ଓବିସି ବର୍ଗଙ୍କୁ ବାଦ୍ ଦେଇ ପ୍ରକାଶ ପାଇବ ପୌର ସଂସ୍ଥାର ଚିଠା ସଂରକ୍ଷଣ ତାଲିକା
ପ୍ରକ୍ରିୟା ଆରମ୍ଭ, କେବେ ସରିବ ଜଣାନାହିଁ
୧୦୭ ଏନ୍ଏସି ଓ ପୌରପାଳିକାର ଚିଠା ତାଲିକା ପ୍ରକାଶ ପାଇଲା
୫ରେ ତିନି ମହାନଗର ନିଗମ ସଂରକ୍ଷଣ ଓ ପୁନର୍ଗଠନ ତାଲିକା ଦେବେ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଜୋରଦାର୍ ପ୍ରସ୍ତୁତି କରୁଥିବାବେଳେ ଏହା ପରେପରେ ତୁରନ୍ତ ପୌର ନିର୍ବାଚନ କରିବା ଭଳି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ହେଲେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ପୌର ନିର୍ବାଚନ କେବେ କରିବେ ସେନେଇ ଯେ ଦ୍ବନ୍ଦ୍ବରେ ଅଛନ୍ତି, ତାହା ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ଚିଠିରୁ ବାରି ହୋଇପଡ଼ୁଛି। ରାଜ୍ୟ ସରକାର ବାସ୍ତବରେ ପୌର ନିର୍ବାଚନ କରିବାକୁ ଚାହୁଁଛନ୍ତି ନା ପୁଣି କିଛି ଆଳ ଦେଖାଇ ଘୁଞ୍ଚାଇବେ, ତାହା ଏବେ ସନ୍ଦେହ ସୃଷ୍ଟି କରିଛି। ସରକାର ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ତତ୍ପରତା ଦେଖାଉଥିଲା ବେଳେ ପୌର ନିର୍ବାଚନ କ୍ଷେତ୍ରରେ କାହିଁକି ପଛଘୁଞ୍ଚା ଦେଉଛନ୍ତି?
ଅପରପକ୍ଷେ ପଛୁଆବର୍ଗଙ୍କୁ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ଚିଠା ବିଜ୍ଞପ୍ତିରେ ସଂରକ୍ଷଣ ଦିଆନଯିବାରୁ ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କୁ ବିରୋଧ କରୁଛନ୍ତି। ଠିକ୍ ଏହି ସମୟରେ ରାଜ୍ୟ ସରକାର ପୌର ନିର୍ବାଚନରେ ବି ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ନରଖିବାକୁ ଡିସେମ୍ବର ୩୦ରେ ତରବରିଆ ଭାବେ ଅଧ୍ୟାଦେଶ ଆଣିବା ସହ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ଏପରିକି ପୌର ପ୍ରଶାସନ ନିର୍ଦ୍ଦେଶକ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ଚିଠି ଲେଖି ଅଗ୍ରାଧିକାର ଭିତ୍ତିରେ ଏହି ପ୍ରକ୍ରିୟା ଶେଷ କରିବାକୁ କହିଛନ୍ତି। କିନ୍ତୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଏନ୍ଏସି, ମ୍ୟୁନିସପାଲଟି ଓ ମହାନଗର ନିଗମର ଆସନ ସଂରକ୍ଷଣ ନେଇ କେବେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ତାହା କୁହାଯାଇନି।
/sambad/media/post_attachments/wp-content/uploads/2021/01/vote-a.jpg)
ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଜାନୁଆରି ୩ରେ ଜିଲ୍ଲାପାଳମାନେ ୧୦୭ଟି ଏନ୍ଏସି ଓ ମ୍ୟୁନିସପାଲଟି ପାଇଁ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ସହ ଆସନ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ କରି ଏହା ଉପରେ ଲୋକଙ୍କ ଅଭିଯୋଗ ଓ ପ୍ରସ୍ତାବ ମାଗିେବ। ଏହାକୁ ଆଧାର କରି ଆଜି ସଂଧ୍ୟା ସୁଦ୍ଧା ଅଧିକାଂଶ ଜିଲ୍ଲାରେ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୧୨ସୁଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଓ ପ୍ରସ୍ତାବ ଦାଖଲ ହେବ। ଏହାର ଶୁଣାଣି କରି ଜିଲ୍ଲାପାଳମାନେ ଜାନୁଆରି ୩ରେ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ କରିବେ। ଯେଉଁମାନଙ୍କର ଜିଲ୍ଲାପାଳଙ୍କ ନିଷ୍ପତ୍ତି ଉପରେ ଅଭିଯୋଗ ଥିବ ସେମାନେ ନଗର ଉନ୍ନୟନ ବିଭାଗ ନିକଟରେ ଜାନୁଆରି ୧୩ରୁ ୨୭ ମଧ୍ୟରେ ଆବେଦନ କରିବେ। ଜାନୁଆରି ୨୮ରେ ଅଭିଯୋଗର ଶୁଣାଣି ହେବ। ହେଲେ କେଉଁ ଦିନ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ସେ ନିଷ୍ପତ୍ତି ପରେ ନିଆଯିବ।
ସେହିପରି ତିନି ମହାନଗର ନିଗମ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ପାଇଁ କମିସନରମାନେ ଜାନୁଆରି ୫ରେ ଚିଠା ଆସନ ସଂରକ୍ଷଣ ତାଲିକା ଏବଂ ସୀମା ପୁନଃନିର୍ଦ୍ଧାରଣ ତାଲିକା ନଗର ଉନ୍ନୟନ ବିଭାଗକୁ ଦେବେ। ଜାନୁଆରି ୭ରେ ବିଭାଗ ପକ୍ଷରୁ ଏହା ଉପରେ ପ୍ରସ୍ତାବ ଓ ଅଭିଯୋଗ ମଗାଯିବ। ଜାନୁଆରି ୧୬ ସୁଦ୍ଧା ଲୋକମାନେ ସେମାନଙ୍କ ଅଭିଯୋଗ ଓ ପ୍ରସ୍ତାବ ଦେବେ। ହେଲେ କେବେ ଶୁଣାଣି ହେବ ଏବଂ କେବେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ତାହା କୁହାଯାଇନି।
/sambad/media/post_attachments/wp-content/uploads/2021/08/vote.jpg)
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଯେପରି ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ନରଖି ଚିଠା ତାଲିକା ପ୍ରକାଶ ପାଇଛି, ପୌର ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ସେହିପରି ସଂରକ୍ଷଣ ତାଲିକା ପ୍ରସ୍ତୁତ ହେବ। ପୌର ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ରହିବନି। ଏନେଇ ଗତ ଡିସେମ୍ବର ୩୦ରେ ଦୁଇଟି ଅଧ୍ୟାଦେଶ ଆଣି ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆକ୍ଟ,୨୦୦୩ ଏବଂ ଓଡ଼ିଶା ମ୍ୟୁନିସପାଲଟି ଆକ୍ଟ, ୧୯୫୦ରେ ସଂଶୋଧନ କରିଛନ୍ତି। ଏ ସଂକ୍ରାନ୍ତୀୟ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରି ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପୁନଃ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପରେ ଗତ ୧ତାରିଖରେ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ବିଏମ୍ସି, ସିଏମ୍ସି ଓ ବିଇଏମ୍ସିର କମିସନରଙ୍କୁ ଚିଠି ଲେଖି ପୁଣି ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ବ୍ୟବସ୍ଥା କରିବାକୁ କହିଛନ୍ତି। ସିଡ୍ୟୁଲ୍ଡ ଅଞ୍ଚଳ ବାହାରେ ଥିବା ମ୍ୟୁନିସପାଲଟି ଓ ଏନ୍ଏସିରେ ଏସ୍ସି, ଏସ୍ଟି ଓ ମହିଳାଙ୍କ ପାଇଁ ସିଟ୍ ସଂରକ୍ଷଣ ରଖିବା ସହ ୨୦୧୧ ଜନଗଣନାକୁ ଭିତ୍ତି କରି ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ କରିବାକୁ କୁହାଯାଇଛି।
ଏହାସହ ପୌର ନିର୍ବାଚନ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ନଗର ଉନ୍ନୟନ ବିଭାଗ ଜଣାଇଛି। କେବେ ସୁଦ୍ଧା ନଗର ଉନ୍ନୟନ ବିଭାଗ କି କି କାର୍ଯ୍ୟ ଶେଷ କରିବ ତା’ର ସବିଶେଷ ତାଲିକା ମଧ୍ୟ ନିର୍ବାଚନ କମିସନଙ୍କୁ ଦେଇଛି।