ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ଲାଜ୍‌ମା ଦାନ କରିଥିବା କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

୪ଜଣ କରିସାରିଲେଣି ପ୍ଲାଜ୍‌ମା ଦାନ

ବାରିପଦା : କରୋନା ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍‌ମା ଥେରାପୀ ଏକ ବିକଳ୍ପ ଭାବେ ଉଭା ହୋଇଛି। ଏଥିପାଇଁ ଜିଲ୍ଲାରେ କରୋନାରୁ ସୁସ୍ଥ ହୋଇ ପ୍ଲାଜ୍‌ମା ଦାନ କରିଥିବା କୋଭିଡ୍ ଯୋଦ୍ଧାଙ୍କୁ ଆଜି ଜିଲ୍ଲାପାଳ ବିନୀତ ଭରଜ୍ୱାଜ ସମ୍ବର୍ନ୍ଧିତ କରିଛନ୍ତି।ସ୍ୱେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦାନ କରିଥିବା ରାସଗୋବିନ୍ଦପୁର ବ୍ଲକ୍ ଝାଟିଅଡା ଗ୍ରାମର ହରେକୃଷ୍ଣ ଦଳେଇ’ଙ୍କୁ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ପ୍ଲାଜ୍‌ମା ଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ଉତ୍ସ ସାଜିଥିବାରୁ ତାଙ୍କ ସାଧୁବାଦ ଜଣାଇଥିଲେ। ଏଥିସହିତ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ଲାଜ୍‌ମା ସଂଗ୍ରହ ଦାୟିତ୍ୱରେ ଥିବା ଡ. ସିଦ୍ଧାର୍ଥ ଦାସଙ୍କୁ ମଧ୍ୟ ତାଙ୍କ ଦ୍ୱାୟିତ୍ୱ ଓ କର୍ତ୍ତବ୍ୟନିଷ୍ଠା ପାଇଁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ରୂପଭାନୁ ମିଶ୍ର, ବାରିପଦା ପିଏ ଆଇଟିଏ ତଥା ଜିଲ୍ଲା କୋଭିଡ୍ ନୋଡାଲ ଅଫିସର ବସନ୍ତ କୁମାର ସେଠୀ, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ଲାଜମାଦାତାଙ୍କୁ ଉତ୍ସାହିତ କରିଥିଲେ । ବର୍ତମାନ ସୁଦ୍ଧା ଜିଲ୍ଲାରେ ୪ ଜଣ ପ୍ଲାଜ୍‌ମା ଦାନ କରିସାରିଲେଣି। ଆଗାମୀ ଦିନରେ କରୋନାରୁ ସୁସ୍ଥ ଓ ଯୋଗ୍ୟ ବ୍ୟକ୍ତିଙ୍କୁ ସ୍କ୍ରିନିଂ କରାଯାଇ ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ସମ୍ବନ୍ଧିତ ଖବର