ପ୍ରଶାସନିକ ସେବା ଅଧିକାରୀଙ୍କ ଉପରେ ସୁଶାସନର ଦାୟିତ୍ବ: ରାଜ୍ୟପାଳ

ରାଜଭବନରେ ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କ ପିତାମାତାଙ୍କୁ ସମ୍ବର୍ଧନା

ଭୁବନେଶ୍ବର : ମାତାପିତାଙ୍କ ଆଶୀର୍ବାଦ ସନ୍ତାନକୁ ଜୀବନରେ ସଫଳ କରାଇଥାଏ। ସନ୍ତାନର ସଫଳତା ଓ ଖୁସି ସେମାନଙ୍କ ପାଇଁ ସବୁକିଛି। ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ସବୁବେଳେ ଦେଶର ସମ୍ବିଧାନର ରକ୍ଷକ ବୋଲି ସ୍ମରଣ ରଖି କାର୍ଯ୍ୟ କରିବାକୁ ହେବ। କେହି ଯେପରି ନିଜର ଅଧିକାର କିମ୍ବା ନ୍ୟାୟରୁ ବଞ୍ଚିତ ନ ହୁଏତ ତାହା ସୁନିଶ୍ଚିତ କରିବାକୁ ହେବ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ସର୍ବଭାରତୀୟ ପ୍ରାଶସନିକ ସେବାରେ ଉତ୍ତୀର୍ଣ୍ଣ ଓଡ଼ିଆ ପ୍ରାର୍ଥୀଙ୍କ ପିତାମାତାଙ୍କୁ ରାଜଭବନରେ ସମ୍ବର୍ଧନା ଦିଆଯାଇଥିଲା। ରାଜଭବନର ଅଭିଷେକ ହଲ୍‌ରେ ଅନୁଷ୍ଠିତ ସମ୍ବର୍ଧନା ଉତ୍ସବରେ ରାଜ୍ୟପାଳ କହିଲେ, ଦେଶରେ ସୁଶାସନର ଦାୟିତ୍ବ ପ୍ରଶାସନିକ ସେବାରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ଉପରେ ରହିଛି। ନିଜର ଆଚରଣ ଓ କାର୍ଯ୍ୟକୁ ଅନୁରୂପ କରି ଜନସାଧାରଣ ଯେପରି ସୁଶାସନର ସୁଫଳ ପାଇପାରିବେ ତାହାକୁ ପ୍ରାଥମିକତା ଦେବାକୁ ହେବ। ଏହି ଅସବରରେ ରାଜ୍ୟପାଳ କୃତକାର୍ଯ୍ୟ ପ୍ରାର୍ଥୀଙ୍କ ପିତାମାତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦା ସଫଳ ପ୍ରାର୍ଥୀମାନଙ୍କୁ ସର୍ବଦା ସତ୍ୟର ପଥକୁ ଆପଣାଇ ଜନସାଧାରଣଙ୍କ ସ୍ବାର୍ଥରେ କାର୍ଯ୍ୟ କରିବାକୁ କହିଥିଲେ। ଏହି କାର୍ଯ୍ୟକ୍ରମ‌ରେ ୫ଜଣ ସଫଳ ପ୍ରାର୍ଥୀଙ୍କ ପିତାମାତାଙ୍କ ପରିବାରର ଅନ୍ୟ ସଦସ୍ୟ, ଭାରତୀୟ ପୁଲିସ ସେବା ଓ ଭାରତୀୟ ବନସେବାର ଦୁଇ ଜଣ ଲେଖାଏଁ ସଫଳ ପ୍ରାର୍ଥୀଙ୍କ ପିତାମାତା ଓ ପରିବାର ସଦସ୍ୟ ଯୋଗ ଦେଇଥିଲେ। ରାଜ୍ୟପାଳ ସେମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଧିତ କରିବା ସହିତ ସେମାନଙ୍କ ସହିତ ଭାବର ଆଦାନପ୍ରଦାନ କରିଥିଲେ। ଭାରତୀୟ ପ୍ରଶାସନିକ ସେବାର ସିମି କରଣ ଓ ବିଭୂତି ଭୂ‌ଷଣ ରାୟ, ସଂଜିତା ମହାପାତ୍ର, କୁମାର ବିଶ୍ବରଂଜନ, ବେଦ ଭୂଷଣ, ଭାରତୀୟ ପୁଲିସ ସେବାର ସମୀର କୁମାର ଜେନା, ରାହୁଲ ଗୋଏଲ, ଭାରତୀୟ ବନସେବାର ସୁମିତ କୁମାର କର ଓ ଅନୁରାଗ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର