ଯାଜପୁର: ଯାଜପୁର ବିଜେଡି ଶିବିର ପୁଣି ହଲଚଲ ହୋଇଛି। ବଡ଼ଚଣା ବିଧାୟକ ଅମର ଶତପଥୀ ଦଳର ପ୍ରାଥମିକ ସଦସ୍ୟ ନଥିବା କହି ଦଳକୁ ବାଏ ବାଏ କରିବା ପରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡି ଛାଡ଼ିଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଏ ସମ୍ପର୍କରେ ସୁନନ୍ଦା କହିଛନ୍ତି, ସେ ଦଳରେ ଅଲୋଡ଼ା ଥିଲେ। ତାଙ୍କୁ ସବୁବେଳେ ଅଣଦେଖା କରାଯାଉଥିଲା। ଗତ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରାଗଲା ନାହିଁ। ଏପରିକି ୫ମାସ ହେଲା ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉନଥିଲା। ସ୍ବାଧୀନତା ସଂଗ୍ରାମୀଙ୍କ ମାଟି ବରୀ ଅଞ୍ଚଳବାସୀଙ୍କର ସୁଖଦୁଃଖରେ ସାମିଲ ହୋଇ ସେ ପୂର୍ବଭଳି ସେମାନଙ୍କର ସେବା କରିବେ। ସେମାନଙ୍କ ସ୍ବର ହୋଇ ରହିବେ ବୋଲି କହିଛନ୍ତି। ତେବେ ସେ କେଉଁ ଦଳକୁ ଯିବେ କି ବୋଲି ପଚାରିବାରେ ଏନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଦୁଇଦିନ ମଧ୍ୟରେ ସେ ତାଙ୍କ ନିଷ୍ପତ୍ତି ସ୍ପଷ୍ଟ କରିବେ ବୋଲି କହିଛନ୍ତି।
ଗତ ନିର୍ବାଚନରେ ଶ୍ରୀମତୀ ଦାସଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇନଥିଲା। ମାତ୍ର ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସଙ୍କୁ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ପଦବିରେ ଅବସ୍ଥାପିତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଦ୍ବନ୍ଦ୍ବିତା କରୁଥିବା କଣ୍ଟାବାଞ୍ଜି ଆସନରେ ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ସୂଚନା ଯୋଗ୍ୟ, ଶ୍ରୀମତୀ ଦାସ ୨୦୧୯ରେ ବରୀରୁ ବିଜେଡି ପ୍ରାର୍ଥୀ ହୋଇ ବିଧାୟକ ନିର୍ବାଚିତ ହୋଇଥିଲେ। ମାତ୍ର ଗତ ନିର୍ବାଚନରେ ଦଳ ତାଙ୍କୁ ଟିକଟ ଦେଇନଥିଲା। ସୁନନ୍ଦା ଦଳ ଛାଡ଼ିବା ଘଟଣା ପରେ ଆହୁରି ଅନେକ ଅସନ୍ତୁଷ୍ଟ ନେତା ଦଳ ପ୍ରତି ବିମୁଖ ଥିବା ଚର୍ଚ୍ଚା ହେଉଛି। କୋରେଇର ପୂର୍ବତନ ବିଧାୟକ ଅଶୋକ କୁମାର ବଳଙ୍କୁ ନେଇ ଏବେ ଚର୍ଚ୍ଚା ବଢ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/30/UdSm9YkXBflpTAAlj3RI.jpg)