ଦେବଗଡ଼: ୨୦୨୪ରେ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବ। ଆସନ୍ତା ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଆସନ ୯ରୁ ୯୦ କୁ ବୃଦ୍ଧି ପାଇବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶନିବାର ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଅବସରରେ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁଙ୍କ ନେତୃତ୍ୱରେ ଜେଲ ଛକ ନିକଟରୁ ବହୁ କର୍ମୀ ଶ୍ରୀ ପଟ୍ଟନାୟକଙ୍କୁ ସ୍ବାଗତ କରି ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ। ପରେ ଗୋପାଳଜିଉ ମନ୍ଦିରର ସେଣ୍ଟର ଫର କଲ୍ଚର କଲ୍ୟାଣ ମଣ୍ଡପକୁ ନେଇ ସମ୍ବର୍ଦ୍ଧିତ କରିଥିଲେ। ସେଠାରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଯୋଗ ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉପରୋକ୍ତ ମନ୍ତବ୍ୟ ରଖି ଦଳକୁ ଅଧିକ ମଜବୁତ କରିବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସଭାରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦିକା ମାଣିକ ପ୍ରଭା ପ୍ରଧାନ, ପୂର୍ବ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେହେରା , ଟ୍ରେଡ୍ ୟୁନିୟନ ନେତା କିଶୋର ଜେନା, ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ବୀରେନ ସେନାପତି, କଂଗ୍ରେସ ନେତା ଜ୍ଞାନ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସେମାନଙ୍କୁ ବି ସମ୍ବର୍ଦ୍ଧିତ କରାଯାଥିଲା। ଅତିଥିମାନେ କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତିକୁ ତୀବ୍ର ସମାଲୋଚନା କରିବା ସହ ଦଳୀୟ କର୍ମୀମାନେ କେନ୍ଦ୍ର ସରକାରଙ୍କ ଉକ୍ତ ନୀତି ଓ ରାଜ୍ୟ ସରକାରଙ୍କ ବିଫଳତା, ରାଜ୍ୟ ଓ ଦେଶ ପାଇଁ କଂଗ୍ରେସର ବଳିଦାନ ଆଦି ପ୍ରତି ଘରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ହାତ ହରାଇଥିବା ରିଆମାଳ ବ୍ଲକ୍ କଣ୍ଟାବାହାଲ ପଞ୍ଚାୟତ ଲକ୍ଷ୍ମୀପୁର ଗ୍ରାମର ୭ ବର୍ଷର ବାଳକ ମୁନାର ଭବିଷ୍ୟତକୁ ସୁରକ୍ଷିତ କରିବା ଲାଗି ଟିପିଡବ୍ଲ୍ୟୁଓଡିଏଲ କ୍ଷତିପୁରଣ ପ୍ରଦାନ କରୁ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରିଛି।
ସେ ସଂପର୍କରେ ଜିଲ୍ଲା କଂଗ୍ରେସ କମିଟି ରାଜ୍ୟ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହା ସହିତ ବରିଷ୍ଠ ନେତା ଧରଣୀଧର ଗଡ଼ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମରମ, ଜିଲ୍ଲା ମହିଳା ସଭାନେତ୍ରୀ ମଞ୍ଜୁଲତା ନାୟକ, ଏସ୍ସି ସେଲ ସଭାପତି ମଞ୍ଜୁଳ ନାୟକ, କୃଷକ ସେଲ ସଭାପତି ସନ୍ତୋଷ ସାହୁ, ବରିଷ୍ଠ ନେତା ନେତ୍ରାନନ୍ଦ ସାମଲ, ବସନ୍ତ ମିଶ୍ର, ଡିସିସି ଉପସଭାପତି ସଚ୍ଚିଦାନନ୍ଦ ପଟ୍ଟନାୟକ, ସୁବାସ ଚନ୍ଦ୍ର ଭୋଇ, ସାଧାରଣ ସଂପାଦକ ବିନୋଦ ବିହାରୀ ନାୟକ, ଅମରଜିତ ବାର୍ଲା, ନଗର ସଭାପତି ପ୍ରକାଶ ଚନ୍ଦ୍ର ଦେବତା, ଆଇନଜୀବୀ ମନୋଜ ପାଢୀ, ରିଆମାଳ ବ୍ଲକ ସଭାପତି ସୁଶୀଲ ସାହୁ, ତିଲେଇବଣି ବ୍ଲକ ସଭାପତି ଗଣେଶ ପ୍ରଧାନ, ବାରକୋଟ ବ୍ଲକ ସଭାପତି କ୍ଷୀରସାଗର ପ୍ରଧାନଙ୍କ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।