ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌କୁ ନେଇ ବିଭ୍ରାଟ: ଦୁଇ ଚକିଆ ଗାଡ଼ିର ସ୍ଲଟ୍ ଶେଷ, ଡିସେମ୍ବର ଯାଏ ବୁକିଂ ସୁଯୋଗ ନାହିଁ

ରାଜ୍ୟରେ ଅଛି ୮୦ ଲକ୍ଷ ଗାଡ଼ି, ବର୍ଷକ ଭିତରେ ଲାଗିଛି ମାତ୍ର ୭ ଲକ୍ଷ ନମ୍ବର ପ୍ଲେଟ୍

କଟକ: ହାଇସିକ୍ୟୁରିଟି ରେଜିଷ୍ଟ୍ରାର ନମ୍ବର ପ୍ଲେଟ୍( ଏଚଏସ୍‌ଆରପି)କୁ ନେଇ ଏବେ ଲୋକ ସମସ୍ୟାରେ। ଗୋଟିଏପଟେ ନମ୍ବର ପ୍ଲେଟ୍ ଲାଗି ନଥିଲେ ଅଥବା ଧାର୍ଯ୍ୟ ସମୟ ଭିତରେ ରେଜିଷ୍ଟ୍ରେସନ୍ ‌ହୋଇ ନଥିଲେ ଜରିମାନା କଥା କୁହାଯାଉଥିବା ବେଳେ ଅନ୍ୟପଟେ ସ୍ଲଟ୍ ବୁକିଂ କିନ୍ତୁ ଶେଷ ହୋଇଯାଇଛି। ଏବେ ଦୁଇଚକିଆ ଗାଡ଼ି ପାଇଁ ଆଉ ସ୍ଲଟ୍‌ ମିଳୁ ନଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ୨୦୨୨ ଡିସେମ୍ବର ୩୧ ପର୍ଯ୍ୟନ୍ତ କୌଣସି ଦୁଇ ଚକିଆ ଗାଡ଼ିର ସ୍ଲଟ୍ ମିଳୁନାହିଁ। ଅର୍ଥାତ୍‌ ଯଦି ଏଥିପାଇଁ ସ୍ଲଟ୍‌ ନ ମିଳେ ଓ ଏ ସଂପର୍କିତ ରସିଦ୍ ପାଖରେ ନଥାଏ, ତେବେ ଏଥିପାଇଁ ଗାଡ଼ି ମାଲିକ ତଣ୍ଡ ଗଣିବେ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଓଡ଼ିଶାରେ ସେ​ପ୍ଟେମ୍ବର ୨୫ ତାରିଖ ସୁଦ୍ଧା ମାତ୍ର ୧୬ ଲକ୍ଷ ୭୮ ହଜାର ୧୬୩ଟି ଗାଡି ପାଇଁ ସ୍ଲଟ୍ ବୁକିଂ ହୋଇଛି। ସେଥିରୁ ମାତ୍ର ୭ଲକ୍ଷ ୩୦ ହଜାର ୩୦୩ଟି ଗାଡ଼ିରେ ଏହି ଏଚ୍‌ଏସ୍‌ଆର୍‌ପିରେ ନମ୍ବର ପ୍ଲେଟ୍ ଲାଗି ପାରିଛି। ପ୍ରଶ୍ନଉଠୁଛି, ୨୦୨୧ ଡିସେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ଯଦି ୭ଲକ୍ଷ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗିଛି, ତେବେ ରାଜ୍ୟରେ ଥିବା ୮୦ଲକ୍ଷ ଗାଡ଼ିରେ ନମ୍ବର ପ୍ଲେଟ୍ ଲଗାଇବା ପାଇଁ ବିଭାଗକୁ କେତେ ବର୍ଷ ଲାଗିବ?

୨୦୧୯ ଏପ୍ରିଲ ୧ ପରେ ପଞ୍ଜିକୃତ ହୋଇଥିବା ଗାଡ଼ି ପାଇଁ ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍‌ ସମୟସୀମା ସେପ୍ଟେମ୍ବର ୩୦ ତାରିଖକୁ ରଖାଯାଇଛି। ସମସ୍ତ ଗାଡ଼ି ପାଇଁ ଚୂଡ଼ାନ୍ତ ସମୟସୀମା ଡିସେମ୍ବର ୩୧ ତାରିଖ ରଖାଯାଇଥିବା ବେଳେ ସ୍ଲଟ୍ ବୁକିଂ ଏବେ ଏକ ଗୁରୁତର ସମସ୍ୟା ହୋଇ ଉଭା ହୋଇଛି। ସୂଚନା​ଯୋଗ୍ୟ, ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚଏସଆରପି) ନମ୍ବର ‌େପ୍ଲଟ୍‌ ପାଇଁ ସ୍ଲଟ୍ ବୁକିଂର ଚୂଡାନ୍ତ ତାରିଖ ରଖାଯାଇଛି। ନିର୍ଦ୍ଧାରିତ ତାରିଖ ପୂର୍ବରୁ ଏହି ନମ୍ବର ପ୍ଲେଟ୍ ନ ଲଗାଇଲେ ଏଥିପାଇଁ ୫ ଓ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ। କେନ୍ଦ୍ର ସରକାରଙ୍କ ଏହି ମୋଟର ଯାନ ଆଇନକୁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ମଧ୍ୟ କଡ଼ାକଡ଼ି କରିଛନ୍ତି।

ସମ୍ବନ୍ଧିତ ଖବର