ଆଳୁ ଚାଷକୁ ନେଇ ଆସୁଛି ଚାଞ୍ଚଲ୍ୟକର ତଥ୍ୟ: ବିହନ, ଚାଷ, ବଜାର ସବୁଥିରେ ଷଡ଼୍ଯନ୍ତ୍ରର ଗନ୍ଧ
ସମାନ ଜମି, ସାର ଉପଯୋଗ ହେଉଛି
ଉତ୍ପାଦନ ତାରତମ୍ୟ ଆକାଶ ପାତାଳ କାହିଁକି
ବିହନ ଯୋଗାଣରେ ବି ବଡ଼ କେଳେଙ୍କାରୀ ସନ୍ଦେହ
ଏଯାଏ ଚାଷୀକୁ ବିହନ ଦେଇପାରିଲାନି ବିଭାଗ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର, (ଗାର୍ଗୀ ଶତପଥୀ): ସମାନ ବିହନ ଏବଂ ସାର ବ୍ୟବହାର କରାଯାଉଛି। ଅଥଚ ପଡ଼ୋଶୀ ପଶ୍ଚିମବଙ୍ଗରେ ଏକ ଏକର ଜମିରେ ହାରାହାରି ଉତ୍ପାଦନ ୨୪ ଟନ୍ ହେଉଥିବା ବେଳେ ଓଡ଼ିଶା ଫଳାଉଛି ମାତ୍ର ୭ରୁ ୮ଟନ୍ ଆଳୁ। ଉତ୍ପାଦନରେ ବହୁତ ବଡ଼ ତାରତମ୍ୟ। ଏମିତି କାହିଁକି?
ରାଜ୍ୟରେ ଆଳୁ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଏଭଳି ଚା଼ଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। କୃଷି ବିଭାଗ ଯୁକ୍ତି ରଖୁଛି ଯେ ଅନୁକୂଳ ପାଣିପାଗ ଏବଂ ଚାଷରେ ପାରଙ୍ଗମତା ଯୋଗୁଁ ପଶ୍ଚିମବଙ୍ଗର ଉତ୍ପାଦନ ଓଡ଼ିଶାଠାରୁ ଅଧିକ ରହୁଛି। ହେଲେ ବିଶେଷଜ୍ଞମାନଙ୍କର କହିବା କଥା, ଓଡ଼ିଶାରେ ଆଳୁ ଚାଷ କମିବା ପ୍ରସଙ୍ଗରେ ସରକାର ଏଯାଏ କି କି ପଦକ୍ଷେପ ନେଇଛନ୍ତି, କେଉଁ କେଉଁ ଜମିକୁ ଆଳୁ ଚାଷ ପାଇଁ ଚିହ୍ନଟ କରାଯାଇଛି, ସର୍ବୋପରି ଚାଷୀକୁ ଠିକ୍ ସମୟରେ ବିହନ, ସାର ଓ ପରାମର୍ଶ ମିଳୁଛି କି ନାହିଁ, ତାହା ଅନୁସନ୍ଧାନ ସାପେକ୍ଷ। ଏହା ଭିତରେ ଆଉ ଗୋଟିଏ ପ୍ରସଙ୍ଗକୁ ବି ଏଡ଼ାଇ ଦିଆଯାଇପାରିବ ନାହିଁ। ତାହା ହେଲା, ଓଡ଼ିଶାର ଆଳୁ ଚାଷ କ୍ଷେତ୍ରରେ ପଶ୍ଚିମବଙ୍ଗ ବେପାରୀ ଏବଂ ଦଲାଲଙ୍କର ଗୋଟିଏ ବଡ଼ ଭୂମିକା ରହୁଛି। ରାଜ୍ୟ ସରକାର ଆଳୁ ଚାଷ କ୍ଷେତ୍ରରେ ଆବଶ୍ୟକ ତତ୍ପରତା ପ୍ରକାଶ ନ କରିବା, ସେମାନଙ୍କୁ ସୁହାଉଛି ବୋଲି କୁହାଯାଇପାରେ।
ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ଚଳିତ ବର୍ଷ ୧୧୦ ଲକ୍ଷ ଟନ ଆଳୁ ଉତ୍ପାଦନ ହୋଇଥିଲା। ଏହା ଗତବର୍ଷଠାରୁ ୧୬ପ୍ରତିଶତ ଅଧିକ। ଆଳୁ ଉତ୍ପାଦନକୁ କେନ୍ଦ୍ର କରି ସେଠାରେ ୪୦୦ଟି ଶୀତଳଭଣ୍ଡାର ରହିଛି। ଏଠାରେ ଆଳୁ ମହଜୁଦ ରଖି ସେମାନେ ଏ ବଜାରକୁ ନିଜ ନିୟନ୍ତ୍ରଣରେ ରଖୁଛନ୍ତି। ପଡ଼ୋଶୀ ଓଡ଼ିଶା ଯେହେତୁ ଆବଶ୍ୟକ (ଚାହିଦାର ୨୦ ପ୍ରତିଶତ ଉତ୍ପାଦନ ହୋଇଥାଏ) ଆଳୁ ଉତ୍ପାଦନ କରିବା ସ୍ଥିତିରେ ନାହିଁ, ଏଣୁ ପଶ୍ଚିମବଙ୍ଗର ଆଳୁ ରାଜ୍ୟ ପାଇଁ ଅତି ଗୁରୁତ୍ବ ହୋଇଥାଏ। ଏମିତିରେ ବି ଯେତିକି ଆଳୁ ରାଜ୍ୟରେ ଉତ୍ପାଦନ ହେଉଛି, ତାହାକୁ ସଂରକ୍ଷିତ ରଖିବା ସ୍ଥିତିରେ ସରକାର ନାହାନ୍ତି। କାରଣ ରାଜ୍ୟରେ ସମୁଦାୟ ୧୩୧ ଶୀତଳଭଣ୍ଡାର ଥିବା ବେଳେ ସେଥିରୁ ମାତ୍ର ୪୯ଟି କାର୍ଯ୍ୟକ୍ଷମ ରହିଛି। ସ୍ବାଭାବିକ ଭାବେ ଓଡ଼ିଶାରେ ଆଳୁ ଅଭାବୀ କ୍ଷେତ୍ରରେ ପଶ୍ଚିମବଙ୍ଗର ଏକ ପ୍ରଚ୍ଛନ୍ନ ସହଯୋଗ ରହୁଛି ବା ଆହୁରି ସରଳ ଭାବେ କହିବାକୁ ଗଲେ ପଶ୍ଚିମବଙ୍ଗ ଓଡ଼ିଶାର ଆଳୁ ବଜାର ଉପରେ ପରୋକ୍ଷ ଭାବେ ନିୟନ୍ତ୍ରଣ ରଖିବାକୁ ଉଦ୍ୟମ କରୁଛି।
ରାଜ୍ୟରେ ଚଳିତ ବର୍ଷ ରବିରେ ୫ ହଜାର ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସରକାରୀ ବ୍ୟବସ୍ଥା ଅନୁସାରେ, ନାଫେଡ୍ ଏବଂ ସରକାରୀ ଅନୁମତିପ୍ରାପ୍ତ ସଂସ୍ଥା ପଞ୍ଜାବ ବିହନ ପ୍ୟାକେଟ୍ ହିସାବରେ ଚାଷୀଙ୍କୁ ଯୋଗାଣ କରିବା କଥା। ଆଳୁ ଚାଷ ପ୍ରୋତ୍ସାହନ ପାଇଁ କିଛି ଚାଷୀଙ୍କୁ ହେକ୍ଟର ପିଛା ସମୁଦାୟ ଖର୍ଚ ଅର୍ଥାତ ୧ଲକ୍ଷ ୪୫ହଜାର ଟଙ୍କାର ୪୦ ପ୍ରତିଶତ ଦିଆଯାଏ। ୩୦ ଡିଗ୍ରି ତାପମାତ୍ରାରୁ ଅଧିକ ହେଲେ, ଆଳୁ ଉତ୍ପାଦନ ହୁଏ ନାହିଁ। ତେଣୁ ଚାଷୀ ନଭେମ୍ବର ୧ରୁ ଆଳୁ ମଞ୍ଜି ପୋତି ଦିଏ, ଯେପରି ଜାନୁଆରି ସୁଦ୍ଧା ତାକୁ ଭଲ ଫଳ ମିଳିବ। ସେଥିପାଇଁ ଅକ୍ଟୋବର ୨୦ ତାରିଖରୁ ନଭେମ୍ବର ୧ ତାରିଖ ମଧ୍ୟରେ ତାକୁ ଆଳୁ ବିହନ ମିଳିଯିବା ଉଚିତ। ମାତ୍ର ନଭେମ୍ବର ୧୦ ତାରିଖ ହୋଇଥିଲେ ସୁଦ୍ଧା ବିହନ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଚାଷୀଙ୍କ ପାଖକୁ ଆସି ନଥିବା ଅଭିଯୋଗ କରିଛନ୍ତି କଟକର ଆଳୁ ଚାଷୀ ସନ୍ତୋଷ ମିଶ୍ର। କିଛି ଦିନ ମଧ୍ୟରେ ପହଞ୍ଚିଯିବ ବୋଲି ବିଭାଗ ଆଶ୍ବାସନା ଦେଇଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ବିହନ ପାଇବାରେ ସମସ୍ୟା ଯୋଗୁଁ ଆଳୁ ଚାଷ ଛାଡ଼ି ଦେଇଥିବା କହିଛନ୍ତି ଓଲଟପୁରର ଆଉ ଜଣେ ଚାଷୀ। ପାଣିପାଗ ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଠିକ୍ ସମୟରେ ବିହନ ନମିଳିଲେ ଚାଷୀ ବାଧ୍ୟ ହୋଇ ବାହାରୁ ଅତି ନିମ୍ନମାନର ବିହନ କିଣୁଛି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିହନ କେବେ ଭଲ ତ କେବେ ଖରାପ ବାହାରୁଥିବା ଚାଷୀମାନେ କହିଛନ୍ତି। ଅତି ଭଲ ବିହନ ହୋଇଥିଲେ ମଧ୍ୟ ଉତ୍ପାଦନ ଏକର ପିଛା ୯ ଟନରୁ ଅଧିକ ରୁହେ ନାହିଁ ବୋଲି ଚାଷୀ ସ୍ବୀକାର କରୁଛନ୍ତି। ଆହୁରି ସାଂଘାତିକ କଥା ହେଲା, ସରକାରୀ ବିହନ ବିଳମ୍ବ ଯୋଗାଣ ପଛରେ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ଲବି କାର୍ଯ୍ୟ କରୁଥିବା କିଛି ଶୀତଳଭଣ୍ଡାର ବ୍ୟବସାୟୀ ଅଭିଯୋଗ କରିଛନ୍ତି।
ଓଡ଼ିଶା ଚାଷୀ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ନୁହେଁ ଏବଂ ସେମାନଙ୍କ ଉତ୍ପାଦନ କମ୍। ତେଣୁ ସେମାନେ କମ୍ ଦରରେ ବିହନ କ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ପଶ୍ଚିମବଙ୍ଗ ବ୍ୟବସାୟୀ ଏହାର ଲାଭ ଉଠାଉଛନ୍ତି। ସରକାରୀ ବିହନ କେଜି ପ୍ରତି ୩୩ ଟଙ୍କାରେ ବିକ୍ରି ହେଉଥିବା ବେଳେ ପଶ୍ଚିମବଙ୍ଗର ଏହି ବ୍ୟବସାୟୀମାନେ ନିମ୍ନମାନର ବିହନକୁ ୭ରୁ ୮ ଟଙ୍କାରେ ଓଡ଼ିଶା ଚାଷୀଙ୍କୁ ବିକ୍ରି କରୁଛନ୍ତି, ଯାହାର ପ୍ରଭାବ ଉତ୍ପାଦନରେ ପଡୁଛି ବୋଲି ମଧ୍ୟ ବିଶେଷଜ୍ଞ ମତ ରଖୁଛନ୍ତି।
ଏଠାରେ ଉଲ୍ଲେଖଥାଉକି, ରାଜ୍ୟରେ ଆଳୁ ଚାଷ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦିଆଯାଉଛି। ମାତ୍ର ଚାହିଦାର ୨୦ ପ୍ରତିଶତ ହିଁ ସ୍ଥାନୀୟ ଚାଷୀ ପୂରଣ କରିପାରୁଛନ୍ତି। ଫଳରେ ବର୍ଷତମାମ ପଶ୍ଚିମବଙ୍ଗର ହାତଟେକାକୁ ନିର୍ଭର କରୁଛି ରାଜ୍ୟ। ଖାଲି ସେତିକି ନୁହେଁ, ଓଡ଼ିଶାରେ ଆଳୁ ଫଳିବା ପରେ କମ୍ ଟଙ୍କାରେ କିଣି ଶୀତଳଭଣ୍ଡାରରେ ରଖି ଦିଅନ୍ତି। ସେପ୍ଟେମ୍ବର, ଅକ୍ଟୋବରରେ ଓଡ଼ିଶା ଆଳୁକୁ ବଙ୍ଗଳା ଆଳୁ କହି ଅଧିକ ଦରରେ ବିକ୍ରି କରନ୍ତି। ବାଲେଶ୍ବର ଏବଂ ଭଦ୍ରକରେ ଏହା ଅତି ସାଧାରଣ କଥା। ଓଡ଼ିଶାର ଆଳୁ ଚାଷୀଙ୍କ ପାଖରେ ଶୀତଳଭଣ୍ଡାରରେ ଆଳୁ ରଖିବା ପାଇଁ ଆବଶ୍ୟକ ସମ୍ବଳ ନଥିବାରୁ ସେମାନେ ମଧ୍ୟ ଏହି ବ୍ୟବସାୟୀଙ୍କୁ ବିକ୍ରି ପାଇଁ ବାଧ୍ୟ ହୁଅନ୍ତି।