ମଶାଣିରୁ ଅସ୍ଥି ସଂଗ୍ରହରେ ଦ୍ୱନ୍ଦ୍ୱ, ଗୋଟିଏ ଜୁଇରେ ଜଳୁଛି ଏକାଧିକ ଶବ

ବଲାଙ୍ଗୀର : ପୁଣି ଚର୍ଚ୍ଚାରେ ବଲାଙ୍ଗୀର କୋଭିଡ ମଶାଣିର କଳାକାହାଣୀ। ଦରପୋଡ଼ା ଶବକୁ ନେଇ ଚର୍ଚ୍ଚା ହୋଇଥିବା ମଶାଣିରେ ଏବେ ଗୋଟିଏ ଜୁଇରେ ଜଳୁଛି ଏକାଧିକ ଶବ। ଯାହାକୁ ନେଇ ସାମ୍ନାକୁ ଆସିଲାଣି ସାଙ୍ଘାତିକ ଚିତ୍ର। ମଶାଣିରେ ଦାହସତ୍କାର ଯେକେହିବି ଦେଖିବ କହିବ ଶବକୁ ଏ କି ସମ୍ମାନ? ଏପରିକି ଗୋଟିଏ ଜୁଇରେ ଏକାଧିକ ଶବ ପୋଡ଼ାଯାଉଥିବାରୁ ନିଜ ଲୋକଙ୍କ ଅସ୍ଥି ସଂଗ୍ରହରେ ବନ୍ଧୁ ସଂପର୍କୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୃତକଙ୍କ ପରିବାର ଲୋକ ଓ ସଂପର୍କୀୟ ଠିକ ଭାବେ ନିଜ ଲୋକଙ୍କ ଅସ୍ଥି ନପାଇ ଦୁଃଖରେ ଭାଙ୍ଗିପଡୁଛନ୍ତି। ଗଣମାଧ୍ୟମରେ ବି ଖୋଲାଖୋଲି ଅବ୍ୟବସ୍ଥାକୁ ନେଇ ଅଭିଯୋଗ କରୁଛନ୍ତି।

ବଲଙ୍ଗୀର ସହର ଉପକଣ୍ଠ ବିଜାଖମନଠାରେ କୋଭିଡ ଶ୍ମଶାନ କରାଯାଇଛି। ପ୍ରତ୍ୟହ ସେଠାକୁ ଶବ ଧରି ସରକାରୀ ଆମ୍ବୁଲାନ୍ସ ପହଞ୍ଚିଥାଏ। ଅଧିକାରୀଙ୍କ ଉପସ୍ଥିତିରେ ଦାହସତ୍କାର କରାଯାଏ। ଦାହ ସଂସ୍କାର ସମୟରେ ପରିବାରର ଜଣକୁ ପିପିଇ ଡ୍ରେସ୍‌ ପିନ୍ଧାଇ କିଛି ସମୟ ପାଇଁ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଉଛି। କିନ୍ତୁ ଉଦବେଗର ବିଷୟ ଯେ ଶ୍ମଶାନରେ ଗଦା ହୋଇଥିବା କାଠ ଉପରେ ଧାଡ଼ି କରି କଳା ପଲିଥିନ ଘୋଡ଼ା ଶବକୁ ରଖିଦିଆଯାଉଛି। ତାପରେ ପୋଡ଼ାଯାଉଛି। ଏମିତିରେ କଳା ପଲିଥିନ ଯୋଗୁଁ କାହାର କେଉଁଟା ଶବ ଚିହ୍ନିବା ମୁସ୍କିଲ। ଅବଶ୍ୟ ପଲିଥିନ ଉପରେ ନାଁ ଉଲ୍ଲେଖ ରହୁଥିବାରୁ ଜଣାପଡୁଛି। ତେବେ ଶବସତ୍କାର ପରେ ସଂସ୍କାର କାର୍ଯ୍ୟକ୍ରମ ପାଇଁ ଅସ୍ଥି ସଂଗ୍ରହକୁ ନେଇ ସଂର୍ପକୀୟ ନାନା ଅଭିଯୋଗ ଉଠାଇଛନ୍ତି। ରୋଗୀ ସଂପର୍କୀୟଙ୍କ କହିବା ହେଲା, କେମିତି ଜାଣିବୁ କୋଉ ଅସ୍ଥି ଆମ ନିଜ ଲୋକଙ୍କ? କାରଣ ଆବହମାନକାଳରୁ ଦେଖିଥିଲୁ ଗୋଟିଏ ଜୁଇରେ ଗୋଟିଏ ଶବ ପୋଡ଼ାଯାଏ। କିନ୍ତୁ ଏଠାରେ ଗୋଟିଏ ଜୁଇରେ ଅନେକ ଶବ ଜଳୁଛି। ତେଣୁ ଶବ ପୋଡ଼ିଲା ପରେ ମିଶିଯାଉଛି ହାଡ଼ ଓ ପାଉଁଶ। ଆଉ ତା ପରଦିନ ଅସ୍ଥି ସଂଗ୍ରହରେ ଓଲଟପାଲଟ ହେଉଛି। କିଏ କାହାର ଅସ୍ଥି ନେଉଛନ୍ତି ତାହା ଠିକରେ କେହି ଜାଣୁନାହାନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ କିଛିଦିନ ଆଗରୁ ବିଜାଖମନରେ ଦରପୋଡ଼ା ଶବକୁ ନେଇ ଗଣମାଧ୍ୟମରେ ଖବର ହୋଇଥିଲା। ଖବର ପରେ ପରେ ପ୍ରାଶାସନିକ ତଦନ୍ତ ହୋଇଥିଲା। କିନ୍ତୁ ତଦନ୍ତ ପୂର୍ବରୁ ଦରପୋଡ଼ା ଶବକୁ ଜେସିବିରେ ସଫା କରି ଶ୍ମାଶାନ ନିକଟରେ ଗଦା କରିଦିଆଯାଇଥିଲା। ଏପରିକି ଶ୍ମଶାନରେ ଗଦା ହୋଇଥିବା ଦରପୋଡ଼ା ଶବରୁ ମଣିଷ ଖପୁରି ଧରି କୁକୁର ବୁଲିବାର ଦୃଶ୍ୟ ମୋବାଇଲରେ କଏଦ କରି ଭାଇରାଲ କରିଥିଲେ ମୃତକଙ୍କ ସଂପର୍କୀୟ। ଏହାପରେ ଶ୍ମଶାନରେ ମୃତକଙ୍କ ସଂର୍ପକୀୟଙ୍କ ପାଇଁ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ମୂଳ ସମସ୍ୟା ଏ ପର୍ଯ୍ୟନ୍ତ ସୁଧୁରି ନାହିଁ। ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର ଶବର ସମ୍ମାନହାନି ବାରବାର ହେଉଥିବାରୁ ଏହା ଏକ ଆଇନଗତ ସମସ୍ୟା ଓ ମାନବିକତା ଅଧିକାର ଉଲ୍ଲଘଂନ ବୋଲି ମତ ରଖିଛନ୍ତି। ଶ୍ମଶାନରେ ଦାୟିତ୍ୱରେ ଥିବା ଅଧିକାରୀ ଗାଇଡଲାଇନ ଅନୁସାରେ ଶବସତ୍କାର କରାଯାଉଛି ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର