ପୁରୀ :‌ ଶିକ୍ଷା, ସେବା କ୍ଷେତ୍ରରେ ନିଜର ଉତ୍ସର୍ଗୀକୃତ ଓ ନିଃସ୍ବାର୍ଥପର କାମ ପାଇଁ ବିଶ୍ବ ଦରବାରରେ ଓଡ଼ିଶାକୁ ସ୍ବତନ୍ତ୍ର ସ୍ଥାନ ଦେବାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବଳିଷ୍ଠ ଅବଦାନ ଆଜି ବି ଇତିହାସରେ ଉଲ୍ଲେଖ ରହିଛି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ମଞ୍ଜି ବୁଣିବାରେ ସେ ଥିଲେ ଅନ୍ୟତମ ସାରଥୀ। ଆଜି ବି ପିଲାଟି ବେଳୁ ପାଠ୍ୟପୁସ୍ତକରେ ଗୋପବନ୍ଧୁଙ୍କ ଓଡ଼ିଆ ଜାତି ପ୍ରତି ଥିବା ବଳିଷ୍ଠ ଅବଦାନକୁ ମନେ ପକାଯାଉଛି। କିନ୍ତୁ ଗୋପବନ୍ଧୁଙ୍କ ଜନ୍ମମାଟି ପୁରୀ ଜିଲ୍ଲା ସତ୍ୟବାଦୀରେ ଏହାକୁ କଦର୍ଥ କରିବାକୁ କୁଚକ୍ରାନ୍ତ ଚାଲିଛି। ଗୋପବନ୍ଧୁଙ୍କ ସ୍ମୃତିକୁ ହଜାଇଦେବାକୁ ଅପଚେଷ୍ଟା କରାଯାଉଥିବା ଅଭିଯୋଗ ଉଠିଛି। ଯେଉଁ ବକୁଳ ବନ ବିଦ୍ୟାଳୟରୁ ଗୋପବନ୍ଧୁଙ୍କ ସହ ପଞ୍ଚସଖା ଶିକ୍ଷାର ନୂଆ ଦିଗନ୍ତ ଆରମ୍ଭ କରିଥିଲେ, ସେହି ବକୁଳ ବନ ବିଦ୍ୟାଳୟ ଆଜି ନିଜ ପରିଚୟ ଖୋଜୁଛି। ବକୁଳ ବନ ବିଦ୍ୟାଳୟ ଓ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟକୁ ନେଇ ଏଭଳି ଦ୍ବନ୍ଦ୍ବ ତିଆରି ହୋଇଥିବା ବେଳେ ଭବିଷ୍ୟତ ପିଢ଼ି ପାଇଁ ଏହା ଏକ ଭୁଲ୍‌ ତଥ୍ୟ ଦେବାକୁ ଯାଉଛି ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।

Advertisment

ବଦଳାଇ ଦେଲେ ଗୋପବନ୍ଧୁଙ୍କ ଇତିହାସ

publive-image

୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସତ୍ୟବାଦୀ ବ୍ଲକ୍‌ ସୁଆଣ୍ଡୋରେ ଜନ୍ମଗ୍ରହଣ କରିଥିଲେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ। ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ନେଇଥିଲେ ବି ସେ ନିଜ ଜୀବନକୁ ଦୁଃଖୀରଙ୍କିଙ୍କ ସେବାରେ ଉତ୍ସର୍ଗ କରି ଦେଇଥିଲେ। ବନ୍ୟା ବେଳେ ବନ୍ୟାଞ୍ଚଳରେ ରିଲିଫ୍‌ ବଣ୍ଟନ ହେଉ କି ମହାମାରୀ ସମୟରେ ସେବା, ଶୁଶ୍ରୁଷା, ସବୁଥିରେ ସେ ଅନ୍ୟମାନଙ୍କ ଆଦର୍ଶ ପାଲଟିଥିଲେ। ଲେଖନୀ ନିସୃତ ସଂଗ୍ରାମୀ ଲେଖାରେ ସେ ସ୍ବାଧୀନତା ସଂଗ୍ରାମର ବହ୍ନି ଜଳାଇଥିଲା। ବକୁଳ ବନରେ ମାଗଣା ଶିକ୍ଷାଦାନ ଏକ ନୂଆ ପରିଚୟ ସୃ‌ଷ୍ଟି କରିଥିଲା। ଏଥିପାଇଁ ଗୋପବନ୍ଧୁ ବକୁଳ ବନକୁ ଲାଗି ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରି ଶିକ୍ଷାକୁ ସୁଦୂରପ୍ରସାରୀ କରିଥିଲେ। ପଞ୍ଚସଖା ନୀଳକଣ୍ଠ ଦାଶ, କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର, ଗୋଦାବରୀଶ ମିଶ୍ରଙ୍କ ସହ ମିଶି ବକୁଳ ବନ ବିଦ୍ୟାଳୟକୁ ମହାଦ୍ରୁମରେ ପରିଣତ କରିଥିଲେ। କିନ୍ତୁ କାଳଚକ୍ରରେ ଗୋପବନ୍ଧୁଙ୍କ ଏହି ସ୍ମୃତିକୁ ଇତିହାସରୁ ହଜାଇ ଦେବାକୁ ଏକ ଷଡ଼୍‌ଯନ୍ତ୍ର ଚାଲିଥିବା ସାଂଘାତିକ ଅଭିଯୋଗ ହୋଇଛି।

ଅତୀତରେ ଗୋପବନ୍ଧୁ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଓ ଏହିଠାରେ ପିଲାଙ୍କୁ ମାଗଣା ଶିକ୍ଷାଦାନ କରୁଥିଲେ। ବକୁଳ ବନ ବିଦ୍ୟାଳୟ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ବୋଲି ଇତିହାସ ଆଜି ବି ପ୍ରମାଣିତ କରୁଛି। କିନ୍ତୁ ଯେଉଁ ଜାଗାରେ ବକୁଳ ବନ ବିଦ୍ୟାଳୟର ସ୍ମାରକୀ ରହିଛି, ସେହି ଜାଗାରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ମୁଣ୍ଡ ଟେକିଛି। ବକୁଳ ବନ ବିଦ୍ୟାଳୟ ସ୍ମାରକୀରେ ଏହାର ପ୍ରତିଷ୍ଠାତା ଗୋପବନ୍ଧୁ ବୋଲି ଉଲ୍ଲେଖ ରହିଥିବାବେଳେ ପ୍ରତିଷ୍ଠା ତାରିଖ ଓ ବର୍ଷ ୧୯୦୯ ମସିହା ଅଗଷ୍ଟ ୧୨ ବୋଲି ଲେଖାଯାଇଛି। ସମାନ କଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଫଳକରେ ଉଲ୍ଲେଖ ରହିଛି। ଗୋପବନ୍ଧୁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଓ ଏହାର ପ୍ରତିଷ୍ଠା ବର୍ଷ ଓ ତାରିଖ ୧୯୦୯ ମସିହା ଅଗଷ୍ଟ ୧୨ ବୋଲି ଉଲ୍ଲେଖ ରହିଛି। ଫଳରେ ୧୧୪ ବର୍ଷର ବକୁଳ ବନ ବିଦ୍ୟାଳୟକୁ ନେଇ ସାଧାରଣରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ପ୍ରକୃତରେ କେଉଁ ବିଦ୍ୟାଳୟକୁ ଗୋପବନ୍ଧୁ ପ୍ରତିଷ୍ଠା କରିଥିଲେ, ତାହା ସାଧାରଣରେ ବଡ଼ ପ୍ରଶ୍ନ ଠିଆ କରିଛି।

publive-image

ଯଦି ଏବେଠୁ ଏହାକୁ ସଂଶୋଧନ କରାନଯାଏ, ଆଗାମୀ ପିଢ଼ି ଗୋପବନ୍ଧୁଙ୍କ ସ୍ମୃତିକୁ ଭୁଲ ଭାବେ ଦର୍ଶାଇବେ ବୋଲି ଅଭିଯୋଗ ହୋଇଛି। କାରଣ ବକୁଳ ବନ ବିଦ୍ୟାଳୟକୁ ଯେଉଁଭଳି ରକ୍ଷଣାବେକ୍ଷଣ କରାଯିବା କଥା, ତାହା କରାଯାଉନାହିଁ। ଜିଲ୍ଲା ପ୍ରଶାସନ ବି ଏହାକୁ ଗୁରୁତ୍ବର ସହ ନେଉନି। ପ୍ରକୃତ ବକୁଳ ବନ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ କୋଣଠେସା କରି ରଖାଯାଇଛି। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଭଗ୍ନ ଅବସ୍ଥାରେ ଏହି ବିଦ୍ୟାଳୟ ପଡ଼ିରହିଛି। ଯଦି ଏହା ସମ୍ପୂର୍ଣ୍ଣ ଭାଙ୍ଗିଯାଏ, ତେବେ ବକୁଳ ବନ ବିଦ୍ୟାଳୟର ସ୍ମୃତି ଓ ସ୍ଥିତି ଏହା ସହ ହଜିଯିବ। ଏଣୁ ସୁଆଣ୍ଡୋ ବିକାଶ, ଓଡ଼ିଆ ବିଶ୍ବବିଦ୍ୟାଳୟ ସହ ବକୁଳ ବନ ବିଦ୍ୟାଳୟର ସ୍ଥିତି ସତେଜ କରଇବା ଏ ଦିଗ ପ୍ରତି ଦୃଷ୍ଟି ଦେବାଆବଶ୍ୟକ ହୋଇପଡ଼ିଛି। ଏ ସମ୍ପର୍କରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମାନସ ରଂଜନ ପଟ୍ଟନାୟକ କହିଛନ୍ତି, ବକୁଳ ବନ ବିଦ୍ୟାଳୟ ଓ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଗୋପବନ୍ଧୁ ଏବଂ ପ୍ରତିଷ୍ଠା ବର୍ଷ ଓ ତାରିଖ ବି ସମାନ। କିନ୍ତୁ କିଏ ବିଦ୍ୟାଳୟର ଏଭଳି ନାମକରଣ ଓ ବର୍ଷ ଉଲ୍ଲେଖ କରିଛି, ତାହା ସ୍ପଷ୍ଟ କହିପାରିବି ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।