ଟମାଟୋ ଫ୍ଲୁକୁ ନେଇ ଦ୍ୱନ୍ଦ୍ୱ, ଲାନ୍‌ସେଟ୍‌ ପତ୍ରିକା ରିପୋର୍ଟକୁ ନେଇ ବିତର୍କ

ଭୁବନେଶ୍ବର : ଓଡ଼ିଶାରେ ଚିହ୍ନଟ ହୋଇଛି ଟମାଟୋ ଫ୍ଲୁ। ପ୍ରସିଦ୍ଧ ବିଜ୍ଞାନ ପତ୍ରିକା ଲାନ୍‌ସେଟ୍‌ରେ ଓଡ଼ିଶା ସମେତ ୩ଟି ରାଜ୍ୟରେ ଟମାଟୋ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଛି। ଓଡ଼ିଶାରେ ୧-୯ବର୍ଷର ୨୬ଜଣ ଶିଶୁ ଏଥିରେ ଆକ୍ରାନ୍ତ ହୋଇଥିବା ଆରଏମ୍‌ଆରସି ପକ୍ଷରୁ ସ୍ପଷ୍ଟ କରାଯାଇଥିବା ପତ୍ରିକା ଦର୍ଶାଇଛି। ଓଡ଼ିଶାକୁ ବାଦ୍ ଦେଲେ କେରଳ, ତାମିଲନାଡ଼ୁରେ ମଧ୍ୟ ଟମାଟୋ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏହା ଟମାଟୋ ଫ୍ଲୁ ନୁହେଁ ବୋଲି କହୁଛି। ଏହା ହ୍ୟାଣ୍ଡ ଫୁଟ୍‌ ମାଉଥ ଡିଜିଜ୍ ବା ଏଚ୍‌ଏଫ୍‌ଏମ୍‌ଡି ରୋଗ। ତେବେ ଏଚ୍‌ଏଫ୍‌ଏମ୍‌ଡିରେ ଆକ୍ରାନ୍ତ ପିଲାଙ୍କ ଶରୀରରେ ସୃଷ୍ଟି ହେଉଥିବା ଫୋଟକା ନାଲି ରଂଗର ହେଉଥିବାରୁ ଏହାକୁ ଟମାଟୋ ଫ୍ଲୁ ବୋଲି ବିଭ୍ରାନ୍ତ କରାଯାଉଥିବା ଅଧିକାରୀମାନେ ମତ ଦେଉଛନ୍ତି।
ଲାନ୍‌ସେଟ୍‌ରେ କୁହାଯାଇଛି ଯେ ଟମାଟୋ ଫ୍ଲୁର ଲକ୍ଷଣ ପ୍ରାୟତଃ କୋଭିଡ ଭଳି। ଏଥିରେ ଜ୍ବର ହେବା ସହିତ ହାଲିଆ ଲାଗିବା, ଗଣ୍ଠିରେ ଯନ୍ତ୍ରଣା ଓ ଦେହ ହାତ କୁଣ୍ଡାଇହେବା ଭଳି ଲକ୍ଷଣ ଦେଖାଯାଉଛି। ଟମାଟୋ ଫ୍ଲୁ ହେଉଛି ଏଚ୍‌ଏଫ୍‌ଏମ୍‌ଡିର ଏକପ୍ରକାର ନୂଆ ପ୍ରଜାତି। ୧-୫ବର୍ଷର ଶିଶୁଙ୍କଠାରେ ଏହା ଅଧିକ ଦେଖିବାକୁ ମିଳୁଛି। ଏପରିକି ଯେଉଁ ବୟସ୍କମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍, ସେମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। ଯେହେତୁ ଟମାଟୋ ଫ୍ଲୁ ପାଇଁ ନିର୍ଦ୍ଦିଷ୍ଟଭାବେ କୌଣସି ଔଷଧ ବାହାରି ନାହିଁ, ତେଣୁ ଆକ୍ରାନ୍ତଙ୍କୁ ୫-୭ଦିନ ପାଇଁ ପୃଥକବାସରେ ରଖିବା ଜରୁରୀ। ପିଲା ରହୁଥିବା ସ୍ଥାନ/ଅଞ୍ଚଳରେ ସ୍ବଚ୍ଛତା ରଖିବା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି।

ଲାନ୍‌ସେଟ୍‌କୁ ସ୍ପଷ୍ଟୀକରଣ ମଗାଯାଇଛି : ଆରଏମ୍‌ଆରସି ନିର୍ଦେଶିକା
ରାଜ୍ୟରେ ଚିହ୍ନଟ ହେଲେଣି ୭୩ ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତ

ତେବେ ପ୍ରକୃତରେ ଏହା ଏଚ୍‌ଏଫ୍‌ଏମ୍‌ଡି ନା ଟମାଟୋ ଫ୍ଲୁ ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ଯେ ଦେଶରେ ଟମାଟୋ ଫ୍ଲୁକୁ ନେଇ ଚର୍ଚା ହେବା ପରେ ବିଶେଷଜ୍ଞମାନଙ୍କୁ ନେଇ ବିଭାଗ ପକ୍ଷରୁ ଏକ ସମ୍ମିଳନୀ କରାଯାଇଥିଲା। ବିଶେଷଜ୍ଞମାନେ ଏହାକୁ ଏଚ୍‌ଏଫ୍‌ଏମ୍‌ଡି ବୋଲି ସ୍ପଷ୍ଟ କରିଥିଲେ। ପୂର୍ବରୁ ମଧ୍ୟ ରାଜ୍ୟରେ ଏଚ୍‌ଏଫ୍‌ଏମ୍‌ଡିରେ ଆକ୍ରାନ୍ତ ଶିଶୁଙ୍କୁ ଚିହ୍ନଟ କରାଯାଇଛି। ତେଣୁ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଜିଲ୍ଲାସ୍ତରରେ ଯେଉଁଠି ଏଚ୍‌ଏଫ୍‌ଏମ୍‌ଡି ସନ୍ଦିଗ୍ଧ ଶିଶୁ ଚିହ୍ନଟ ହେଉଛନ୍ତି ତାଙ୍କର ନମୁନା ଆରଏମ୍‌ଆରସିକୁ ପଠାଇବାକୁ ନିର୍ଦେଶ ଦିଆଯାଇଛି। ମାତ୍ର କେଉଁ ପରିସ୍ଥିତିରେ ଲାନ୍‌ସେଟ୍‌ ପତ୍ରିକା ଓଡ଼ିଶାରେ ଏଚ୍‌ଏଫ୍‌ଏମ୍‌ଡିକୁ ଟମାଟୋ ଫ୍ଲୁ ବୋଲି ଦର୍ଶାଇଲା, ତାହା ଆଲୋଚନାର ବିଷୟ ବୋଲି ଡା.ମିଶ୍ର କହିଛନ୍ତି।

ଆରଏମ୍‌ଆରସି ନିର୍ଦେଶିକା ଡା. ସଂଘମିତ୍ରା ପତି କହିଛନ୍ତି ଯେ ଏହା ଟମାଟୋ ଫ୍ଲୁ ନୁହେଁ, ବରଂ ଏଚ୍‌ଏଫ୍‌ଏମ୍‌ଡି। ଟମାଟୋ ଫ୍ଲୁକୁ ନେଇ ବିତର୍କ ପରେ ଆରଏମ୍‌ଆରସିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ନମୁନାର ଜିନ୍ ଅନୁଶୀଳନ କରାଯାଇଥିଲା। ଏଥିରେ ଏଚ୍‌ଏଫ୍‌ଏମ୍‌ଡି ବୋଲି ସ୍ପଷ୍ଟ ହୋଇଥିଲା। ରାଜ୍ୟ ସରକାରଙ୍କୁ ମଧ୍ୟ ଏହି ସୂଚନା ଦିଆଯାଇଛି। ଗତ ମେ ମାସ ସୁଦ୍ଧା ରାଜ୍ୟରେ ୨୬ଜଣ ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟାକୁ ଲାନ୍‌ସେଟ୍‌ ପ୍ରକାଶ କରିଛି। ମାତ୍ର ଏହି ସଂଖ୍ୟା ଏବେ ୭୦ ଟପିଲାଣି। ମାତ୍ର ଲାନ୍‌ସେଟ୍‌ ପତ୍ରିକା ଏହାକୁ ଟମାଟୋ ଫ୍ଲୁ ବୋଲି ଦର୍ଶାଇବା ଆଶ୍ଚର୍ଯ୍ୟ କରିଛି। ଏଥିପାଇଁ ଲାନ୍‌ସେଟ୍‌ ପତ୍ରିକାକୁ ସ୍ପଷ୍ଟୀକରଣ ମଗାଯାଇଛି। ପତ୍ରିକା ପକ୍ଷରୁ ବର୍ତମାନସୁଦ୍ଧା କୌଣସି ଉତ୍ତର ଆସି ନ ଥିବା ଡା.ପତି କହିଛନ୍ତି।

ଅପରପକ୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତଙ୍କୁ ଚିହ୍ନଟ କରାଗଲାଣି। କିଛିଦିନ ପୂର୍ବରୁ ଆରଏମ୍‌ଆରସିକୁ ୨୧୩ଟି ସନ୍ଦିଗ୍ଧ ନମୁନା ପଠାଯାଇଥିଲା। ତହିଁରୁ ୭୩ଜଣ ଏଥିରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ତେବେ ବର୍ତମାନସୁଦ୍ଧା କେତୋଟି ଜିଲ୍ଲାରେ ଏଚ୍‌ଏଫ୍‌ଏମ୍‌ଡି ବ୍ୟାପିଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର