ଭୁବନେଶ୍ୱରର ଆକ୍ରାନ୍ତ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ: ବିଏମସି କହୁଛି ରାଜଧାନୀରେ ଆଜି ୩୮ କରୋନା ପଜିଟିଭ; ସେପଟେ ସ୍ୱାସ୍ଥ୍ୟ ବିଭାଗ ତାଲିକାରେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୭

ଭୁବନେଶ୍ୱର: ଭୁବନେଶ୍ୱର କରୋନା ଆକ୍ରାନ୍ତଙ୍କୁ ନେଇ  ଦ୍ୱନ୍ଦ୍ୱ ଦେଖାଦେଇଛି । ଭୁବନେଶ୍ୱର ମହାନଗର ନିଗମ ଓ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ମେଳ ଖାଉନଥିବାରୁ ଚିନ୍ତା ବଢୁଛି । ବିଏମସି କହୁଛି ରାଜଧାନୀରେ ଆଜି ୩୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତାଲିକାରେ ପୂରା ଖୋର୍ଦ୍ଧା ଜିଲ୍ଲାରୁ ଆଜି ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଉଲ୍ଲେଖ ରହିଛି । ଆଜି ଭୁବନେଶ୍ୱରରୁ ୩୮ କରୋନା ପଜିଟିଭ ଚିହ୍ନଟ ହୋଇଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ୨୬ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨ଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ରେ ପହଂଚିଛି । ସେହିପରି ୬ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି । ଆଜିର ୬ ଜଣ ସୁସ୍ଥକୁ ମିଶାଇ ମୋଟ ୩୧୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୧୭ ।

ଭୁବନେଶ୍ୱରରେ ଏଯାଏ ୮ ଜଣଙ୍କ ମୃତ୍ୟୁ ହୋଇଛି । ଚିହ୍ନଟ ହୋଇଥିବା ସ୍ଥାନୀୟ ଲୋକ ମଧ୍ୟରେ କଳିଙ୍ଗ ବିହାର, ପୋଖରୀପୁଟ, ନୟାପଲ୍ଲୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ୨ଜଣ ଚନ୍ଦ୍ରଶେଖରପୁର, ଗଙ୍ଗନଗର, ନୀଳାଦ୍ରି ବିହାରରୁ ୩ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଭିନ୍ନ ତଥ୍ୟ ଦେଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ଆଜି ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ପୁରା ଖୋର୍ଦ୍ଧା ଜିଲ୍ଲାରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତେବେ କେବଳ ଭୁବନେଶ୍ୱରରୁ କିଭଳି ୩୮ ପଜିଟିଭ ଆସିଲେ? ସ୍ୱାସ୍ଥ୍ୟ ବିଭାଗ ଓ ବିଏମସି ତଥ୍ୟ ମଧ୍ୟରେ ତାଳମେଳ ରହୁ ନଥିବାରୁ ପ୍ରକୃତରେ କେଉଁଟି ଠିକ ସେ ନେଇ ସନ୍ଦେହ ସୃଷ୍ଟି ହେଉଛି ।

ସେପଟେ, ରାଜଧାନୀରେ ଆରମ୍ଭ ହୋଇଛି ସେରୋଲୋଜିକାଲ ଟେଷ୍ଟ । ଟେଷ୍ଟ ପାଇଁ ୨୫ଟି ୱାର୍ଡ଼କୁ ଚିହ୍ନଟ କରାଯାଇଛି । ଆଜି ୫ରୁ ୬ଟି ସ୍ଥାନରେ ପରୀକ୍ଷା କରିବ ଭୁବନେଶ୍ୱର ମହାନଗର ନିଗମ । ପ୍ରଥମ ପଯ୍ୟାୟରେ ୨୫ଶହ ଲୋକଙ୍କ ନୁମନା ପରୀକ୍ଷା କରାଯିବ । ମୋଟ ୫ ହଜାର ନମୁନା ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱର ଆରଏମଆରସି ଓ ବିଏମସିର ମିଳିତ ସହଯୋଗରେ ଏହି ପରୀକ୍ଷା କରାଯାଉଛି । ନମୁନା ସଂଗ୍ରହ ବେଳେ ଗୁରୁତ୍ୱର ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିବା ରୋଗୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ ।

ସମ୍ବନ୍ଧିତ ଖବର