ସହିଦ ସମ୍ପର୍କୀୟଙ୍କୁ ଧକ୍କା ମାରିବା ଘଟଣା : ଅଡ଼ୁଆରେ ବିଧାୟକ ଦେବାଶିଷ

ବିଧାୟକଙ୍କ ଗିରଫ ଦାବି କଲେ ବିଜେପି, କ˚ଗ୍ରେସ; ଦଳ ନିଷ୍ପତ୍ତି ନେବ: ବିଜେଡି

ଭୁବନେଶ୍ବର : ଜମ୍ମୁ-କାଶ୍ମୀର ପୁଲ୍‌ୱାମା ସହିଦ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ମାରିଥିବା ବେକିଆ ମାମଲାକୁ ନେଇ ଶୁକ୍ରବାର ଖଣ୍ଡଗିରି ଥାନାରେ ଏକ ଅଭିଯୋଗ ହୋଇଛି। ଏ ନେଇ ସୁବାସ ମହାପାତ୍ର ନାମକ ଜଣେ ବ୍ୟକ୍ତି ମେଲ୍‌ ଯୋଗେ ନିଜ ଅଭିଯୋଗକୁ ପଞ୍ଜୀକରଣ କରାଇଛନ୍ତି। ଏଥିରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ଦେବାଶିଷଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିବାକୁ ଦାବି କରିବା ସହ ସହିଦଙ୍କ ସମ୍ପର୍କୀୟଙ୍କ ପରିବାରର ଓ ନିଜର ସୁରକ୍ଷା ଲୋଡ଼ିଛନ୍ତି। ସୁବାସ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୧୬ ତାରିଖ ଦିନ ସହିଦ ମନୋଜଙ୍କ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ବିଧାୟକ ଶ୍ରୀ ସାମନ୍ତରାୟ ମନୋଜଙ୍କ ସମ୍ପର୍କୀୟଙ୍କୁ ଧକ୍କା ମାରି ତଳେ ବସାଇ ଦେଇଥିଲେ। ଏହି ଦୃଶ୍ୟର ଫୁଟେଜ୍ ଭାଇରାଲ୍‌ ହୋଇ ପାକିସ୍ତାନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଫଳରେ ବିଧାୟକଙ୍କ ଏହି କାଣ୍ଡ ଧାରା ୧୨୪ (ଏ) ଅନୁସାରେ କେନ୍ଦ୍ର ସରକାରଙ୍କ ସମ୍ମାନରେ ଆଞ୍ଚ ଆଣିଛି। ସେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ବିଟ୍‌ କରି ଜଣାଇଥିଲେ ବି ବିଧାୟକଙ୍କ ବିରୋଧରେ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ତେଣୁ ଏହି ମାମଲାରେ ସୁବାସ ଉଭୟ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ଆଣ୍ଟି ନେସନାଲ୍‌ ବୋଲି ଅଭିହିତ କରି ଉପରୋକ୍ତ ଦାବି କରିଛନ୍ତି।

ଓଡ଼ିଆ ଯବାନଙ୍କ ପରିବାରକୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଧକ୍କା ମାରିବା ଦୁର୍ଭାଗ୍ୟଜନକ। ଦେଶକୁ ଅପମାନିତ କରିଥିବା ଅପରାଧରେ ଦେବାଶିଷଙ୍କୁ ଗିରଫ କରାଯାଉ ଓ ମୁଖ୍ୟମନ୍ତ୍ରୀ ଯବାନଙ୍କ ପରିବାରକୁ ଭେଟି କ୍ଷମା ମାଗନ୍ତୁ ବୋଲି ବିଜେପି ପକ୍ଷରୁ ଦାବି ହୋଇଛି। ଆଜି ବିଜେପିର ପୂର୍ବତନ ସୈନିକ ପ୍ରକୋଷ୍ଠର ଆବାହକ ଅବସରପ୍ରାପ୍ତ(ଏଲ୍) ଜେନେରାଲ ନାରାୟଣ ମହାନ୍ତି କହିଛନ୍ତି, ଦେଶକୁ ଅପମାନିତ କରିଥିବା ଅପରାଧରେ କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଏତଲା ଦିଆଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ ପୁଲୱାମା ଆକ୍ରମଣ ପରେ ବାଲେଶ୍ବର ଜିଲ୍ଲାର ଖଇରା ଅଞ୍ଚଳରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। କାର୍ଯ୍ୟରତ ଜଣେ ଯବାନ ଅମୂଲ୍ୟ ବିନ୍ଧାଣି ଛୁଟିରେ ଘରକୁ ଆସିଥିବା ବେଳେ ନିଜେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମାତ୍ର ସ୍ଥାନୀୟ ସରପଞ୍ଚ ଏହାକୁ ବିରୋଧ କରିବା ସହିତ ଯବାନଙ୍କୁ ମାଡ଼ ମାରିବାକୁ ପଛାଇ ନ ଥିଲେ। ଏହା ବିରୋଧରେ ଶ୍ରୀ ବିନ୍ଧାଣି ଥାନାରେ ଅଭିଯୋଗ କରିଥିଲେ ହେଁ, ପୁଲିସ ମାମଲା ରୁଜୁ କରୁନାହିଁ। ସାମ୍ବାଦିକ ସମ୍ମିଳନୀରେ ଅବସରପ୍ରାପ୍ତ କର୍ଣ୍ଣେଲ ଲକ୍ଷ୍ମୀଧର ପରିଡ଼ା ଓ କର୍ଣ୍ଣେଲ ଏମ୍‌ ପି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଦଳରୁ ବହିଷ୍କାର କରିବା ସଙ୍ଗେ ସଙ୍ଗେ ଗିରଫ କରିବା ପାଇଁ ପ୍ରଦେଶ କଂଗ୍ରେସ ଦାବି କରିଛି। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସଭାରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ବରିଷ୍ଠ ନେତା ପ˚ଚାନନ କାନୁନ୍‌ଗୋ ଓ ମୁଖପାତ୍ର ଅଶୋକ ସାମଲ ପ୍ରମୁଖ ବିଧାୟକଙ୍କ ଗିରଫ ଦାବି କରିଛନ୍ତି। ସେମାନେ କହିଛନ୍ତିି ଯେ ଏହି ଘଟଣାଟି ସାରା ଭାରତବର୍ଷରେ ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ପାକିସ୍ତାନରେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ଓ ପ୍ରସାରିତ ହୋଇଛି। ଶ୍ରୀ ସାମନ୍ତରାୟଙ୍କ କ୍ଷେତ୍ରରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଘଟଣା ଓଡିଶାକୁ ସାରା ଦେଶରେ ଅପନିନ୍ଦିତ କରାଇଛି।

ଏ ସଂପର୍କରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ଏହି ଘଟଣାରେ ସଂପୃକ୍ତ ବିଧାୟକ କ୍ଷମା ମାଗିସାରିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ପ୍ରଶ୍ନର ଉତ୍ତରରେ ସେ ନେଇ ଦଳ (ବିଜେଡି) ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର