ଭିସୁଟ୍‌ ଶେଷ ବର୍ଷ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ!

ସମ୍ବଲପୁର : ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ ଭିସୁଟ୍‌ର ସବୁ ବର୍ଷର ପରୀକ୍ଷା ଅନ୍‌ଲାଇନ୍‌ରେ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନୋଟିସ୍ ଜାରି କରିଛନ୍ତି। ପୂର୍ବରୁ ଅନ୍‌ଲାଇନ୍ ପରୀକ୍ଷା ଓ ଘରକୁ ଯିବାକୁ ଅନୁମତି ଦାବିରେ ଗତ ୧୦ ତାରିଖରେ ଭିସୁଟ୍‌ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିଥିଲେ। ଏହାପରେ ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷ ବ୍ୟତୀତ ଅନ୍ୟ ବର୍ଷ ଗୁଡ଼ିକର ପରୀକ୍ଷା ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ (ବ୍ଲେଣ୍ଡେଡ୍‌ ମୋଡ୍‌)ରେ କରିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଜଣେ ବିଦ୍ୟାର୍ଥୀ ନିଜ ପସନ୍ଦ ମୁତାବକ ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇ ପାରିବ ତଥା ହଷ୍ଟେଲ୍‌ରେ ରହିପାରିବ ବା ଘରକୁ ଯାଇ ପାରିବ ବୋଲି କର୍ତ୍ତୃପକ୍ଷ ଗତ ୧୧ ତାରିଖ ଦିନ ନୋଟିସ୍ ଜାରି କରିଥିଲେ। ରାଜ୍ୟର ସବୁ ବୈଷୟିକ ଅନୁଷ୍ଠାନ ଅନ୍‌ଲାଇନ୍‌ ପରୀକ୍ଷା କରିବାକୁ ଗତ ୧୨ ତାରିଖରେ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ଏହାପରେ ଶେଷ ବର୍ଷ ବ୍ୟତୀତ ଅନ୍ୟ ବର୍ଷ ଗୁଡ଼ିକର ଅଫ୍‌ଲାଇନ୍‌ ପରୀକ୍ଷାକୁ ସଂପୂର୍ଣ୍ଣ ବାତିଲ କରି କେବଳ ଅନ୍‌ଲାଇନ୍‌ ମୋଡ୍‌ରେ ହେବ ବୋଲି ଗତ ୧୩ ତାରିଖରେ ଭିସୁଟ୍‌ କର୍ତ୍ତୃପକ୍ଷ ନୋଟିସ୍‌ ଜାରି କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ଶେଷ ବର୍ଷ ପରୀକ୍ଷା ନେଇ କିଛି ସ୍ପଷ୍ଟ କରାଯାଇ ନଥିବାରୁ ପିଲାଙ୍କ ମଧ୍ୟରେ ଦ୍ବନ୍ଦ୍ବ ଲାଗି ରହିଛି।

ଏ ସଂପର୍କରେ ଭାରପ୍ରାପ୍ତ କୁଳପତି ପ୍ର. ବିବି ପତି କହିଛନ୍ତି ଯେ ୧୩ ତାରିଖରେ ଶେଷ ବର୍ଷ ସମେତ ସବୁ ସେମିଷ୍ଟର୍‌ର ଅଫ୍‌ଲାଇନ୍ ପରୀକ୍ଷା ବାତିଲ କରାଯିବା ସଂପର୍କିତ ନୋଟିସ୍ ହୋଇଛି। ଆଉ କୌଣସି ଅଫ୍‌ଲାଇନ୍ ପରୀକ୍ଷା ହେବ ନାହିଁ। ଅନ୍‌ଲାଇନ୍‌ରେ ଉଭୟ କ୍ଲାସ୍‌ ଓ ପରୀକ୍ଷା ହେବ। ନୂଆ ପରୀକ୍ଷା ସୂଚୀ ଶୀଘ୍ର ପ୍ରକାଶ ପାଇବ ବୋଲି ସେ କହିଥିଲେ। ଏ ସଂପର୍କରେ ଅଧିକ ସ୍ପଷ୍ଟ କରି ଭିସୁଟ୍‌ର ବରିଷ୍ଠ ପ୍ରଫେସର ତଥା ଜନସଂପର୍କ ଅଧିକାରୀ ପ୍ର. ପିସି ସ୍ବାଇଁ କହିଛନ୍ତି ଯେ ଶେଷ ବର୍ଷ ଗୁଡ଼ିକର ପରୀକ୍ଷା ‌ ଆଗୁଆ ଶେଷ ହୋଇଥିବାରୁ ସେମାନଙ୍କର ଆଉ ଅନ୍‌ଲାଇନ୍‌ରେ କରିବା ଆବଶ୍ୟକତା ନଥିଲା। ତେଣୁ ନୋଟିସ୍‌ରେ ଶେଷ ବର୍ଷ ବ୍ୟତୀତ ଅନ୍ୟ ସବୁ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ ବୋଲି ଉଲ୍ଲେଖ ଥିବା ସେ କହିଛନ୍ତି। ଅପରପକ୍ଷରେ ଶେଷ ବର୍ଷର ଛାତ୍ର ଓ ଅଭିଭାବକଙ୍କ କହିବା ହେଲା ବିଟେକ୍‌ ଅଷ୍ଟମ ସେମିଷ୍ଟର୍‌ରେ ମଧ୍ୟ ଥିଓରି ପେପର୍‌ ରହିଛି। ତେଣୁ ସେ ସଂପର୍କରେ କର୍ତ୍ତୃପକ୍ଷ ସ୍ପଷ୍ଟ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର