ଯେତେ ସଫଳତା ପାଇଲେ ବି ନିଜ ମାଟିକୁ ଭୁଲନାହିଁ: ତନୟା

‘ସମ୍ବାଦ’ ମାଟ୍ରିକ୍‌ ଚାମ୍ପିଅନ୍‌ସଙ୍କ ସମ୍ବର୍ଦ୍ଧନା ସମାରୋହ

ଅନୁଗୁଳ : କୁହାଯାଏ, ଗଙ୍ଗାରେ ବୁଡ଼ ପଡ଼ିଲେ ସବୁ ଦୁଃଖ ଦୂର ହୁଏ। ଶିକ୍ଷା ହେଉଛି ସେହି ଗଙ୍ଗା, ଯେଉଁଥିରେ ବୁଡ଼ି ରହିଲେ କେବଳ ଦୁଃଖ ଦୂର ହୁଏ ନାହିଁ, ବରଂ ଆଗକୁ ବଢ଼ିବାର ସହାୟକ ହୁଏ। ତେଣୁ, ସମସ୍ତେ ଏହି ଶିକ୍ଷାମାର୍ଗର ପଥିକ ହେବା ଜରୁରୀ। ଅନୁଗୁଳ ଟ୍ରକ୍‌ ମାଲିକ ସଂଘ ପ୍ରେକ୍ଷାଳୟରେ ଶନିବାର ଦିନ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ମାଟ୍ରିକ୍ ଚାମ୍ପିଅନ୍‌ସ-୨୦୨୨ ସମ୍ବର୍ଦ୍ଧନା ସମାରୋହରେ ଯୋଗ ଦେଇ ଅତିଥିଗଣ ଏହା କହିଛନ୍ତି। ମାଟ୍ରିକ୍‌ ପରୀକ୍ଷାରେ ୯୫ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ବ ହାସଲ କରିଥିଲା ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ‘ସମ୍ବାଦ’ ଗ୍ରୁପ୍‌ର ନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଥିଲେ, ଶିକ୍ଷା ହେଉଛି ବ୍ୟକ୍ତିତ୍ବ, ଚରିତ୍ର ଗଠନ ଏବଂ ସୃଜନଶୀଳତାର ମୂଳ ଆଧାର। ଏ ଆଧାର ବଳରେ ବିଦ୍ୟାର୍ଥୀମାନେ ବଳୀୟାନ ହେବା ଉଚିତ୍‌।

ବର୍ତ୍ତମାନ ପିଲାମାନଙ୍କ ମଧ୍ୟରେ ସୃଜନଶୀଳତାର ଢେର୍‌ ଅଭାବ ରହିଛି, ତାକୁ ନେଇ ସେ କେବଳ ଉଦ୍‌ବେଗ ପ୍ରକାଶ କରି ନାହାନ୍ତି, ବରଂ ଆତ୍ମସ୍ବାର୍ଥୀ ହୋଇପଡ଼ୁଥିବା ଶିକ୍ଷିତ ଯୁବଗୋଷ୍ଠୀ ସମାଜର ଉତ୍ତର ଦାୟିତ୍ବ ମୁଣ୍ଡାଇବା ପାଇଁ ସେ ପରାମର୍ଶ ଦେଇଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନୁଗୁଳ ବନଖଣ୍ଡ ଅଧିକାରୀ ବିବେକ କୁମାର କହିଥିଲେ, ଶିକ୍ଷା ହେଉଛି ଏମିତି ଏକ ଅସ୍ତ୍ର, ଯାହା ସବୁ ବୈଷମ୍ୟ ଭିତରେ ଏକତା ପ୍ରଦର୍ଶନ କରାଏ। ତଳୁ ଉପରକୁ ଉଠିବାକୁ ସାହସ ଦିଏ। ବିଦ୍ୟାର୍ଥୀମାନେ ଏ ଅସ୍ତ୍ରର ସଦୁପଯୋଗ କରିବା ଉଚିତ୍‌।
ଜେଏସ୍‌ପିଏଲ୍‌ ନିର୍ବାହୀ ନିର୍ଦେଶକ ହୃଦେଶ୍ବର ଝା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷିତ ଯୁବକ ଦେଶର ବିକାଶ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ତାହା ବୁଝାଇଥିଲେ। କହିଥିଲେ, ଯେଉଁ ଦେଶର ଯୁବକ ଯେତେ‌ ଶିକ୍ଷିତ, ସେ ଦେଶ ସେତେ ବିକଶିତ। ପାଠପଢ଼ାର ଶେଷ ନାହିଁ। ଯେଉଁ ବିଷୟରେ ରୁଚି ଅଛି, ପିଲାମାନେ ସେଥିରେ ସଫଳତାର ଶୀର୍ଷ ଚଢ଼ନ୍ତୁ। ପାଠପଢ଼ା କେବଳ ପରୀକ୍ଷା କିମ୍ବା ଚାକିରି ଉଦ୍ଦେଶ୍ୟରେ କରିବା ଉଚିତ୍‌ ନୁହେଁ, ବରଂ ଜ୍ଞାନ ବର୍ଦ୍ଧନ ପାଇଁ କରିବାକୁ ଶ୍ରୀ ଝା ପରାମର୍ଶ ଦେଇଥି‌ଲେ। ‘ସମ୍ବାଦର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ପ୍ରାରମ୍ଭିକ ଭାଷଣରେ ମେଧାବୀ ବିଦ୍ୟାର୍ଥୀମାନଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ ଉପଦେଶ ଦେଇଥିଲେ।

ସଭାପତିତ୍ବ ଭାଷଣରେ ଶ୍ରୀମତୀ ପଟ୍ଟନାୟକ କହିଥିଲେ, ଜୀବନ ହେଉଛି ଗୋଟିଏ ବଡ଼ ପରୀକ୍ଷା। ମାଟ୍ରିକ୍‌ କେବଳ ଆରମ୍ଭ ମାତ୍ର। ଆମେ ନିଜଠୁ ତଳ ସ୍ତରର ଲୋକଙ୍କ ସହିତ କେମିତି ବ୍ୟବହାର କରୁଛ‌େ, ତାହା ହିଁ ହେଉଛି ଆମର ବଡ଼ ମାର୍କସିଟ୍। ପିଲାମାନେ ଜୀବନର ସଫଳତା ଏବଂ ବିଫଳତାରୁ ଶିକ୍ଷାଲାଭ କରିବାକୁ ସେ ପରାମର୍ଶ ଦେଇଥିଲେ। ଅଭିଭାବକଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ବାପା-ମାଙ୍କର ସହଯୋଗ ମିଳିବା ହେଉଛି ପିଲାଙ୍କ ପାଇଁ ଏକ ବଡ଼ ଉପହାର। ସେମାନଙ୍କ ଉପରେ ନିଜ ସ୍ବପ୍ନକୁ ଲଦି ଦେବା ପରିବର୍ତ୍ତେ ସେମାନଙ୍କର ପ୍ରବୃତ୍ତି ଅନୁରୂପ ବୃତ୍ତି ଚୟନ ପାଇଁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ମେଧାବୀ ପିଲାମାନେ ଯେଉଁ ବୃତ୍ତିକୁ ଆପଣାର କରନ୍ତୁ ନା କାହିଁକି, ସେଥିରେ ଶ୍ରେଷ୍ଠ ଏବଂ ଉତ୍କର୍ଷ ହାସଲ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯେତେ ସଫଳ ହେଲେ ବି କଦାପି ଜନ୍ମମାଟିକୁ ନ ଭୁଲିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ମାଟ୍ରିକ୍‌ ପରୀକ୍ଷାରେ ୯୫ପ୍ରତିଶତ ନମ୍ବର ରଖିଥିବା ଅନୁଗୁଳ ଜିଲ୍ଲାର ମୋଟ୍ ୭ଟି ବିଦ୍ୟାଳୟରୁ ୨୫ଜଣ ଓ ଢେଙ୍କାନାଳ ଜିଲ୍ଲାର ୧୨ଟି ବିଦ୍ୟାଳୟରୁ ୨୪ଜଣ ମେଧାବୀ ଛାତ୍ରଛାତ୍ରୀ ଓ ସଂପୃକ୍ତ ସ୍କୁଲ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ‘ସମ୍ବାଦ ଅନୁଗୁଳ ସଂସ୍କରଣର ଡେସ୍କ୍‌ ଇନ୍‌ଚାର୍ଜ ପ୍ରଦ୍ୟୁମ୍ନ ରାଉତ ଅତିଥି ପରିଚୟ ଦେଇଥିବା ବେଳେ ଅନୁଗୁଳ ଜିଲ୍ଲା ପ୍ରତିନିଧି ପତିତପାବନ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ବିଜ୍ଞାପନ ବିଭାଗ ଅଧିକାରୀ ସୁବାସ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର