ବରଗଡ଼: କାହାର କେଉଁ ମୃତଦେହ? ଶବ ପୋଡ଼ିକୁ ନେଇ କୋଭିଡ୍‌ ହସ୍ପିଟାଲରେ ଦ୍ବନ୍ଦ୍ବ

ଅମ୍ବାଭୋନା/ବରଗଡ଼ : ବରଗଡ଼ କୋଭିଡ୍‌ ହସ୍‌ପିଟାଲରେ ଦୁଇଜଣ କୋଭିଡ୍‌ ରୋଗୀଙ୍କ ଶବ ଅଦଳବଦଳ ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ୨ଜଣ କୋଭିଡ୍‌ ଆକ୍ରାନ୍ତ ଅମ୍ବାଭୋନା ବ୍ଲକ୍‌ କପାଶିରା ପଞ୍ଚାୟତ ସାମପାଲି ଗାଁର ବିଜୟ ପ୍ରଧାନ ଏବଂ ପଦ୍ମପୁର ବ୍ଲକ୍‌ ଭେଉଁରିଆ ଗାଁର ପଦ୍ମଲୋଚନ ବରିହାଙ୍କ ମୃତ୍ୟୁ ଘଟିଥିଲା। ହେଲେ ମୃତକଙ୍କ ପରିବାରକୁ ମୃତ୍ୟୁ ସଂପର୍କରେ ହସ୍ପିଟାଲ କର୍ତୃପକ୍ଷଙ୍କ ପକ୍ଷରୁ ଠିକ୍‌ ସୂଚନା ଦିଆ ନଯାଇ ଉଭୟଙ୍କୁ ମଂଗଳବାର ରାତିରେ ପିପଲମୁଣ୍ଡାସ୍ଥିତ ସ୍ବର୍ଗଦ୍ବାରରେ ଦାହ କରାଯାଇଥିଲା।

ବିଜୟଙ୍କ ମୃତ୍ୟୁ ଘଟିଥିବା ନେଇ କୌଣସି ସୂଚନା ପାଇନଥିବା ସଂପର୍କୀୟମାନେ ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। କାଳେ ତାଙ୍କର ସଂପର୍କୀୟ ବଂଚିଥିବେ ଭାବି ସେମାନେ ଡାକ୍ତରଖାନାର କର୍ମଚାରୀମାନଙ୍କୁ ପଚରାଉଚରା କରି ବହୁ ସମୟ ଧରି ଅଟକି ରହିଥିଲେ। ପରେ ମନ୍ତ୍ରୀ ସୁଶାନ୍ତ ସିଂହ ଏହି ଘଟଣାରେ ହସ୍ତକ୍ଷେପ କରି ଜିଲ୍ଲାପାଳଙ୍କ ସହିତ ଫୋନ୍‌ରେ ଆଲୋଚନା କରିଥିଲେ। ହସ୍‌ପିଟାଲର ରେଜିଷ୍ଟରରେ ମୃତକ ତାଲିକାରେ ବିଜୟ ପ୍ରଧାନଙ୍କ ନାମ ଥିବା ଖୋଳତାଡ଼ କରି ଜଣାପଡ଼ିବା ପରେ ପରିବାର ଲୋକେ ବୁଝିଥିଲେ। ମଙ୍ଗଳବାର ସଂଧ୍ୟାରେ ବରଗଡ଼ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ବିଜୟଙ୍କ ଶବକୁ ପୋଡ଼ା ଯାଇଥିବା ପ୍ରଶାସନ ସ୍ପଷ୍ଟ କରିବା ପରେ ପରିବାର ଲୋକେ ଘରକୁ ଫେରିଥିଲେ।

ସୂଚନାଯୋଗ୍ୟ, ମଙ୍ଗଳବାର ବରଗଡ଼ କୋଭିଡ଼ ହସ୍‌ପିଟାଲରେ ପଦ୍ମପୁର ବ୍ଲକ୍‌ ଭେଉଁରିଆର ପଦ୍ମଲୋଚନ ବରିହାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ଲୋକେ ଖବର ପାଇ ଅପରାହ୍ନରେ ହସ୍‌ପିଟାଲ ଆସିଥିଲେ। ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଶବ ଦେଖାଇ ନଥିଲେ। ପଦ୍ମଲୋଚନଙ୍କ ପରିବାରବର୍ଗ ବାଧ୍ୟହୋଇ ଏ ସଂପର୍କରେ ପୁଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ କୋଭିଡ୍‌ ହସ୍‌ପିଟାଲରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା। ପଦ୍ମଲୋଚନ ବଂଚିଛନ୍ତି ଏବଂ ତାଙ୍କ ନାମରେ ଅମ୍ବାଭୋନା ବ୍ଲକ୍‌ର ବିଜୟଙ୍କ ଶବ ପୋଡ଼ା ଯାଇଥିବା ଅଭିଯୋଗ ହୋଇଥିଲା। ସବୁ ଘଟଣାର ଖୋଳତାଡ଼ ପରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଏବଂ ପୃଥକ୍‌ ପୃଥକ୍‌ ଭାବେ ପ୍ରଶାସନର ଅନୁମତିରେ ଦାହ ସଂସ୍କାର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର