କଟକ : ଭିନ୍ନତା ଭିତରେ ଏକତା କେବଳ ଭାରତରେ ରହିଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଐକ୍ୟ ଭାବ ହିଁ ଆମର ଶ୍ରେଷ୍ଠ ସାମର୍ଥ୍ୟ। ଆଉ ଦେଶବାସୀଙ୍କ ସୁରକ୍ଷା ଓ ଶାନ୍ତି ପାଇଁ ଯେଉଁମାନେ ପ୍ରତିକୂଳ ସ୍ଥିତିରେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି, ସେହି ବୀର ସୈନିକଙ୍କ ପାଇଁ କେବଳ କୃତଜ୍ଞତା ଯଥେଷ୍ଟ ନୁହେଁ। ଲୁହ ଗଡ଼ାଇବାର ସମୟ ଆସିଛି ବୋଲି କହିଛନ୍ତି ହାଇକୋର୍ଟର ପ୍ରାକ୍ତନ ନ୍ୟାୟମୂର୍ତ୍ତି ଜଷ୍ଟିସ୍ ଅନନ୍ତ ସୂର୍ଯ୍ୟନାରାୟଣ ନାଇଡୁ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ବୀର ଓଡ଼ିଆ ସୈନିକଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜଷ୍ଟିସ୍ ନାଇଡୁ ଏହା କହିଛନ୍ତି।
ଜଷ୍ଟିସ୍ ନାଇଡୁ କହିଥିଲେ ଯେ ଦେଶବାସୀଙ୍କ ସୁଖ ଓ ଶାନ୍ତି କେବଳ ସୈନିକମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ସମ୍ଭବ ହୋଇଛି। ୧୯୭୧ ଯୁଦ୍ଧର ଅନେକ ବୀର ବିଜୟର ଟିକା ପିନ୍ଧି ଫେରିଥିବାବେଳେ ଆଉ କିଛି ମାତୃଭୂମି ପାଇଁ ସହିଦ ହୋଇଛନ୍ତି। କିନ୍ତୁ ସହିଦମାନଙ୍କୁ କିଛି ନିରସ ତଥା ଅପହଞ୍ଚ ସ୍ଥାନରେ ରହିଥିବା ଜମି ବ୍ୟତୀତ ଆମେ ଆଉ ଅଧିକ କଣ ଦେଇ ପାରିଛେ ବୋଲି ଜଷ୍ଟିସ୍ ନାଇଡୁ ପ୍ରଶ୍ନ କରିଥିଲେ। ସେହିମାନଙ୍କ ପାଇଁ ଲଢ଼ିବାର ସମୟ ଆସିଛି ଓ ଲଢ଼ିବା ପାଇଁ ସମସ୍ତ ପ୍ରକାର ଆଇନ ସହାୟତା ଦେବାକୁ ଜଷ୍ଟିସ୍ ନାଇଡୁ ଉପସ୍ଥିତ ପୂର୍ବତନ ସୈନିକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଯୁଦ୍ଧବୀର ସମ୍ମାନ ସମିତି ଓ ରୁଚି ପ୍ରତିଭା ଫାଉଣ୍ଡେସନ୍ର ମିଳିତ ଉଦ୍ୟମରେ ଶତାବ୍ଦୀଭବନରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଜେନେରାଲ୍ ଅଫିସର୍ କମାଣ୍ଡିଂ-ଇନ୍-ଚିଫ୍ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଜୟନ୍ତ କୁମାର ମହାନ୍ତି ୧୯୭୧ ଯୁଦ୍ଧର ରୋମାଞ୍ଚଭରା ଅଭିଜ୍ଞତା ବିଷୟରେ ବର୍ଣ୍ଣନା କରିଥିଲେ। ଏକତା ଆଉ ପରସ୍ପର ମଧ୍ୟରେ ଥିବା ଘନିଷ୍ଠତା ପାଇଁ ୧୯୭୧ଯୁଦ୍ଧରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲା ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ରୁଚି ପ୍ରତିଭା ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ଶରତ କୁମାର ସାହୁ ୧୯୭୧ ଭାରତ-ପାକ୍ ଯୁ୍ଦ୍ଧ ସମୟରେ ରକ୍ତଦାନ କରିବା ସହିତ ସୈନିକଙ୍କ କଲ୍ୟାଣ ପାଣ୍ଠିକୁ ସହାୟତା କରିଥିବା ବିଷୟରେ କହିଥିଲେ। ଆଗାମୀ ଦିନରେ ଯବାନଙ୍କୁ ସମ୍ମାନ ଓ ସହାୟତା ଦେବା ପାଇଁ ଯାହା ଆବଶ୍ୟକ ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ତାହା ପ୍ରଦାନ କରାଯିବ ବୋଲି ଡକ୍ଟର ସାହୁ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସୈନିକ ବୋର୍ଡ ସଂପାଦକ ଅବସରପ୍ରାପ୍ତ କମୋଡୋର୍ ଘନଶ୍ୟାମ ଓଝା କହିଥିଲେ ଯେ, ୧୯୭୧ ଯୁଦ୍ଧର ବିଜୟ ହିଁ ଭାରତକୁ ବିଶ୍ବରେ ଓ ଏସିଆ ମହାଦେଶରେ ଏକ ଶକ୍ତିଶାଳୀ ରାଷ୍ଟ୍ରର ମର୍ଯ୍ୟାଦା ଦେଇଥିଲା। ଏହି ଯୁଦ୍ଧରେ ପାକିସ୍ତାନ ଅଧା ସେନାବାହିନୀ, ଏକ ତୃତୀୟାଂଶ ନୌସେନା ଓ ଏକ ଚତୁର୍ଥାଂଶ ବାୟୁସେନା ଧ୍ବଂସ ହୋଇଥିବାରୁ ଉପାୟ ନପାଇ ପାକିସ୍ତାନ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା ବୋଲି ଶ୍ରୀ ଓଝା କହିଥିଲେ। ପ୍ରାରମ୍ଭରେ ସହିଦମାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ଗାଇଡ୍ ଛାତ୍ରୀ ସୋନାକ୍ଷୀ ପ୍ରିୟଦର୍ଶିନୀ ମହାନ୍ତି ‘ଇନ୍ଷ୍ଟ୍ରୁମେଣ୍ଟ୍ ଅଫ୍ ସରେଣ୍ଡର୍ ପାଠ କରିଥିଲେ।
ଯୁଦ୍ଧବୀର ସମ୍ମାନ ସମିତିର ଆବାହକ ତଥା ପୂର୍ବତନ ନୌସୈନିକ ସଚ୍ଚିକାନ୍ତ ନାଥଙ୍କ ସଂଯୋଜନାରେ ଆୟୋଜିତ ସମାରୋହରେ ଅବସରପ୍ରାପ୍ତ ଲେଫ୍ଟେନାଣ୍ଟ ଜେନେରାଲ ଜୟନ୍ତ କୁମାର ମହାନ୍ତି, ବ୍ରିଗେଡିୟର ବରଦା ପ୍ରସାଦ ପଟ୍ଟନାୟକ, ଗ୍ରୁପ୍ କ୍ୟାପଟେନ୍ ସୌମେନ୍ଦ୍ର କୁମାର ପଟ୍ଟନାୟକ, ଗ୍ରୁପ୍ କ୍ୟାପଟେନ୍ ବିରଜା ପ୍ରସାଦ ପଟ୍ଟନାୟକ, ୱିଙ୍ଗ୍ କମାଣ୍ଡର ବି.ଏସ୍. ସିଂହଦେଓ, ପେଟି ଅଫିସର ବୈକୁଣ୍ଠପ୍ରସାଦ ତ୍ରିପାଠୀ, ଅନରାରି କ୍ୟାପ୍ଟେନ୍ ତ୍ରିଲୋଚନ ବିଶ୍ବାଳ, ନାୟକ ଜଗବନ୍ଧୁ ବେହେରା, ପେଟି ଅଫିସର ସନାତନ ସାହୁ, ସୁବେଦାର କୈଳାସ ଚନ୍ଦ୍ର ବିଶ୍ବାଳ ଓ ହାବିଲଦାର ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କୁ ସମ୍ମାନିତ କରାଯାଇଥିଲା। ରୁଚି ପ୍ରତିଭା ଫାଉଣ୍ଡେସନର ଯୁଗ୍ମ ସଂପାଦକ ତଥା ରୁଚିର ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ଧନ୍ୟବାଦ ଦେଇଥିଲେ।