ଭୁବନେଶ୍ବର: ବିଜୁ ଜନତା ଦଳର ଏକ ପ୍ରମୁଖ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ)ରେ ଚିକିତ୍ସା ମିଳିବ ନା ନାହିଁ ତାହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। ବିଏସ୍କେୱାଇ କାର୍ଡ ବନ୍ଦ ହୋଇଯାଇଥିବା କହି କେତେକ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହେଉଛି। ସାମାଜିକ ଗଣମାଧ୍ୟମରେ ହସ୍ପିଟାଲମାନେ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗକୁ ନେଇ ଲୋକମାନେ ସମାଲୋଚନା କରିଛନ୍ତି। ଏପରି ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଏହି ସ୍ବାସ୍ଥ୍ୟ କାର୍ଡକୁ ନେଇ ଦେଇଥିବା ବୟାନ ଦ୍ବନ୍ଦ୍ବକୁ ଆହୁରି ବଢ଼ାଇ ଦେଇଥିଲା। ମନମୋହନ କହିଥିଲେ, ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ସହ ବାହାରେ ଥିବା ଦେଢ଼ କୋଟି ଓଡ଼ିଆଙ୍କ ପାଇଁ ମଧ୍ୟ ଏହି ଯୋଜନା ଲାଗୁ ହେବ। ବିଏସ୍କେୱାଇରେ ସୀମିତ ସୁବିଧା ରହିଛି ଓ ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ ବୋଲି କହିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଶ୍ରୀ ସାମଲ ଏକ ପ୍ରେସ ବାର୍ତ୍ତା ଜରିଆରେ ଏହି ଦ୍ବନ୍ଦକୁ ହଟାଇଛନ୍ତି।
ଶ୍ରୀ ସାମଲ କହିଛନ୍ତି, ସାଧାରଣ ନିର୍ବାଚନର ଗତକାଲି ଫଳାଫଳ ପ୍ରକାଶ ପାଇବା ପରେ ବିଏସକେୱାଇକୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି। ରାଜ୍ୟର କିଛି ଘରୋଇ ହସ୍ପିଟାଲଗୁଡ଼ିକ ବିଏସକେୱାଇ କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନ ଦେଇ ରୋଗୀମାନଙ୍କୁ ଫେରାଇ ଦେଉଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟରେ ଅଭିଯୋଗ ଆସୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରୋଗୀ ଓ ରୋଗର କୌଣସି ଜାତି, ଧର୍ମ ଓ ଦଳ ନାହିଁ। ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା। ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। ଏହି ଆଳରେ ଲୋକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଞ୍ଚିତ ରଖାଯିବା ହେଉଛି ଏକ ସାମାଜିକ ଓ ବୈଧାନିକ ଅପରାଧ। ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି ରୋଗୀମାନଙ୍କୁ ଉପଯୁକ୍ତ ଓ ଉନ୍ନତ ମାନର ସେବା ରାଜ୍ୟବାସୀଙ୍କୁ ଯୋଗାଇ ଦେବା ସହ ପ୍ରଶାସନ ଏଭଳି ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ସେ କହିଛନ୍ତି।