ଫକୀରମୋହନଙ୍କ ଜୟନ୍ତୀ ପାଳନ ନେଇ ଘନେଇଲା ଦ୍ୱନ୍ଦ୍ୱ, ଏକାଡେମି ବଦଳରେ ଏଥର ମ୍ୟୁଜିୟମକୁ ଦାୟିତ୍ବ କାହିଁକି?

ଭୁବନେଶ୍ବର : ପ୍ରତିବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମି ପାଳନ କରେ ବ୍ୟାସକବି ଫକୀର ମୋହନ ଜୟନ୍ତୀ। ଚଳିତ ବର୍ଷ ମଧ୍ୟ ପାଳିତ ହେଲା। କରୋନା କଟକଣା‌ ଓ ସଚେତନତା ଦୃଷ୍ଟିରୁ ଚଳିତ ବର୍ଷ ସାହିତ୍ୟ ଏକାଡେମି ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଫକୀର ମୋହନଙ୍କ ଜୟନ୍ତୀ ପାଳିଲା। କିନ୍ତୁ ଏହାର ବିପରୀତରେ ରାଜ୍ୟ ସଂଗ୍ରହାଳୟ, ସଂଗ୍ରହାଳୟର ମୁକ୍ତ ଉଦ୍ୟାନରେ ଏକ ସମାରୋହର ଆୟୋଜନ କଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଏଥିରେ ମୁଖ୍ୟ ଅତିଥି ଭାବେ ଯୋ‌ଗ ଦେଲେ। ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଏଥିରେ ସାମିଲ ରହିଲେ। କିନ୍ତୁ ବିଭାଗ ନିଜ ପକ୍ଷରୁ ଓଡ଼ିଶାର ଏହି ବରପୁତ୍ରଙ୍କ ଜୟନ୍ତୀ ପାଳନ ନେଇ ମନ ବଳାଇଲାନାହିଁ। ରାଜ୍ୟ ସଂଗ୍ରହାଳୟରେ ଫକୀର ମୋହନଙ୍କ ଜୟନ୍ତୀ ପାଳନ ନିହାତି ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ଏ ଜାତିର ବରପୁତ୍ର ଫକୀର ମୋହନଙ୍କୁ ସମ୍ମାନ ଜଣାଇ ସଂସ୍କୃତି ବିଭାଗ ସିଧାସଳଖ କିମ୍ବା ଏହା ଅଧୀନସ୍ଥ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଜୟନ୍ତୀ ସଭାଟିଏ ପାଳନ ନ କରି ରାଜ୍ୟ ସଂଗ୍ରହାଳୟ ପକ୍ଷରୁ କାହିଁକି ଏହି ସଭା ଆୟୋଜନ ହେଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟ ସଂସ୍କୃତି ବିଭାଗ ଅଧୀନସ୍ଥ ଦୁଇ ସଂସ୍ଥା, ଅଥଚ କିଏ କାହାକୁ ସାମିଲ ନ କରି ପୃଥକ୍‌ ପୃଥକ ସମାରୋହ ଓ ମାଧ୍ୟମରେ ଫକୀର ମୋହନଙ୍କ ଜୟନ୍ତୀ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି।

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସଂଗ୍ରହାଳୟ ପରିସରରେ ଆୟୋଜିତ ହୋଇଛି ଫକୀର ମୋହନ ଜୟନ୍ତୀ ସମାରୋହ। ସଂସ୍କୃତି ବିଭାଗ ନିଜ ପକ୍ଷରୁ ଫକୀର ମୋହନଙ୍କର ଜୟନ୍ତୀ ପାଳନ କଲାନାହିଁ। କିନ୍ତୁ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ରାଜ୍ୟ ସଂଗ୍ରହାଳୟର ବ୍ୟାସକବି ଫକୀର ମୋହନ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ। ଏହି ସଭାରେ ସଭାପତିତ୍ବ କଲେ ସଂସ୍କୃତି ନିର୍ଦ୍ଦେଶକ। ଯଦି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ କରୋନା କଟକଣା ଓ ସାମାଜିକ ଦୂରତା ରକ୍ଷା ପାଇଁ ଭର୍ଚୁ୍ରାଲ୍‌ ମାଧ୍ୟମରେ ଏକାଡେମିର ଫକୀରମୋହନ ଜୟନ୍ତୀ ପାଳନର ନିଷ୍ପତ୍ତି ନେଇଥିଲେ, ତେବେ କେଉଁ ସ୍ବାର୍ଥରେ ଓ ‌କ‌ାହାର ଚାପରେ ସେମାନେ ସଂଗ୍ରହାଳୟ ସମାରୋହରେ ଅତିଥି ଭାବେ ‌ଯୋଗ ଦେଲେ? ରାଜ୍ୟ ସଂଗ୍ରହାଳୟ କାହିଁକି ଏହି ସମାରୋହର ଆୟୋଜନ କଲା ଏହାର ପ୍ରାସଙ୍ଗିକତା ଓ ଆଭିମୁଖ୍ୟ ବୁଝା ପଡ଼ୁନଥିବା ବେଳେ ବୋଧହୁଏ ରାଜ୍ୟ ସଂଗ୍ରହାଳୟ ଓ ସାହିତ୍ୟ ଏକାଡେମିର ମିଳିତ ଆନୁକୂଲ୍ୟରେ ଏହି ସମାରୋହ ଆୟୋଜିତ ହୋଇଛି ବୋଲି ଅନେକଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହେଲା। ଜାନୁଆରିର କଟକଣା ଅନୁଯାୟୀ ୨୦୦ ଲୋକଙ୍କୁ ନେଇ ସାମାଜିକ କାର୍ଯ୍ୟକ୍ରମ ଆୟୋଜନର ଅନୁମତି ମିଳିଥିଲା। ସେହି ଦିନ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ବ୍ୟାସକବିଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ମଧ୍ୟ ଆୟୋଜିତ ହେଲା। କିନ୍ତୁ ସଂସ୍କୃତି ବିଭାଗ ଜୟନ୍ତୀ ସମାରୋହଟିଏ ଆୟୋଜନ କରିପାରିଲାନାହିଁ। ଏହା ଫକୀରମୋହନଙ୍କ ପ୍ରତି ସଂସ୍କୃତି ବିଭାଗର ବିମୁଖ ଭାବ କି ରାଜ୍ୟ ସଂଗ୍ରହାଳୟ ପ୍ରତି ସହୃଦୟତା, ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯଦି ବି ରାଜ୍ୟ ସଂଗ୍ରହାଳୟ ଫକୀରମୋହନଙ୍କ ଜୟନ୍ତୀ ସମାରୋହ ଆୟୋଜନ କଲା ତେବେ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ସାହିତ୍ୟ ଏକାଡେମିକୁ କାହିଁକି ଏଥି‌‌ରେ ସାମିଲ କରାଗଲା ନାହିଁ? ରାଜ୍ୟ ସଂସ୍କୃତି ବିଭାଗ ଅଧୀନସ୍ଥ ଦୁଇ ସଂସ୍ଥାର ଏଭଳି ଦ୍ବୈତ ବିଚାରଧାରା ବୁଦ୍ଧିଜୀବୀ ଓ ସାହିତ୍ୟିକଙ୍କ ସ୍ତରରେ ଆଲୋଚନାର ଖୋରାକ ଯୋଗାଇଛି। ଏଠାରେ ଆହୁରି ମଧ୍ୟ ପ୍ରଶ୍ନ ଉଠୁଛି, ଆଗକୁ ସମସ୍ତ ବରପୁତ୍ରମାନଙ୍କ ଜୟନ୍ତୀ କିଏ ପାଳନ କରିବ? ରାଜ୍ୟ ସଂଗ୍ରହାଳୟ ନା ସଂସ୍କୃତି ବିଭାଗ ଅଧୀନସ୍ଥ ସାହିତ୍ୟ ଏକାଡେମି?

ସମ୍ବନ୍ଧିତ ଖବର