ଭୁବନେଶ୍ବର : ନବନିଯୁକ୍ତ ତିରୁପତି ତିରୁମାଲା ଦେବସ୍ଥାନମ୍‌ର ସମିତି ସଦସ୍ୟ ଦଶାରୀ ମୁରଲୀକ୍ରିଷ୍ଣା ତିରୁପତିସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି।

Advertisment

ଏହି ଅବସରରେ ହଜାର ହଜାର ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ନେଇ ତିରୁପତି ଉତ୍କଳ ପରିଷଦ ତରଫରୁ ନବନିଯୁକ୍ତ ସଦସ୍ୟଙ୍କ ସମ୍ମାନାର୍ଥେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଡା. ମୁରଲୀକ୍ରିଷ୍ଣା ଶ୍ରୀଜିଉଙ୍କ ଦର୍ଶନ କରି ସମସ୍ତ ଉତ୍କଳୀୟ ଭାଇଭଉଣୀମାନଙ୍କ ମଙ୍ଗଳ କାମନା କରିଥିଲେ।

ପରିଷଦର ନ୍ୟାସୀ ପ୍ରଫେସର୍‌ ରାଧାଗୋବିନ୍ଦ ତ୍ରିପାଠୀ ସାଲ୍ ଓ ଉପଢ଼ୌକନ ଦେଇ ସସ୍ତ୍ରୀକ ଡା. ମୁରଲୀକ୍ରିଷ୍ଣାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ବିଶ୍ୱବିଦ୍ୟାଳୟର ଉତ୍କଳୀୟ ଛାତ୍ରଛାତ୍ରୀମାନଙ୍କ ଆଗାମୀ ଭବିଷ୍ୟତ ପନ୍ଥା ବିଷୟରେ ପରିଷଦର ସଦସ୍ୟସଦସ୍ୟାମାନଙ୍କ ଦ୍ବାରା ଚର୍ଚ୍ଚା ହୋଇଥିଲା। ଏହି ଅବସରରେ ଡା. ମୁରଲୀକ୍ରିଷ୍ଣା ଉତ୍କଳୀୟ ଭାଇଭଉଣୀମାନଙ୍କୁ ଯଥାଶକ୍ତି ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରିଷଦର ସଦସ୍ୟା ପାରମିତା ପଣ୍ଡା ସଭା ସଞ୍ଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁରଲୀକ୍ରିଷ୍ଣାଙ୍କୁ ପରିଷଦର ସଚିବ ଡା. ଜ୍ଞାନରଞ୍ଜନ ପଣ୍ଡା କୃତଜ୍ଞତା ଜ୍ଞାପନ ସହ ଦୁବାଇସ୍ଥିତ ଓଡ଼ିଆ ସଂଘର ସଭାପତି ଡା. ଚନ୍ଦ୍ରଶେଖର ଖୁଣ୍ଟିଆଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିରେ ବିଶ୍ବବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ସମ୍ବର୍ଦ୍ଧନା ସଭାକୁ ସଫଳ କରିଥିଲେ ।