କୋଷ୍ଟାଲ୍‌ ହାଇୱେକୁ ନେଇ ପୁଣି ଦ୍ୱନ୍ଦ୍ୱ, ଉପକୂଳ ଠାରୁ ୨୦ କିମି ଦୂରରେ କାହିଁକି?

ଲକ୍ଷ୍ୟ ଠାରୁ ଦୂରେଇ ଯାଉଛି ପ୍ରକଳ୍ପ, ଜଗତସିଂହପୁରରୁ ଉଠିଲା ବିରୋଧର ସ୍ୱର

ଭୁବନେଶ୍ବର : ଭାରତମାଳା ପରିଯୋଜନାରେ ନିର୍ମାଣ ହେବାକୁ ଥିବା କୋଷ୍ଟାଲ ହାଇୱେ (ଉପକୂଳ ରାଜପଥ)କୁ ନେଇ ପୁଣି ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ୭ ବର୍ଷର ମାନସମନ୍ଥନ ପରେ ପ୍ରସ୍ତୁତ ‌ହୋଇଥିବା ଚୂଡ଼ାନ୍ତ ନକ୍ସାରେ ବି କେଁ ରହିଛି। ଜଗତସିଂହପୁର ଜିଲ୍ଲାରେ ଉପକୂଳଠାରୁ ପ୍ରାୟ ୨୦ କିମି ଦୂରରେ ଏହି ରାଜପଥ ନିର୍ମାଣକୁ ନେଇ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ‘କୋଷ୍ଟାଲ୍‌ ହାଇୱେ’ର ମୂଳ ଲକ୍ଷ୍ୟକୁ ଭୁଲିଯାଇ କେନ୍ଦ୍ର ଓ ରାଜ୍ୟ ସରକାର କିପରି ଅନୁମୋଦନ ଦେଲେ, ତାହା ଏବେ ସନ୍ଦେହ ସୃଷ୍ଟି କରିଛି। ଉପକୂଳ ଓଡ଼ିଶାର ଉନ୍ନତି ଓ ପର୍ଯ୍ୟଟନ ଶିଳ୍ପର ବିକାଶର ଯେଉଁ ସୁନେଲି ସ୍ବପ୍ନ ଦେଖା ଯାଉଛି, ତାହା ପୂରଣ ହୋଇ ପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ୨୦୧୫ ମସିହାରେ କୋଷ୍ଟାଲ ହାଇୱେ ପ୍ରକଳ୍ପ ସଂପର୍କରେ ଘୋଷଣା କରିଥିଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ। କିନ୍ତୁ ରାଜ୍ୟ ଓ କେନ୍ଦ୍ରର ଟଣାଓଟରା ଯୋଗୁଁ ଦୀର୍ଘ ୭ ବର୍ଷ ହେବ ଏହା ଝୁଲି ରହିଆସିଛି। ପ୍ରଥମେ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ହେବାକୁ ଥିବା କୋଷ୍ଟାଲ ହାଇୱେର ନିର୍ମାଣ ଉପରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ବିଶେଷଜ୍ଞ କମିଟି ରୋକ୍‌ ଲଗାଇଥିଲେ। ୪୫୧କିମିର ଏହି କୋଷ୍ଟାଲ ହାଇୱେର ଗୋପାଳପୁରରୁ ରତନପୁର ପର୍ଯ୍ୟନ୍ତ (୨୪୦.୧୨ କିମି) ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ପରିବେଶ ଅନୁମତି ସାର୍ଟିଫିକେଟ୍‌ ଦେବାକୁ ପରିବେଶ ମନ୍ତ୍ରାଳୟର ବିଶେଷଜ୍ଞ କମିଟି ମନା କରିଦେଇଥିଲେ। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କୋଷ୍ଟାଲ ହାଇୱେକୁ ଚିଲିକା, ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ଭିତରକନିକାରୁ ଦୂରରେ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲା କମିଟି। ଏହି ଅଞ୍ଚଳରେ ରାସ୍ତା ନିର୍ମାଣ ହେଲେ ପରିବେଶ ଓ ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ ପଡ଼ିବ। ତେଣୁ ନୂଆ ବିକଳ୍ପ ରାସ୍ତା ଡିଜାଇନ୍ ପ୍ରସ୍ତୁତ କରି ପରିବେଶ ଅନୁମତି ପାଇଁ ଆବେଦନ କରିବାକୁ ମନ୍ତ୍ରାଳୟର ଏକ୍ସପର୍ଟ ଆପ୍ରାଇଜାଲ୍ କମିଟି (ଇଏସି) ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କହିଥିଲେ।

ଏହାପରେ କେନ୍ଦ୍ର ଓ ରାଜ୍ୟ ଉଭୟଙ୍କୁ ସୁହାଇଲା ଭଳି କୋଷ୍ଟାଲ ହାଇୱେର ନକ୍ସା ପ୍ରସ୍ତୁତ କରାଯାଇଥିଲା। ଗୋପାଳପୁର-ରତନପୁର କୋଷ୍ଟାଲ୍‌ ହାଇୱେକୁ ରଦ୍ଦ କରାଯାଇ ତୃତୀୟ ନକ୍ସା ପ୍ରସ୍ତୁତ କରାଯାଇଥିଲା। ଏହା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରୁ (ଜାତୀୟ ରାଜପଥ-୧୬) ବାହାରି ଚିଲିକା କଡ଼େକଡ଼େ ବ୍ରହ୍ମଗିରି ପର୍ଯ୍ୟନ୍ତ ଆସିବ। ବ୍ରହ୍ମଗିରି ଠାରୁ-ପୁରୀ-କୋଣାର୍କ- କାକଟପୁର ନିକଟ ଦେଇ ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ୍ ଭଣ୍ଡିସାହୀ ନିକଟକୁ ଛୁଇଁବ। ଏଠାରୁ ଡାବର-ଆମ୍ବଶାଳ-ବୋରିକିନା-ଏରସମା- ପାରାଦୀପ -ରତନପୁର-ସାତଭାୟା-ଧାମରା-ବାସୁଦେବପୁର-ତାଳପଦ-ଚାନ୍ଦିପୁର-ଚନ୍ଦନେଶ୍ବର ହୋଇ ଦୀଘା ପର୍ଯ୍ୟନ୍ତ ଯିବ। ପ୍ରାୟ ୪୦୦ କିମିର ରାସ୍ତା ହେବ। ଏହି ରାସ୍ତା ମୁଖ୍ୟତଃ ଓଡ଼ିଶାର ୬ଟି ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଦେଇଯିବ। ଏଥିରେ ପ୍ରାୟ ୯ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି। ଏହାକୁ ରାଜ୍ୟ ସରକାର ମଧ୍ୟ ଅନୁମୋଦନ କରିଛନ୍ତି। ଆକାଂକ୍ଷିତ ପ୍ରକଳ୍ପ ପାଇଁ ଏବେ ଜମି ଅଧିଗ୍ରହଣ ପୂର୍ବରୁ ନୋଟିସ୍‌ ଖବର କାଗଜରେ ପ୍ରକାଶ ପାଇଛି। କିନ୍ତୁ ଏହାକୁ ବି‌ରୋଧ କରାଯାଇଛି। ଜଗତସିଂହପୁର ଜିଲ୍ଲାର ଦୁଇଟି ତହସିଲ୍‌ ବାଲିକୁଦା ଓ ନାଉଗାଁରେ ଜମି ଅଧିଗ୍ରହଣ ପାଇଁ ନୋଟିସ୍‌ ପ୍ରକାଶ ପରେ ପ୍ରତିବାଦ ଆରମ୍ଭ ହୋଇଛି।

ଲୋକଙ୍କ ଅଭି‌ଯୋଗ ଅନୁସାରେ ପରିବେଶ ଦୃଷ୍ଟିରୁ ଚିଲିକା, ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ଭିତରକନିକାରୁ ଦୂରରେ ଯିବାପାଇଁ ପୂର୍ବରୁ ପ୍ରସ୍ତାବ ରହିଥିଲା। କିନ୍ତୁ ଜଗତସିଂହପୁର ଜିଲ୍ଲା ପ୍ରତି ସେଭଳି କୌଣସି ସମସ୍ୟା ନଥିଲା। ତିନିଟି ନକ୍ସା ଭିତରୁ ଦ୍ବିତୀୟ ନକ୍ସା ରାଜପଥ ପାଇଁ ଅନୁକୂଳ ରହିଥିଲା। ଏହା ପୁରୀ ଜିଲ୍ଲାର ଅସ୍ତରଙ୍ଗ-ନଗର ନିକଟ ଦେଇ ଜଗତସିଂହପୁର ଜିଲ୍ଲାର ମାଙ୍କଡ଼ଖିଆ ନିକଟକୁ ବାହାରୁଥିଲା। ଏହାପରେ ବାରବାଟିଆ-ଫୁଲବେଲାରୀ-କୁସୁପୁର-ତେନ୍ତୁଲିବେଲାରୀ ଦେଇ ପାରାଦୀପ ଯାଉଥିଲା। ମାଙ୍କଡ଼ଖିଆ ନିକଟରୁ ସମୁଦ୍ର ପ୍ରାୟ ୫ କିମି ହେଉଥିବା ବେଳେ ବର୍ତ୍ତମାନ ଚୂଡ଼ାନ୍ତ ନକ୍ସା ଉପକୂଳଠାରୁ ପ୍ରାୟ ୧୭ରୁ ୨୦ କିଲୋମିଟର ଦୂରରେ କରାଯାଉଛି। ଯାହା ଉପକୂଳ ରାଜପଥର ମୂଳ ଲକ୍ଷ୍ୟ ସାଧନ କରୁନାହିଁ। ଅସ୍ତରଙ୍ଗରେ ବନ୍ଦର ହେବା ପାଇଁ ଯୋଜନା ରହିଛି, ସେହିପରି ଜଗତସିଂହପୁର ଜିଲ୍ଲା ମରିଚିପୁର ନିକଟରେ ବନ୍ଦର-ପର୍ଯ୍ୟଟନସ୍ଥଳୀ, ଏରସମା ଶିଆଳି ଭଳି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି। ଉପକୂଳ ଠାରୁ ୨୦ କିମି ଦୂରରେ ଜାତୀୟ ରାଜପଥ କରାଗଲେ ସହଜରେ ବାଣିଜ୍ୟ, ପରିବହନ, ଉପକୂଳର ବିକାଶ, ପର୍ଯ୍ୟଟ୍ଟନର ବିକାଶ କେମିତି ସମ୍ଭବ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକ। ନକ୍ସା ଦୁଇ ଅନୁସାରେ ଜାତୀୟ ରାଜପଥ ଗଲେ ଯଦି ସମସ୍ୟା ଅଛି ତେବେ ପୁନର୍ବାର ସର୍ଭେ କରାଯାଇ ଉପକୂଳଠାରୁ ୫ରୁ ୧୦ କିମି ଭିତରେ ଜାତୀୟ ରାଜପଥ ନେବାକୁ ଦାବି କରାଯାଇଛି। ଯଦି ଏହାର ସୁବିଚାର ନ କରାଯାଏ, ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

indicative image

ଏଥିସହ ପଞ୍ଚାୟତବାସୀ ଓ ଜନପ୍ରତିନିଧିଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର ପ୍ରଧାନମନ୍ତ୍ରୀ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଭାରତ ସରକାରଙ୍କ ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ, ଜଗତସିଂହପୁର ଲୋକସଭା ସାଂସଦ, ଜାତୀୟ ରାଜପଥ ମନ୍ତ୍ରଣାଳୟ, ଭୁବନେଶ୍ୱରର ମୁଖ୍ୟ ସାଧାରଣ ପରିଚାଳକଙ୍କ ଉଦ୍ଦେଶ୍ୟରେ ଇ-ମେଲ ଓ ଡାକ ମାଧ୍ୟମରେ ପ୍ରେରଣ କରାଯାଇଛି। ଏଥିସହ ଖୁବ୍‌ଶୀଘ୍ର ଏକ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ସରକାରଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ତେବେ ଦୀର୍ଘ ୭ ବର୍ଷ ଧରି ଝୁଲି ରହିଥିବା ଏହି ପ୍ରକଳ୍ପ ଆରମ୍ଭ ପୂର୍ବରୁ ପୁଣି କେଁ ବାହାରିବା ଦ୍ବାରା ପ୍ରକଳ୍ପ ପୁଣି ପଛକୁ ଟାଣିହୋଇଛି। ତେବେ ଏହା ଭିତରେ କୋଷ୍ଟାଲ୍‌ ହାଇୱେର ଭାଗ୍ୟ କଣ ହେଉଛି ତାହା ଦେଖିବାକୁ ବାକି ରହିଲା।

ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଓଡ଼ିଶା ମୁଖ୍ୟ ଆର୍‌ ପି ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ ଓଡ଼ିଶା ଓ ଭାରତ ସରକାରଙ୍କ ସହମତିରେ ନକ୍ସା ପ୍ରସ୍ତୁତ କରାଯାଇଛି। ପୂର୍ବ ନକ୍ସାରେ ପରିବେଶ ସମ୍ପର୍କିତ କିଛି ସମସ୍ୟା ଥିବାରୁ ନକ୍ସା ବଦଳାଯାଇଥିଲା। ବର୍ତ୍ତମାନର ନକ୍ସାକୁ ଉଭୟ ସରକାର ଅନୁମୋଦନ ଦେଲା ପରେ ଚୂଡ଼ାନ୍ତ ହୋଇଛି। ତେବେ ଜଗତସିଂହପୁରରେ କାହିଁକି ନକ୍ସା ବଦଳିଲା, ତାହାର କୌଣସି ଉତ୍ତର ଶ୍ରୀ ପଣ୍ଡା ଦେଇନାହାନ୍ତି।

ସମ୍ବନ୍ଧିତ ଖବର