ଏକକ ପିଜି ନାମଲେଖାକୁ ନେଇ ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ : ସ୍ପଟ୍‌ ନାମଲେଖା କେବେ?

ୱେବସାଇଟ୍‌ରେ ତଥ୍ୟ ଦେଉନାହାନ୍ତି ଶିକ୍ଷାନୁଷ୍ଠାନ
ତୃତୀୟ ପର୍ଯ୍ୟାୟ ପରେ ବି ସିଟ୍‌ ଖାଲି ପଡ଼ିବ

ଭୁବନେଶ୍ବର : ପିଜି ପାଠ୍ୟକ୍ରମରେ ନାମଲେଖା‌ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକକ ନାମଲେଖା ପ୍ରକ୍ରିୟା କରାଯାଉଛି। ପିଜି ବିଭାଗ ଥିବା ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ(ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ) ଏଥିରେ ଅଂଶଗ୍ରହଣ କରିଛନ୍ତି। ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦେଶାନାମା ବି ଜାରି ହୋଇଛି। ଯାହାକୁ ଆଧାର କରି ସାମ୍‌ସ ଦ୍ବାରା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା କରାଯାଉଛି। ତେବେ ଏ ସମ୍ପର୍କିତ କୌଣସି ତଥ୍ୟ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବିଭିନ୍ନ ପର୍ଯ୍ୟାୟ ନାମଲେଖା ପରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖାଲି ସିଟ୍‌ ସମ୍ପର୍କରେ ନିଜ ୱେବସାଇଟ୍‌ରେ ଉଲ୍ଲେଖ କରିବେ। କେତେ ପିଲା ନାମ ଲେଖାଇଲେ, କେଉଁମାନେ ୱେଟିଙ୍ଗ୍‌ ଲିଷ୍ଟରେ ଅଛନ୍ତି, କେତେ ସିଟ୍‌ ଖାଲି ରହିଛି ଆଦି ସମ୍ପର୍କରେ ତଥ୍ୟ ଦେବେ। ତେବେ ଶିକ୍ଷାନୁଷ୍ଠାନଗୁଡ଼ିକ ଉଚ୍ଚଶିକ୍ଷା ବିଭାଗର ଏହି ନିର୍ଦେଶନାମାକୁ ଉଲ୍ଲଂଘନ କରୁଛନ୍ତି। କେତେକ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ବିଭାଗ ଅନୁଯାୟୀ ଦାୟିତ୍ବରେ ଥିବା ପ୍ରଫେସରଙ୍କ ତାଲିକା ୱେବସାଇଟ୍‌ରେ ପ୍ରକାଶ କରିଦେଇ ଚୁପ୍‌ ବସିପଡ଼ିଛନ୍ତି। ନାମଲେଖା ସମ୍ପର୍କିତ ତଥ୍ୟ ଜାଣିବା ଲାଗି ଛାତ୍ରଛାତ୍ରୀ ସମ୍ପୃକ୍ତ ପ୍ରଫେସରଙ୍କ ମୋବାଇଲ୍‌ ନମ୍ବରରେ ‌ଯୋଗାଯୋଗ କଲେ ସଠିକ୍‌ ଉତ୍ତର ମିଳିପାରୁ ନାହିଁ। ଅଧିକାଂଶ ପ୍ରଫେସର ଫୋନ୍‌ ହିଁ ଉଠାଉ ନାହାନ୍ତି। ଆଉ କିଛି ଏମିତି ଶିକ୍ଷାନୁଷ୍ଠାନ ରହିଛି, ଯେଉଁମାନେ ୱେବସାଇଟ୍‌ରେ କୌଣସି ତଥ୍ୟ ଦେଉନାହାନ୍ତି। ମାସାଧିକ କାଳ ସେମାନଙ୍କ ୱେବସାଇଟ୍‌ ଅପଡେଟ୍‌ ହେଉ ନ ଥିବା ବି ଦେଖିବାକୁ ମିଳିଛି। ଯେଉଁଥିପାଇଁ ନାମଲେଖା ଲାଗି ଅପେକ୍ଷା କରି ରହିଥିବା ହଜାର ହଜାର ଛାତ୍ରଛାତ୍ରୀ ଏବେ ଦ୍ବନ୍ଦ୍ବରେ ଦିନ କାଟୁଛନ୍ତି।

ସବୁଠାରୁ ବଡ଼ କଥା ହେଲା ଏକକ ନାମଲେଖା ପ୍ରକ୍ରିୟାର ତୃତୀୟ ତଥା ଶେଷ ପର୍ଯ୍ୟାୟ ମଙ୍ଗଳବାର ଶେଷ ହେବ। ହେଲେ ଏପର୍ଯ୍ୟନ୍ତ ଖାଲି ସିଟ୍‌ରେ କିଭଳି ନାମଲେଖା ହେବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ। ଯେତେବେଳେ କି ଡିସେମ୍ବର ସୁଦ୍ଧା ସମସ୍ତ ନାମଲେଖା ପ୍ରକ୍ରିୟା ସାରିବାକୁ ଉଚ୍ଚଶିକ୍ଷା ବିଭାଗ ଯୋଜନା କରାଯାଇଥିଲା। ଏକାଧିକ ଥର ତାରିଖ ବି ଘୁଞ୍ଚାଯାଇଥିଲା। ତା’ପରେ ବି ନିର୍ଦ୍ଧାରିତ ସମୟରେ ନାମଲେଖା ସରିଲା ନାହିଁ। ଖାଲି ସିଟ୍‌ରେ ନାମଲେଖା ଲାଗି ଯଦି ସ୍ପଟ୍‌ ଆଡମିସନ୍‌ କରାଯାଏ ତେବେ ଏଥିପାଇଁ କ’ଣ ଏସ୍‌ଓପି ରହିବ ସେନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ‌ଗୋଟିଏ ପଟେ ଦେଶର ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ଶେଷ ହେବାକୁ ବସିଥିବା ବେଳେ ଓଡ଼ିଶାରେ ଏଭଳି ସ୍ଥିତିକୁ ନେଇ ଛାତ୍ରଛାତ୍ରୀ ନିଜର ଭବିଷ୍ୟତକୁ ନେଇ ଆଶା ଆଶଙ୍କା‌ରେ ପଡ଼ିଛନ୍ତି।

ସୂଚନା ଅନୁଯାୟୀ ୭୦ଟି ଶିକ୍ଷାନୁଷ୍ଠାନର ପାଖାପାଖି ୮୦ଟି ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ନାମଲେଖା ପ୍ରକ୍ରିୟା ଚାଲିଛି। ମୋଟ ୧୪ ହଜାର ସିଟ୍‌ ରହିଥିବା ବେଳେ ୫୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ସହ ରୢାଙ୍କ ହାସଲ କରିଛନ୍ତି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ମଧ୍ୟ ସମସ୍ତ ପାଠ୍ୟକ୍ରମରେ ସିଟ୍‌ ଖାଲି ପଡ଼ିଛି। ତୃତୀୟ ପର୍ଯ୍ୟାୟ ନାମଲେଖା ପରେ ବି ସିଟ୍‌ ଖାଲି ପଡ଼ିବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର