ମାଟ୍ରିକ୍ ଏସ୍ଏ-୨ର ଦ୍ବିତୀୟ ଭାଷା ଇଂରାଜୀ ପାଠ୍ୟକ୍ରମକୁ ନେଇ ଦ୍ବନ୍ଦ୍ୱ: ପ୍ରବନ୍ଧ ପଡ଼ିବ ନା ପତ୍ରଲିଖନ?

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାର୍ଚ୍ଚ ୧୦ ତାରିଖ‌ରୁ ହେବାକୁ ଥିବା ମାଟ୍ରିକ୍(ସମ୍ମେଟିଭ୍ ଆସେସ୍‌ମେଣ୍ଟ-୨) ପରୀକ୍ଷାର ଇଂରାଜୀ ପାଠ୍ୟକ୍ରମ ଓ ନମ୍ବର ଆବଣ୍ଟନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଏସ୍ଏ-୨ ପରୀକ୍ଷା ପାଇଁ ବୋର୍ଡ ୱେବ୍‌ସାଇଟ୍‌ରେ ଛଡ଼ାଯାଇଥିବା ପ୍ରଶ୍ନପତ୍ର ଶୈଳୀ ଓ ନମ୍ବର ଆବଣ୍ଟନରେ ପତ୍ରଲିଖନ ଓ ଏହାର ବିକଳ୍ପ ପ୍ରଶ୍ନ ଭାବେ ଦରଖାସ୍ତ ପଡ଼ିବ ବୋଲି ସୂଚନା ଦିଆଯାଇଛି। ପୁଣି ସେହି ବୋର୍ଡ ପ୍ରଦତ୍ତ ପାଠ୍ୟକ୍ରମରେ ପ୍ରବନ୍ଧ ପଡ଼ିବ ବୋଲି ସୂଚନା ରହିଛି। ତେବେ, ଏସ୍‌ଏ-୨ରେ ଇଂରାଜୀ ପ୍ରଶ୍ନରେ ପ୍ରବନ୍ଧ ଆସିବ ନା ପତ୍ରଲିଖନ/ଦରଖାସ୍ତ ଆସିବ, ତାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଅନିଶ୍ଚିତତା ମଧ୍ୟରେ ଅଛନ୍ତି। ଏ ଦିଗରେ ବୋର୍ଡ ପକ୍ଷରୁ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ ସାଧାରଣରେ ଦାବି ହେଉଛି।

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ‌‌ୱେବ୍‌ସାଇଟ୍‌ରେ ଦଶମ ଶ୍ରେଣୀ ଏସ୍‌ଏ-୨ ପାଇଁ ଯେଉଁ ପାଠ୍ୟକ୍ରମ ତିଆରି ହୋଇଛି, ତାହାର ତୃତୀୟ ଫର୍ମାଟିଭ୍ ଆସେସ୍‌ମେଣ୍ଟ(ଏଫ୍‌ଏ-୩)ର କ୍ରମିକ ନଂ-୯ରେ ପ୍ରବନ୍ଧ ସ୍ଥାନ ପାଇଛି। ଅର୍ଥାତ୍‌ ଏଫ୍‌ଏ-୩ ରେ ପ୍ରବନ୍ଧ ରହିଥିବାରୁ ଏହା ଏସ୍ଏ-୨ରେ ପଡ଼ିବା ସମ୍ଭାବନା ରହିଛି। କିନ୍ତୁ, ବୋର୍ଡ ପକ୍ଷରୁ ପ୍ରଦତ୍ତ ପ୍ରଶ୍ନପତ୍ର ଶୈଳୀ ଓ ନମ୍ବର ଆବଣ୍ଟନର ସବ୍‌ଜେକ୍ଟିଭ୍ ପାର୍ଟର ପ୍ରଶ୍ନ ନଂ-୨ରେ ୫ନମ୍ବର ବିଶିଷ୍ଟ (ଶହେ ଶବ୍ଦରେ) ଏକ ପତ୍ରଲିଖନ ଆସିବ ଓ ଏହାର ବିକଳ୍ପ ପ୍ରଶ୍ନ ଭାବେ ୫ନମ୍ବର ବିଶିଷ୍ଟ ଏକ ଦରଖାସ୍ତ ଆସିବ ବୋଲି ସୂଚନା ରହିଛି। ଏବେ ପ୍ରଶ୍ନ ଉଠୁଛି, କେଉଁଟା ଠିକ୍‌, ପାଠ୍ୟକ୍ରମ ନା ନମ୍ବର ଆବଣ୍ଟନ? ପୁଣି ଏସ୍‌ଏ-୨ରେ କଣ ଆସିବ, ପ୍ରବନ୍ଧ ନା ପତ୍ରଲିଖନ/ଦରଖାସ୍ତ? ଅଧିକାଂଶ ବିଦ୍ୟାଳୟରେ ଏବେ ଏସ୍‌ଏ-୨ ପାଇଁ ପାଠ୍ୟକ୍ରମ ଆରମ୍ଭ ହୋଇ ନ ଥିବାରୁ ଏଭଳି ସମୟରେ ଛାତ୍ରଛାତ୍ରୀମାନେ କାହାକୁ ଅଭ୍ୟାସ କରିବେ, ତାହା ଏବେ ବଡ଼ ପ୍ରଶ୍ନ।

ଏ ସଂକ୍ରାନ୍ତରେ ବୋର୍ଡ କର୍ତ୍ତୃପକ୍ଷ ନିଜ ୱେବ୍‌ସାଇଟ୍ ସଂଶୋଧନ କରିବା ସହିତ ଜରୁ୍ରିକାଳୀନ ଭିତ୍ତିରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର