ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ଆଜି ମୋତେ ମନ୍ତ୍ରୀ ପଦ ଦ୍ୱିତୀୟ ଥର ପାଇଁ ଦେଇଛନ୍ତି। ଯେଉଁ ବିଭାଗର ଦାୟିତ୍ୱ ମୋତେ ଦିଆଯାଇଛି ତାକୁ ସୁଚାରୁରୂପେ ପାଳନ କରିବି। ବଲାଙ୍ଗୀରରେ ଜଳସେଚନକୁ ଗୁରୁତ୍ୱ ଦେଇ କାମ କରିବା ସହ ନୂତନ ପ୍ରକଳ୍ପ ଯାହା ଜିଲ୍ଲାରେ ଆବଶ୍ୟକ ତାହା ସାଧାରଣ ଲୋକଙ୍କ ସହ ଆଲୋଚନା କରି ପଦକ୍ଷେପ ନେବି ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନୀ ସାହୁ।
ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗରେ ମନ୍ତ୍ରୀ ହେବା ପରେ ବୁଧବାର ବଲାଙ୍ଗୀର ଗସ୍ତରେ ଆସିଥିଲେ। ଗସ୍ତ ଅବସରରେ ବଲାଙ୍ଗୀର ପିପି ଏକାଡେମିଠାରେ ବଲାଙ୍ଗୀରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନୀଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ସଦର ବ୍ଲକ୍ ଅଧ୍ୟକ୍ଷା ସରିତା ବାଗ, ପୁଇନ୍ତଳା ବ୍ଲକ୍ ଅଧ୍ୟକ୍ଷ ସରୋଜ ପ୍ରଧାନ, ସମାଜସେବୀ ଡ. ମଞ୍ଜୁବାଳା ପଣ୍ଡା, ସାମ୍ବାଦିକା ଜୋତ୍ସ୍ନାମୟୀ ଦାସ ଯୋଗଦେଇଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଙ୍ଗ୍ ହ୍ୟୁମାନ ପ୍ରତିଷ୍ଠାତା ସୋମନାଥ ମିଶ୍ର ସ୍ୱାଗତ ବକ୍ତବ୍ୟ ଦେଇଥିଲେ। ଯୁବ ସଂଗଠକ ଲୋଟସ ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହାପରେ ମନ୍ତ୍ରୀଙ୍କୁ ବିଭିନ୍ନ ସଂଗଠନର ନେତୃବୃନ୍ଦ ନାଗରିକ ସମ୍ବର୍ଦ୍ଧନା ଦେଇଥିଲେ।
ବରିଷ୍ଠ ନାଗରିକ କମିଟି, ନାଗରିକ କମିଟି, ବଣିକ ସଂଘ, ବ୍ରାହ୍ମଣ ସମାଜ, ଗୁଜରାତି ସମାଜ, କୁବେର ସମାଜ, ମାରୱାଡ଼ି ସମାଜ, ଯାଦବ ସମାଜ, ଭୁଲିଆ ସମାଜ, ମୁସଲିମ ସମାଜ, ଘରୋଇ ବସ୍ ମାଲିକ ସଂଘ, ଟ୍ରକ୍ ମାଲିକ ସଂଘ, କେମିଷ୍ଟ ଏସୋସିଏସନ, ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ, ମାହେଶ୍ୱରୀ ସଂଗଠନ, ପଶ୍ଚିମ ଓଡ଼ିଶା ଯୁବମଂଚ, ସ୍ୱେଚ୍ଛାସେବୀ ସଂଗଠନ, ସ୍ମାଇଲ୍ ଫର୍ ଅଲ୍, ନାରୀ ଶକ୍ତି ଫାଉଣ୍ଡେସନ, ଅସୀମ କରାଟେ ସ୍କୁଲ, ମହିଳା ବିଜୁ ଜନତା ଦଳ, ଗାନ୍ଧୀ ପାଠାଗାର, ବଲାଙ୍ଗୀର ଦିନ୍ କମିଟି, ପ୍ରେରଣା, ସମସ୍ତ କାଉନ୍ସିଲର, ନଟରାଜ କଳା ପରିଷଦ ଓ ଅନ୍ୟାନ୍ୟ ସଂଗଠନର ନେତୃବୃନ୍ଦ ଓ କର୍ମକର୍ତ୍ତା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ମନ୍ତ୍ରୀ ସମସ୍ତ ସଂଗଠନକୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାର ବିକାଶ ପାଇଁ କାମ କରିବେ ବୋଲି କହିଥିଲେ।
ସଇନ୍ତଳା: ସଇନ୍ତଳାରେ ବି ମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ବୁଧବାର ଅପରାହ୍ଣରେ ସ୍ଥାନୀୟ ଡୁମାଲପଡ଼ା ଛକଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ବିବିନା ଛକ, ବରଗାଁ ଛକ, ଫପସିଠାରେ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଜେଡି ପକ୍ଷରୁ ବ୍ଲକ୍ ସଭାପତି ଟୁନୁ ରାଜପଲିଆ, ବିଧାୟିକାଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ଯୁବସାଧାରଣ ସଂପାଦକ ରାଜକିଶୋର ଡାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ହିମାଂଚଳ ବୁଡ଼େକ, ଯୁବସଭାପତି ଦିଲୀପ ରାଜପଲିଆ ପ୍ରମୁଖ ସମ୍ବର୍ଦ୍ଧନା ଦେଇଥିଲେ।