କରାଯାଉଛି। ବେସରକାରୀ ହେଉ ଅବା ସରକାରୀ କଳ, ସ୍ବାଭିମାନ ଓ ଅସ୍ମିତା ସହିତ ଜଡ଼ିତ ଏ ଜନ୍ମମାଟି ନାଁକୁ ଜାଣିଶୁଣି ବିକୃତ କରି ଚାଲିଛନ୍ତି। ତେବେ ଏ ବିଭ୍ରାନ୍ତି ଆଗକୁ ଆଉ କେତେ ଦିନ? ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ଭଳି ପ୍ରତିଭାମାନେ ଜିଲ୍ଲାର ବିକୃତ ନାମକରଣ କଥା ଉଠାଇ ଥକି ଯାଇଥିବା ବେଳେ ଅନୁଗୁଳ ଜିଲ୍ଲାର ଜନତା ନାଁଟିକୁ କ’ଣ ନିର୍ଦ୍ଦିଷ୍ଟ ଶୁଦ୍ଧ ଉଚ୍ଚାରଣଟିଏ ଦେଇ ପାରିବେ ତାହା ଉପରେ ସନ୍ଦେହ ଉଠିଛି।

ଅନୁଗୁଳ ନାମକରଣରେ ଏ ବିକୃତି କେବେଠୁ ଓ କେମିତି? ଅନୁଗୁଳ ସବ୍‌ ଡିଭିଜନାଲ ରେକର୍ଡ ରୁମ୍‌ରେ ଗଚ୍ଛିତ ପୁରୁଣା ସରକାରୀ ଦସ୍ତାବିଜ୍‌ ଏ ବିକୃତି ବହୁ ପୁରୁଣା ବୋଲି ଚିହ୍ନଟ କରୁନାହିଁ। ପ୍ରାୟ ୧୮୪୮ମସିହାରୁ ୧୯୦୮ମସିହା ପର୍ଯ୍ୟନ୍ତ ସେଦିନର କିରାଣି, ମୋହରିର, ଦଲିଲ୍ ଲେଖକ ସବୁ ସରକାରୀ କାଗଜପତ୍ରରେ ବ୍ୟବହୃତ ରବର ଷ୍ଟାମ୍ପ୍‌ରେ ଏ ଭୂ-ଖଣ୍ଡକୁ ‘ଅନଗୁଳ’ ବୋଲି ଉଲ୍ଲେଖ କରିଛନ୍ତି। ତେବେ ‘ଅନଗୁଳ’ର ନାମ ପରବର୍ତ୍ତୀ ସମୟରେ ‘ଅନୁଗୁଳ’ ଏବଂ ‘ଅନୁଗୋଳ’ ଢାଞ୍ଚାକୁ ପରିବର୍ତ୍ତିତ ହେଲା କେମିତି? ତାକୁ ନେଇ ଐତିହାସିକ ଓ ବୁଦ୍ଧିଜୀବୀ ମହଲ ଭିନ୍ନ ଭିନ୍ନ ମତପୋଷଣ କରନ୍ତି। ନାମକୁ ନେଇ ଆଜି ଯେଉଁ ବିକୃତିର କଥା ଉଠୁଛି, ଆଜକୁ ୫୦ବର୍ଷ ତଳେ ଅନୁଗୁଳ ମାଟିର ସୁଯୋଗ୍ୟ ସନ୍ତାନ ପଦ୍ମଶ୍ରୀ ଶ୍ରୀ ଗଡ଼ନାୟକ ସେ ପ୍ରସଙ୍ଗ ଉଠାଇଥିଲେ। ୧୯୫୯ମସିହ‌ାରେ ‘ଆମ ଦେଶ’ ପତ୍ରିକାରେ ସେ ନିଜେ ଲେଖିଥିଲେ, ‘ଅନଗୁଳ ନାମର ଉଦ୍ଭବ ୯୫୦ ଖ୍ରୀଷ୍ଟାବ୍ଦରୁ କିମ୍ବା କିଞ୍ଚିତ୍‌ ପୂର୍ବରୁ। ମାତ୍ର ନେତ୍ତଭଞ୍ଜଙ୍କ ତାମ୍ରଫଳକ ପ୍ରକାଶ କରୁଅଛି, ଷଷ୍ଠ ଶତାବ୍ଦୀରେ ଅନଗୁଳର ନାମ ଅଙ୍ଗୁଳକ ପତ୍ତନ। ଏଥିରୁ ପ୍ରମାଣିତ ହେଉଅଛି ଯେ ଅଙ୍ଗୁଳକ ପତ୍ତନ ନାମରୁ ଏ ଅନଗୁଳ ନାମର ଜନ୍ମ। ଏହା ଅନୁଗୋଳ ନୁହେଁ।’ ଗବେଷକ ଅକ୍ଷୟ କୁମାର ପଟ୍ଟନାୟକଙ୍କ ଲିଖିତ ‘ଅନୁଗୁଳର ନାମକରଣ’ ପୁସ୍ତକରେ କବିଙ୍କର ଏ ଲେଖାକୁ ଉଦ୍ଧୃତ କରାଯାଇଛି। କବିଙ୍କ ଅବର୍ତ୍ତମାନରେ ଏ ଦାବି କେବଳ ଲୁଚି ଯାଇ ନାହିଁ, ବରଂ ଗୋଟିକ ପରେ ଗୋଟିଏ ସରକାରୀ ଅନୁଷ୍ଠାନ ଏ ବିକୃତ ବନାନକୁ ଆହୁରି ସ୍ବୀକୃତି ଦେଇ ଚାଲିଛନ୍ତି। ଯେମିତିକି, ୧୯୨୬ମସିହାରୁ ନିଜ ଜିଲ୍ଲାକୁ ‘ଅନଗୁଳ’ ଲେଖି ଆସୁଥିବା ଜିଲ୍ଲା ହେଡ଼୍‌କ୍ବାର୍ଟର ହାଇସ୍କୁଲ ଆଜି ଉଦ୍‌ଘାଟନ କରିଥିବା ନୂଆ ଫାଟକରେ ‘ଅନୁଗୋଳ’କୁ ପରିବର୍ତ୍ତିତ କରି ଦିଆଗଲା। ଓଡ଼ିଆରେ ତିନି ପ୍ରକାର ଉଚ୍ଚାରଣ ଓ ବନାନଗତ ବିଭ୍ରାନ୍ତି ରହୁଥିବା ବେଳେ ଇଂରାଜୀ ବନାନ କିନ୍ତୁ ସବୁଠି ଗୋଟି ପ୍ରକାରର ‘angul’ ଚାଲିଛି।

ନାମକୁ ନେଇ ଉଠୁଥିବା ବିବାଦର ଏକ ସ୍ଥାୟୀ ସମାଧାନ ପାଇଁ କେବେଠୁ ଏ ପ୍ରସଙ୍ଗ ଉଠୁଥିବା ବେଳେ ଏବେ ବୁଦ୍ଧିଜୀବୀ ମହଲରେ ସ୍ବର ବି ଉଠିଲାଣି। ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ଏହା ଉପରେ ତର୍କ ସମ୍ମତ ଯୁକ୍ତି ଲୋଡ଼ିଛନ୍ତି। କହିଛନ୍ତି, ଏ ବିଭ୍ରାନ୍ତିର ଉପଶମ ପାଇଁ ଜିଲ୍ଲାର ଗୋଟିଏ ସର୍ବବାଦୀ ନାମକରଣର ଆବଶ୍ୟକତା ଅତି ଜରୁରୀ। ଏଥିପାଇଁ ଅନ୍ତତଃ ଜିଲ୍ଲାରେ ତଥ୍ୟ ସମ୍ବଳିତ ତର୍କଟିଏ ହେଉ। ଗବେଷକ ଅକ୍ଷୟ କୁମାର ପଟ୍ଟନାୟକ ଏଥିପାଇଁ ଜିଲ୍ଲା ପ୍ରଶାସନର ମଧ୍ୟସ୍ଥତାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଛନ୍ତି। ଜିଲ୍ଲା ନାମକରଣକୁ ନେଇ ଯେଉଁ ବିଭ୍ରାନ୍ତି ଉପୁଜିଛି ତା’ର ସମାଧାନ ପାଇଁ ଯାହା ପାଖରେ ଯେଉଁ ଦସ୍ତାବିଜ୍‌ ଅଛି, ତାହା ମଗାଯାଉ। ଅନ୍ତତଃ ନିଜ ମାଟିର ଗୋଟିଏ ନାଁ ବାଛିବା ପାଇଁ ଜିଲ୍ଲାରେ ଥିବା ବିଭିନ୍ନ ସଂସଦ, ସ୍ବେଚ୍ଛାସେବୀ ସଂଗଠନ, ବୁଦ୍ଧିଜୀବୀ, ପ୍ରଶାସନିକ ଅଧିକାରୀ ସବୁ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଛନ୍ତି। ଐତିହାସିକ ତଥା ଗାଳ୍ପିକ ଡ. ରମାମଞ୍ଜରୀ ସାହୁ ଜିଲ୍ଲାର ଏଭଳି ନାମକରଣକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଅନୁଗୁଳର ସ୍ବାଭିମାନ ସହ ଜଡ଼ିତ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବା ଜରୁରି ବୋଲି କହିଛନ୍ତି। ଏଥିପାଇଁ ଜନ ପ୍ରତିନିଧି ଆଗଭର ହୁଅନ୍ତୁ। ସରକାରୀ ଭାବେ ଏକ ନିର୍ଦ୍ଦିଷ୍ଟ ନାମକୁ ସବୁଆଡ଼େ ବ୍ୟବହାର କରିବାକୁ ସରକାର ନିର୍ଦେଶ ଦିଅନ୍ତୁ ଶ୍ରୀମତୀ ଗଡ଼ନାୟକ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର