ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର, ଶିକ୍ଷକ ନିଲମ୍ବିତ

ହାଟଡିହି: ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ଶିକ୍ଷକଙ୍କୁ ମହାଙ୍ଗା ପଡ଼ିଲା। ଘଟଣାର ଚାରିଦିନ ପରେ ଆଜି ହାଟଡିହି ବ୍ଲକ୍‌ ଶିକ୍ଷା ଅଧିକାରୀ ସମ୍ପୃକ୍ତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳର ଶିକ୍ଷକ ଅନିରୁଦ୍ଧ ବିଶ୍ବାଳଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ, ଅନିରୁଦ୍ଧ ବିଶ୍ବାଳ ବିଦ୍ୟାଳୟର ଛାତ୍ରୀମାନଙ୍କୁ ବାରମ୍ବାର ଅଶାଳୀନ ବ୍ୟବହାର କରୁଥିଲେ। ଏନେଇ ଛାତ୍ରୀମାନେ ୧୮ ତାରିଖରେ ନିଜନିଜ ଅଭିଭାବକଙ୍କୁ ଜଣାଇଥିଲେ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ୩୦ରୁ ଊର୍ଦ୍ଧ୍ବ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟକୁ ଆସି ପ୍ରଧାନଶିକ୍ଷକଙ୍କୁ ଜଣାଇବା ସହିତ ଏହାର ଦୃଢ଼ ପ୍ରତିବାଦ କରିଥିଲେ।

ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ଏହାକୁ କେନ୍ଦ୍ରକରି ଦୀର୍ଘ ସମୟ ଧରି ବିଦ୍ୟାଳୟରେ ଉତ୍ତେଜନା ଲାଗି ରହିଥିଲା। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବ୍ଲକ୍‌ ଶିକ୍ଷା ଅଧିକାରୀ ଦୁଇଜଣ ଏବିଇଓଙ୍କୁ ପଠାଇ ଘଟଣାର ତଦନ୍ତ କରିଥିଲେ। ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳ ଓ ପ୍ରଧାନଶିକ୍ଷକ ଶତ୍ରୁଘ୍ନ ସାହୁଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ୨୨ ତାରିଖ ସୁଦ୍ଧା ପକ୍ଷ ରଖିବାକୁ ନିର୍ଦେଶ ଦେଇଥିଲେ। ବିଇଓ ଅଭୟ କୁମାର ବେହେରା ଆଜି ଅପରାହ୍‌ଣରେ ଚିଠି ନମ୍ବର-୩୧୯୯ ତା ୨୨/୦୭/୨୦୨୨ରେ ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳଙ୍କୁ ନିଲମ୍ବନ କରିଛନ୍ତି। ନିୟମିତ ବିଇଓଙ୍କ କାର୍ଯ୍ୟାଳୟରେ ଉପସ୍ଥାନ ପକାଇବାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର