ଧର୍ମଶାଳା: ଧର୍ମଶାଳା ଥାନା ପାଖର ପଞ୍ଚାୟତ ମାଣ୍ତିଆ ଛକରେ ଥିବା ମାଟ୍ରିକ୍ସ ଫେରୋ ଆଲଏଜରେ କାମ କରୁଥିବା ଶ୍ରମିକଙ୍କ ବକେୟା ମଜୁରିକୁ ନେଇ ଆଜି ସଂଧ୍ୟାରେ ଗଣ୍ତଗୋଳ ହୋଇଛି। ଶ୍ରମିକମାନଙ୍କୁ ଜାତିଆଣ ଆକ୍ଷେପ କରିବା ପ୍ରତିବାଦରେ ଜଣେ ପୂର୍ବତନ ସରପ‌ଞ୍ଚଙ୍କୁ ମହିଳାମାନେ ଆକ୍ରମଣ କରିଥିଲେ। ଏଥିରେ ଆହତ ହୋଇ ସେ ବଡ଼ଚଣା ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ଖବର ମିଳିଛି।

Advertisment

ମାଣ୍ତିଆ ଗ୍ରାମର ପ୍ରାୟ ୪୦ଜଣ ଶ୍ରମିକ ସ୍ଥାନୀୟ ଜଣେ ଶ୍ରମିକ ଠିକାଦାରଙ୍କ ଅଧୀନରେ ମାଟ୍ରିକ୍ସ ଫେରୋ ଆଲଏଜରେ କାମ କରନ୍ତି। କମ୍ପାନି କର୍ତ୍ତୃପକ୍ଷ ଫେବ୍ରୁଆରି ମାସର ମଜୁରି ବାବଦକୁ ୩.୩୦ଲକ୍ଷ ଟଙ୍କା ଗତ ୫ତାରିଖରେ ଶ୍ରମିକ ଠିକାଦାରଙ୍କୁ ପ୍ରଦାନ କରିଥିଲେ। ହେଲେ ସଂପୃକ୍ତ ଠିକାଦାର ଶ୍ରମିକମାନଙ୍କୁ ମଜୁରି ଦେଇନଥିଲେ।

ଏହା ଜାଣିବାପରେ ଶ୍ରମିକମାନେ ଠିକାଦାରଙ୍କୁ ସେମାନଙ୍କ ମଜୁରି ମାଗିଥିଲେ। ତାଙ୍କଠାରୁ ମଜୁରି ନମିଳିବାରୁ ଶ୍ରମିକମାନେ ଜଣାଇଥିଲେ। ପରେ ଠିକାଦାର ଫୋନ୍ ପେ’ରେ ୯୦ହଜାର ଟଙ୍କା ଦେଇଥିଲେ। ଅବଶିଷ୍ଟ ୨ଲକ୍ଷ ୪୦ହଜାର ଟଙ୍କା ଦେଇନାହାନ୍ତି। ଏହି ଘଟଣାକୁ କେନ୍ଦ୍ରକରି ଠିକାଦାରଙ୍କ ବଡ଼ଭାଇ (ପୂର୍ବତନ ସରପ‌ଞ୍ଚ) ଆଜି ଶ୍ରମିକଙ୍କ ଗାଁକୁ ଯାଇ ସେମାନଙ୍କୁ ଜାତିଆଣ ଆକ୍ଷେପ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଗାଁର ମହିଳାମାନେ ପୂର୍ବତନ ସରପ‌ଞ୍ଚଙ୍କୁ ଅଟକାଇ ମାରଧର କରିଥିଲେ। ପରେ ଏନେଇ ଉଭୟ ପକ୍ଷ ଧର୍ମଶାଳା ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଁରେ ଚାପା ଉତ୍ତେଜନା ଲାଗିରହିଛି।