ଏକଜୁଟ୍‌ ହୋଇ କାମ କଲେ କଂଗ୍ରେସ ଶାସନକୁ ଫେରିବ

କଂଗ୍ରେସ ଭବନରେ ‌ଚେଲ୍ଲା କୁମାରଙ୍କୁ ସମ୍ବର୍ଦ୍ଧନା, ବିଧାୟକ, ବରିଷ୍ଠ ନେତାଙ୍କ ସହ ବିଚାର ବିମର୍ଶ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ଏ ଚେଲ୍ଲାକୁମାରଙ୍କୁ ଆଜି କଂଗ୍ରେସ ଭବନରେ ସମ୍ବର୍ଦ୍ଧିତ କରାଯାଇଛି। ସମ୍ବର୍ଦ୍ଧନାର ଉତ୍ତରରେ ନୂଆ ପ୍ରଭାରୀ କହିଛନ୍ତି ଯେ କଂଗ୍ରେସ ନେତୃବୃନ୍ଦ ନିଜ ନିଜ ଭିତରେ ମତପାର୍ଥକ୍ୟ ଭୁଲି ଏକଜୁଟ୍‌ ହୋଇ କାମ କରନ୍ତୁ। ଏହା ଦ୍ବାରା ରାଜ୍ୟ ତଥା ଦେଶରେ କଂଗ୍ରେସ ପୁଣି ଶା‌ସନକୁ ଫେରିବ।

ନୂଆ ପ୍ରଭାରୀ କହିଥିଲେ ଯେ କଂଗ୍ରେସକୁ ଆଗେଇ ନେବା ପାଇଁ ଓ ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ହେଲେ ଦଳୀୟ ସଂଗଠନ କିପରି ମଜବୁତ୍ ହେବ ସେ ନେଇ ସମସ୍ତେ ଚିନ୍ତା କରନ୍ତୁ। ପିସିସି ସଭାପତି କିଏ ହେବ ସେ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଓଡ଼ିଶାରେ ସଂଗଠନକୁ ଦୃଢ଼ କରିବା ପାଇଁ ନିଃସ୍ବାର୍ଥପର ଭାବେ କାମ କରିବାକୁ ସେ ଆହ୍ବାନ ଦେଇଥିଲେ। ସଭାରେ ଅଧ୍ୟକ୍ଷତା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଗତ ଦିନରେ କଂଗ୍ରେସର ସାଂଗଠନିକ ପରିସ୍ଥିତି ଓ ଗତ ନିର୍ବାଚନରେ ବିପର୍ଯ୍ୟୟ ପ୍ରସଙ୍ଗରେ ପ୍ରଭାରୀଙ୍କୁ ଅବଗତ କରାଇଥି‌େଲ। ଦଳର ସମସ୍ତ ନେତୃବୃନ୍ଦ ଓ କର୍ମୀ ଏକଜୁଟ୍‌ ହୋଇ ଉଦ୍ୟମ କଲେ ଆଗାମୀ ଦିନରେ କଂଗ୍ରେସ ଭ୍ରଷ୍ଟାଚାରୀ ସରକାରକୁ ପରାସ୍ତ କରିପାରିବ ବୋଲି ସେ କହିଥିଲେ।

କଂଗ୍ରେସର ସାଂଗଠନିକ ପରିସ୍ଥିତିକୁ ଅନୁଧ୍ୟାନ କରି ଯଥାଶୀଘ୍ର କମିଟି ପୁନର୍ଗଠନ କରିବା ପାଇଁ ପ୍ରଭାରୀଙ୍କୁ ବରିଷ୍ଠ ନେତାମାନେ ଅନୁରୋଧ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ, ଚିରଞ୍ଜୀବୀ ବିଶ୍ବାଳ, ପ୍ରଦୀପ ମାଝୀ, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ସପ୍ତଗିରି ଉଲ୍ଲାକା, ସୁ‌ରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ରମେଶ ଜେନା ଓ ଅଧିରାଜ ମୋହନ ପାଣିଗ୍ରାହୀ ପ୍ରମୁଖ ନୂଆ ପ୍ରଭାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଭୁବନେଶ୍ବର ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

ଅପରାହ୍ନରେ ଚେଲ୍ଲା କୁମାର ରାଜ୍ୟର ବରିଷ୍ଠ ନେତାମାନଙ୍କୁ ଭେଟି ସଂଗଠନକୁ ଦୃଢ଼ କରିବା ପାଇଁ ବିଚାର ବିମର୍ଶ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଦଳୀୟ ବିଧାୟକମାନଙ୍କ ଏକ ବୈଠକରେ ସେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏହି ବୈଠକରେ ଉପସ୍ଥିତ ଥିଲେ। ଦୁଇଟି ଉପନିର୍ବାଚନ ସହ ଆଗାମୀ ଦିନରେ ବିଧାୟକମାନଙ୍କୁ ନେଇ କଂଗ୍ରେସକୁ ମଜଭୁତ୍ କରିବା ଓ ଲୋକଙ୍କ ପାଖରେ ପହଞ୍ଚିବା ନେଇ ଆଲୋଚନା ହୋଇଥିଲା। ସରକାର କରିଥିବା ଦୁର୍ନୀତିର ଚାର୍ଜସିଟ୍‌ ପ୍ରସ୍ତୁତ କରି ଦଳ ଲୋକଙ୍କ ପାଖକୁ ଯିବ ବୋଲି ନିଷ୍ପତ୍ତି ହୋଇଥିଲା। ପିସିସି ଏକ ନୂଆ ରୂପରେ ଆସିବ ବୋଲି ପ୍ରଭାରୀ କହିଥିଲେ।

ସକାଳେ କଂଗ୍ରେସ ଭବନରେ ପହଞ୍ଚିବା ସମୟରେ ଗଣମାଧ୍ୟମକୁ ଚେଲ୍ଲା କୁମାର କହିଥିଲେ ଯେ ୨୦୨୪ରେ କଂଗ୍ରେସ ନିଶ୍ଚିତ ଭାବେ କ୍ଷମତାକୁ ଫେରିବ। ଆମ ଦଳରେ ଦକ୍ଷ ଓ ଉତ୍ସର୍ଗୀକୃତ ନେତା ଅଛନ୍ତି। ଦଳକୁ ମଜଭୁତ୍ କରିବା ଓ ଭୋଟର୍‌ଙ୍କର ପୂର୍ବ ଭରସାକୁ ଫେରାଇ ଆଣିବାକୁ ତୃଣମୂଳ ସ୍ତରରେ ଦଳୀୟ କର୍ମୀ କିପରି ପହଞ୍ଚିବେ ତାହା ଉପରେ କାମ କରିବା ଦରକାର। ଦଳୀୟ କନ୍ଦଳ ବାବଦରେ ଗଣମାଧ୍ୟମର ପ୍ରଶ୍ନରେ ସେ କହିଥିଲେ ଯେ ଦଳ ଓ ନେତାଙ୍କ ଭିତରେ ଭିନ୍ନ ମତ ରହିଛି। କିନ୍ତୁ ସେମାନେ ସମସ୍ତେ କଂଗ୍ରେସ ପରିବାରର। ଏକଥା ଯେମିତି ବିରୋଧୀମାନେ ଭୁଲି ନ ଯା’ନ୍ତି।

ସମ୍ବନ୍ଧିତ ଖବର