କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରକାଶ ପାଇଥିବା ନୂତନ ପାଠ୍ୟକ୍ରମକୁ ନେଇ ଉପୁଜିଛି ଦ୍ବନ୍ଦ୍ବ। ନୂଆ ପାଠ୍ୟକ୍ରମକୁ ନେଇ ଶିକ୍ଷକ, ଛାତ୍ରଛାତ୍ରୀ ତଥା ଅଭିଭାବକ ଚିନ୍ତାରେ ପଡ଼ିଥିବା ବେଳେ ବିଭିନ୍ନ ଭାଷା ବିଶାରଦ ଏହାକୁ ନାପସନ୍ଦ କରିଛନ୍ତି। ଯେଉଁଭଳି ଭାବେ ପାଠ୍ୟକ୍ରମରୁ ୩୦ ପ୍ରତିଶତ ପାଠ ବାଦ୍ ପଡ଼ିଛି, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏପରିକି ବୋର୍ଡର ସିଲାବସ୍ କମିଟି କିଛି ସଭ୍ୟ ମଧ୍ୟ ଏପରି କାଣ୍ଟଛାଣ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମହାମାରୀ କରୋନା ପାଇଁ ସିବିଏସ୍ଇ, ଆଇସିଏସ୍ଇ ସେମାନଙ୍କ ପାଠ୍ୟକ୍ରମ ସଂକ୍ଷିପ୍ତ କରିଥିବା ବେଳେ ବୋର୍ଡ ପକ୍ଷରୁ ମଧ୍ୟ ଏହାକୁ ଅନୁକରଣ କରାଯାଇଥିଲା। ବହୁ ବିଳମ୍ବରେ ପାଠ୍ୟକ୍ରମକୁ କାଟି ସଂକ୍ଷିପ୍ତ କରାଗଲା। କିନ୍ତୁ ଆଶ୍ଚର୍ଯ୍ୟ କଥା, କରୋନା ସମୟରେ ପିଲାମାନେ ଅନ୍ଲାଇନ୍ରେ ଗୃହ ବା ସ୍କୁଲ ଶିକ୍ଷକଙ୍କ ମାଧ୍ୟମରେ ପଢ଼ିସାରିଥିବା ବିଷୟକୁ ବାଦ୍ ଦିଆଯାଇଛି। ସେହିପରି ହାଇସ୍କୁଲ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ବବହନ କରୁଥିବା କିଛି ବିଷୟକୁ ମଧ୍ୟ ବାଦ୍ ଦିଆଯାଇଛି। ପ୍ରଥମ ଭାଷା ଓଡ଼ିଆର ପ୍ରଥମ ପଦ୍ୟ ‘ଭୀମଙ୍କ ସିଂଘନାଦ ରଡ଼ି’ ପଢ଼ା ସରିଥିବାବେଳେ ଏହା ବାଦ୍ପଡ଼ିଛି। ସେହିପରି ଗଦ୍ୟରୁ ‘ମାତୃଭାଷା ଓ ଲୋକଶିକ୍ଷା ଓ ବ୍ୟାକରଣରୁ ‘ରୁଢ଼ି ଓ ଲୋକବାଣୀକୁ କାଟି ଦିଆଯାଇଛି। ସିଲାବସ୍ କମିଟି ବୈଠକରେ ‘ରୁଢ଼ି’ ଓ ଲୋକବାଣୀ ରଖିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏହା କିଭଳି ବାଦ୍ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି। ହାଇସ୍କୁଲକୁ ବାଦ୍ ଦେଲେ ଆଉ କେଉଁଠି ପିଲାଙ୍କ ପାଇଁ ‘ରୁଢ଼ି’ ପଢ଼ିବାର ସୁଯୋଗ ନାହିଁ। ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏହାର ଗୁରୁତ୍ବ ଥିବାରୁ ଏହାକୁ କାଟିବା ଅପ୍ରାସଙ୍ଗିକ ବୋଲି ବୋର୍ଡର ପୂର୍ବତନ ଭାଷା ବିଶେଷଜ୍ଞ ଡକ୍ଟର ମୀନାକ୍ଷି ଦାଶ କହିଛନ୍ତି। ଦ୍ବିତୀୟ ଭାଷା ଇଂରାଜୀ ଦଶମ ଶ୍ରେଣୀ ବ୍ୟାକରଣ ବହିର ପ୍ରଥମ ବିଷୟ ‘ଟେନ୍ସ ରିଭିଜିଟେଡ୍’ ପଢ଼ା ସରିଥିବାବେଳେ ଏହା କଟାଯାଇଛି। ସେହି ବ୍ୟାକରଣର ଅନ୍ୟତମ ବିଷୟ ଫ୍ରେଜାଲ ଭର୍ବକୁ ମଧ୍ୟ କଟାଯିବା ପିଲାଙ୍କ ଇଂରାଜୀ ଶିକ୍ଷାର ମାନକୁ କମାଇବା ସଦୃଶ ହୋଇଛି ବୋଲି ଜଣେ ବରିଷ୍ଠ ଇଂରାଜୀ ଶିକ୍ଷକ ଅଭିଯୋଗ କରିଛନ୍ତି।
ତୃତୀୟ ଭାଷା ହିନ୍ଦୀ ପେପର-୨(ସବ୍ଜେକ୍ଟିଭ୍)ରେ ପୂର୍ବ ପ୍ରଚଳିତ ଅନୁବାଦ ଓ ଅଜଣା ଅନୁଚ୍ଛେଦକୁ ଉଠାଇଦିଆଯାଇଛି। ଏଥିରୁ ୨୦ ନମ୍ବର ପ୍ରଶ୍ନ ମାଟ୍ରିକ୍ ପରୀକ୍ଷାରେ ଆସେ। ଏହା ସ୍ଥାନରେ କଣ ରହିବ, ତାହା ଉଲ୍ଲେଖ କରାଯାଇନାହିଁ। ସେହିପରି କିଛି ବର୍ଷ ତଳୁ ଉଠିଯାଇଥିବା ‘ନିବନ୍ଧ ବିଷୟକୁ ଯୋଡ଼ାଯାଇଛି। ହିନ୍ଦୀ ବ୍ୟାକରଣରୁ କିଛି ବିଷୟକୁ ଅନୁଧ୍ୟାନ ନ କରି କଟାଯାଇଛି। ଦୁଃଖର କଥା ଅନ୍ଲାଇନ୍ ପଢ଼ାସରିଥିବା କିଛି ହିନ୍ଦୀ ବିଷୟ ମଧ୍ୟ ବାଦ୍ ପଡ଼ିଥିବା ଜଣେ ବରିଷ୍ଠ ହିନ୍ଦୀ ଶିକ୍ଷକ କହିଛନ୍ତି। ବ୍ୟାକରଣର ‘ରୂପ ବିଚାର’ରୁ ମାଟ୍ରିକ୍ରେ ଅଧିକ ପ୍ରଶ୍ନ ଆସେ ଓ ଏହାକୁ ପିଲାମାନେ ଅଷ୍ଟମ, ନବମ ଶ୍ରେଣୀରେ ପଢ଼ିଛନ୍ତି। ଏହି ବିଷୟକୁ କାଟିବା ନେଇ ଛାତ୍ରଛାତ୍ରୀଙ୍କ ମଧରେ ଅସନ୍ତୋଷ ଦେଖାଯାଇଛି। ସେହିପରି ତୃତୀୟ ଭାଷା ସଂସ୍କୃତର ନବମ ଶ୍ରେଣୀର ଆତ୍ମଗୁଣ ବିକାଶନମ୍, ମୂଢ଼ଃ ସହାୟକଃ ବିଷୟ ୨ଟି ବାଦ୍ ପଡ଼ିଛି। ଏହି ୨ଟି ବିଷୟ ପ୍ରାସଙ୍ଗିକ ଓ ଯୁଗୋପଯୋଗୀ ହୋଇଥିବା ବେଳେ ଏହାକୁ ପିଲା ସହଜରେ ବୁଝିଥାନ୍ତି। ସଂସ୍କୃତ ଦଶମ ବହିର ଭୌତିକଂ ପର୍ଯ୍ୟାବରଣମ୍, ପଦ୍ୟରୁ ଯୁଧିଷ୍ଠିର ଦକ୍ଷ ସମ୍ବାଦଃ ଛାତ୍ରଛାତ୍ରୀଙ୍କ ପାଇଁ ଆଜୀବନ ଆବଶ୍ୟକ ଥିବା ବେଳେ ଏହା ବାଦ୍ପଡ଼ିଛି। ଏଥି ସହିତ ଅନୁଚ୍ଛେଦ ସଂସ୍କୃତ ଶିକ୍ଷାର ଗୁଣାତ୍ମକ ଦିଗ ବହନ କରୁଥିବା ବେଳେ ତାକୁ ବାଦ୍ ଦେବା ସଂସ୍କୃତ ଶିକ୍ଷାକୁ ହେୟଜ୍ଞାନ କରିବା ସଦୃଶ ହୋଇଛି ବୋଲି ମାଧ୍ୟମିକ ସଂସ୍କୃତ ଶିକ୍ଷା ବିଶେଷଜ୍ଞ ଡକ୍ଟର କାଳୀପ୍ରସନ୍ନ ଶତପଥୀ ଅଭିଯୋଗ କରିଛନ୍ତି। ଉଭୟ ସଂସ୍କୃତ ଭାଷା ଓ ଛାତ୍ରଛାତ୍ରୀଙ୍କ ହିତଦୃଷ୍ଟିରୁ ଏହାକୁ ବିଚାର କରିବାକୁ ଡକ୍ଟର ଶତପଥୀ ଦାବି କରିଛନ୍ତି।