ବାତ୍ୟାକୁ ନେଇ ଦ୍ୱନ୍ଦ୍ୱ, ଆଶଙ୍କା କମିଲା; ଦଶହରା ଧୋଇଗଲା, ଦୀପାବଳିରେ ବି ବର୍ଷିବ

ବ୍ରହ୍ମପୁର : ଠିକ୍‌ ଦୀପାବଳି ଓ ସୂର୍ଯ୍ୟୋପରାଗ ସାଙ୍ଗକୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲାବାସୀଙ୍କୁ ପୁଣିଥରେ ଚିନ୍ତା ଘାରିଥିଲା। ବର୍ଷାରେ ଦଶହରା ଭିଜିଥିଲା। ଦୀପାବଳିରେ ବାତ୍ୟାକୁ ନେଇ ଜିଲ୍ଲାବାସୀ ନାନା ଦ୍ୱନ୍ଦ୍ୱ ଓ ଆଶଙ୍କାରେ ରହିଥିଲେ। କିନ୍ତୁ ପାଣିପାଗ ବିଭାଗର ରିପୋର୍ଟ ପରେ ଜିଲ୍ଲାବାସୀ ଆଶ୍ବସ୍ତ। ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ନାହିଁ। ଓଡ଼ିଶା ଉପକୂଳ କଡ଼େ କଡ଼େ ବାତ୍ୟା ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଅନୁମାନ ଲଗାଇଛି। ଏହାର ପ୍ରଭାବରେ ୨୩ ଓ ୨୪ତାରିଖରେ ଓଡ଼ିଶାର କିଛି ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଉପକୂଳବର୍ତ୍ତୀ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିପାରେ। ଏଣୁ ଦୀପାବଳିରେ ବର୍ଷା ହେବ ବୋଲି ଅନୁମାନ କରାଯାଉଛି।

ବାତ୍ୟା କଥା ଉଠିଲେ ଗଞ୍ଜାମ ଜିଲ୍ଲାବାସୀଙ୍କ ଛାତି ଥରି ଉଠିଥାଏ। ୧୯୯୯ ମହାବାତ୍ୟା ପରେ ୨୦୧୩ରେ ହୋଇଥିବା ଫାଇଲିନ୍‌ ବାତ୍ୟାରେ ଗଞ୍ଜାମ ଜିଲ୍ଲା ଛାରଖାର୍‌ ହୋଇ ଯାଇଥିଲା। ଏହାପରେ ୨୦୧୪ ରେ ହୁଡ୍‌ହୁଡ୍‌ ବାତ୍ୟାର ସମ୍ମୁଖୀନ ହୋଇଥିଲେ ଗଞ୍ଜାମବାସୀ। ଏହା ପରଠୁ ପ୍ରତିବର୍ଷ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଗଞ୍ଜାମ ଜିଲ୍ଲା। ୨୦୧୮ ଅକ୍ଟୋବର ମାସରେ ତିତ୍‌ଲି ପରେ ୨୦୧୯ ମେ’ ମାସରେ ଫନି ବାତ୍ୟା ଗ˚ଜାମ ସମେତ ପୁରୀ, ଭୁବନେଶ୍ବର ଏବଂ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳକୁ ପ୍ରଭାବିତ କରିଥିଲା। ୨୦୨୦ ମେ’ ମାସରେ ଅମ୍ଫାନ୍‌ ଓ ୨୦୨୧ରେ ୟାସ୍‌ ବାତ୍ୟା ସେଭଳି କୌଣସି କ୍ଷୟକ୍ଷତି ଘଟାଇ ନଥିଲା। ହୁଡ୍‌ହୁଡ୍‌ ଓ ତିତ୍‌ଲି ପରେ ଅନ୍ୟ ସବୁ ବାତ୍ୟାରେ ସେତେଟା କ୍ଷୟକ୍ଷତି ଘଟି ନାହିଁ। ତଥାପି ବାତ୍ୟା ନାଁ ଶୁଣିଲେ ଜିଲ୍ଲାବାସୀଙ୍କ ମନରେ ଛନକା ପଶିଯାଏ। ବିଶେଷ କରି ପାର୍ବଣ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଅଧିକ ଦୁଃଖ ଆଣିଥାଏ। ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଖଲ୍ଲିକୋଟ, ଗଞ୍ଜାମ, ଛତ୍ରପୁର, ରଂଗେଇଲୁଣ୍ଡା ଓ ଚିକିଟି ବ୍ଲକ୍‌ ପ୍ରତି ବାତ୍ୟା ବିପଦ ଅଧିକ ରହିଥାଏ। ଏଣୁ ସମୁଦ୍ରକୁ ଲାଗି ରହିଥିବା ଗ୍ରାମବାସୀଙ୍କୁ ପ୍ରଶାସନ ତରଫରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରା ଯାଇଥାଏ। ପ୍ରଶାସନର ତତ୍ପରତା ଯୋଗୁଁ ଲୋକଙ୍କ ଧନଜୀବନ ସୁରକ୍ଷା ହୋଇପାରୁଛି। ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ଉପକୂଳ ପ୍ରତି ସେତେଟା ବିପଦ ନଥିବା ପାଣିପାଗ ବିଭାଗ କହୁଛି। ତଥାପି ୨୩ ତାରିଖରେ ବର୍ଷାର ପରିମାଣ କେତେ ରହୁଛି ତାହା ଦେଖିବାକୁ ରହିଲା।

ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ୧୦୪ଟି ଆଶ୍ରୟସ୍ଥଳୀ ରହିଛି। ତନ୍ମଧ୍ୟରୁ ୭୩ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ୩୧ଟି ବନ୍ୟା ଆଶ୍ରୟସ୍ଥଳୀ ରହିଛି। ବାତ୍ୟା ପାଇଁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୨୨ତାରିଖରୁ ସମୁଦ୍ର ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ୨୧ତାରିଖ ରାତି ସୁଦ୍ଧା ଫେରି ଆସିବା ପାଇଁ ଗୋପଳପୁର ପାଣିପାଗ ବିଭାଗ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି।

ସମ୍ବନ୍ଧିତ ଖବର