ଦ୍ବନ୍ଦ୍ବ ସୃଷ୍ଟି କରୁଛି ଗ୍ରୀଷ୍ମ ଛୁଟି ବିଜ୍ଞପ୍ତି: ଘରୋଇ ସ୍କୁଲ ସମ୍ପର୍କରେ କୁହାଯାଇନି

ଏତେ ସକାଳୁ ପିଲା ସ୍କୁଲ ଆସିବେ ତ? ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲା କ’ଣ କରିବେ

ଭୁବନେଶ୍ବର: ଗ୍ରୀଷ୍ମ ଛୁଟିରେ ଖୋଲାରହିବ ସ୍କୁଲ। ପିଲା ଆସିବେ। ପାଠ ପଢ଼ିବେ। କରୋନା ସମୟରେ ପ୍ରଭାବିତ ହୋଇଥିବା ବିଷୟଗୁଡ଼ିକୁ ପଢ଼ାଯିବ। ବ୍ରିଜ୍‌ କୋର୍ସ ମାଧ୍ୟମରେ ପିଲାଙ୍କ ଶିକ୍ଷଣ ଦକ୍ଷତା ବଢ଼ାଯିବ। ସକାଳ ୬ଟାରୁ ୯ଟା ଯାଏ କ୍ଲାସ ହେବ। ପିଲାମାନେ ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇବେ। ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଆଖିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଗଲେ। ନିର୍ଦେଶନାମା ଜାରି କରି ନାମଲେଖା ସମୟ, ନୂତନ ଶିକ୍ଷାବର୍ଷ, ପାଠପଢ଼ା ଶୈଳୀ ଆଦି ସମ୍ପର୍କରେ କୁହାଗଲା। ମାତ୍ର ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନା ନାହିଁ ସେ ବିଷୟରେ କେହି ବି କିଛି କହିଲେ ନାହିଁ। ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କିଛି କୁହାଯାଇନି କି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିନାହାନ୍ତି। କେବଳ ସେତିକି ନୁହେଁ, ଏହି ସମୟରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା କ’ଣ ହେବ ସେନେଇ ବି ସୂଚନା ଦିଆଯାଇ ନାହିଁ। ଗୋଟିଏ ପଟେ ପିଲାଙ୍କ ପାଠପଢ଼ା ନେଇ ଅଭିଭାବକ ଦ୍ବନ୍ଦ୍ବରେ। ଆଉ ଅନ୍ୟପ‌ଟେ ସ୍କୁଲ ସମୟ ଧାର୍ଯ୍ୟ ଏବେ ସମସ୍ତଙ୍କ ନିଦ ହଜାଇ ଦେଲାଣି। ଏତେ ସକାଳୁ ଉଠି ପିଲା ସ୍କୁଲକୁ ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଗୁରୁତ୍ବପୂର୍ଣ୍ଣ ‌କଥା ହେଉଛି ଯେ ଅଧାରୁ ଅଧିକ ଓଡ଼ିଶା ଏବେ ତତଲା ତାୱାରେ ସିଜୁଛି। ସୋନପୁର, ଝାରସୁଗୁଡ଼ା, ବଲାଙ୍ଗୀର, ଅନୁଗୁଳ ପରି ସହରର ତାପମାତ୍ରା ୪୩ ଡିଗ୍ରି ତଳକୁ ଖସୁନି। ଯେଉଁଥିପାଇଁ ଏବେଠାରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଲାଣି। କେଉଁ ବିଦ୍ୟାଳୟରେ ଉପସ୍ଥାନ ୬୦% ରହୁଛି ତ ଆଉ କେଉଁଠି ୫୦% ଟପୁଛି। ଘରୋଇ ବିଦ୍ୟାଳୟରେ ଉପସ୍ଥାନ ଗୋଟିଏ ପ୍ରକାର ଥିବା ବେଳେ ସରକାରୀ ବିଦ୍ୟାଳୟରେ ସ୍ଥିତି ଅଧିକ ସଙ୍ଗିନ। ମଧ୍ୟାହ୍ନଭୋଜନ ଖାଇବା ପାଇଁ ଯାହା କିଛି ପିଲା ବିଦ୍ୟାଳୟକୁ ଆସୁଛନ୍ତି। ନ ହେଲେ ନାହିଁ। ଗୋଟିଏ ଗୋଟିଏ କ୍ଲାସରେ ୫ରୁ କମ୍‌ ପିଲା ସ୍କୁଲ ଆସୁଥିବାର ଦୃଶ୍ୟ ସାମ୍ନାକୁ ଆସିଲାଣି। ଏଭଳି ସମୟରେ ସକାଳ ୬ଟାରୁ କୋମଳମତି ଶିଶୁ କିଭଳି ସ୍କୁଲ ଆସିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସବୁ ପିଲାଙ୍କ ଘର ପାଖରେ ସ୍କୁଲ ନାହିଁ। ସକାଳ ୬ଟାରେ ବିଦ୍ୟାଳୟ ଖୋଲୁଥିବାରୁ ପିଲାମାନଙ୍କୁ ପ୍ରସ୍ତୁତି ହେବାକୁ ଭୋର ସାଢ଼େ ୪ଟାରୁ ଉଠିବାକୁ ପଡ଼ିବ। ଏତେ ସକାଳୁ ଉଠି ନିତ୍ୟକର୍ମ ଶେଷ କରି ସ୍କୁଲ ବସ୍‌ ଧରିବା ମଧ୍ୟ କଷ୍ଟକର ହୋଇପଡ଼ିବ। ଏହାଦ୍ବାରା ଯେ କେବଳ ପିଲା ପ୍ରଭାବିତ ହେବ‌େ ତାହା ନୁହେଁ, ଅଭିଭାବକଙ୍କ ଉପରେ ବହୁ ପରିମାଣରେ ଚାପ ପଡ଼ିବ। ସକାଳ ୯ଟା ଭିତରେ ପିଲାଙ୍କୁ କିଭଳି ମଧ୍ୟାହ୍ନଭୋଜନ ଦିଆଯିବ ତାହାକୁ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି। ଏହାଦ୍ବାରା ପିଲାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଯଦି ଘରୋଇ ସ୍କୁଲ କ୍ଷେତ୍ରରେ ଏହି ନିୟମ ଲାଗୁ ହୁଏ ତେବେ ଗ୍ରୀଷ୍ମ ଛୁଟି ସମୟରେ ପିଲାଙ୍କୁ କ’ଣ ପଢ଼ାଇବେ ସେନେଇ ବି ସ୍ପଷ୍ଟ ଚିତ୍ର ପ୍ରକାଶ କରିବାକୁ ଦାବି ହୋଇଛି।

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି। ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ଉଚ୍ଚଶିକ୍ଷାନୁଷ୍ଠାନରେ ପିଲାଙ୍କ ପରୀକ୍ଷା ଘୁଞ୍ଚାଇ ଦିଆଯାଉଥିବା ବେଳେ ବିଦ୍ୟାଳୟସ୍ତରରେ ସରକାର ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସକାଳ ୬ଟାରେ ଛୋଟ ପିଲାମାନେ କିପରି ବିଦ୍ୟାଳୟକୁ ଆସିପାରିବେ। ଏହାବଦଳରେ ଶିକ୍ଷାଦାନ ସମୟକୁ ସକାଳ ୬.୩୦ରୁ ୯ଟା ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଉ। କରୋନା ଯୋଗୁଁ ବାଧାପ୍ରାପ୍ତ ଶିକ୍ଷାକୁ ମେ’ ପହିଲାରୁ ଜୁନ୍ ୬ ଅର୍ଥାତ୍ ମାତ୍ର ୩୫ ଦିନ ମଧ୍ୟରେ ରିକଭରି କରିବା ଆଦୌ ସଫଳ ହେବ ନାହିଁ। ସେହିପରି ବ୍ରିଜ କୋର୍ସ ତୃତୀୟ ପକ୍ଷ ଦ୍ୱାରା କରାଯିବାର କୌଣସି ଆବଶ୍ୟକତା ନାହିଁ। ୬ବର୍ଷ ଧରି ପ୍ରାଥମିକ ବିଦ୍ୟାଳୟରେ ସରକାର ଶିକ୍ଷକ ନିଯୁକ୍ତି କରି ନଥିବାରୁ ନିଜର ଭୁଲ୍‌କୁ ଲୁଚାଇବା ପାଇଁ ତୃତୀୟ ପକ୍ଷକୁ ଦାୟିତ୍ୱ ଦେଉଛନ୍ତି। ଯଦି ତୃତୀୟ ପକ୍ଷ ଦ୍ୱାରା ବ୍ରିଜ କୋର୍ସ ଶିକ୍ଷାଦାନର ତଦାରଖ କରାଯିବ ତେବେ ସିଆରସିସି, ବିଆରସିସି, ବିଇଓ, ଡିଇଓ ଓ ଗଣଶିକ୍ଷା ବିଭାଗର ଅନ୍ୟ ଅଧିକାରୀମାନେ କ’ଣ କରିବେ ବୋଲି ସଂଘ ପ୍ରଶ୍ନ କରିଛି। ଶିକ୍ଷାକୁ ଘରୋଇକରଣ କରିବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ୍ଷ ପ୍ରୋତ୍ସାହନ କରୁଥିବା ନେଇ ସଂଘର ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର