ଜାତୀୟ ଥାଇ ବକ୍ସିଂ ଫେଡ଼େରେସନ କପରେ ବିଜୟୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ବାଲିଅନ୍ତା: ମହାରାଷ୍ଟ୍ରରେ ଅନୁଷ୍ଠିତ ଜାତୀୟ ଅଷ୍ଟମ ଥାଇ ବକ୍ସି ଫେଡ଼େରେସନ କପରେ ବାଳକାଟି (ପ୍ରତାପଶାସନ ପଞ୍ଚାୟତ) ଅଞ୍ଚଳର ପ୍ରତିଯୋଗୀମାନେ ସଫଳତା ଅର୍ଜ୍ଜନ କରିଛନ୍ତି। ଏନେଇ ବୁଧବାର ବାଳକାଟି ଭାର୍ଗବୀ ବ୍ରିଜ ନିକଟସ୍ଥ ଜ୍ଞାନଦେବୀ କଲ୍ୟାଣ ମଣ୍ଡପ ସଭା କକ୍ଷରେ ଆୟୋଜିତ ଏକ ସ୍ବତନ୍ତ୍ର  ସଭାରେ ପ୍ରତାପଶାସନ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସରପଞ୍ଚ ରୀନା ବେହେରା ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମିତି ସଭ୍ୟ ଗଙ୍ଗାଧର ମାହାରିଙ୍କ ସମେତ ପବିତ୍ର ମୋହନ ବେହେରା ଏବଂ ୱାର୍ଡ଼ ସଭ୍ୟଙ୍କ ସମେତ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସ୍ଥାନୀୟ ଉମା ମାର୍ଶାଲ ଆର୍ଟ୍ସ ଟିମର ଭାଗିଦାରୀରେ ବିଭିନ୍ନ ବର୍ଗରେ ଅନୁଷ୍ଠିତ ଥାଇ ବକ୍ସିଂରେ ଓଡ଼ିଶା ଦଳ ଦ୍ବିତୀୟ ସ୍ଥାନ ହାସଲ କରି ରାଜ୍ୟ ପାଇଁ ଗର୍ବ ଆଉ ଗୌରବ ଆଣିଛନ୍ତି। ଗତ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ମହାରାଷ୍ଟ୍ର ମହାବଳେଶ୍ବରଠାରେ ଏହି ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ  ୧୪ ରାଜ୍ୟର ଟିମ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାର ଖେଳାଳିମାନେ ଲଢ଼ୁଆ ପ୍ରଦର୍ଶନ କରିଥିଲେ। ଓଡ଼ିଶାରୁ ୮ ଜିଲ୍ଲାର ଖେଳାଳି ଭାଗ ନେଇଥିଲେ। ଫେଡ଼େରେସନ କପରେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ଓଡ଼ିଶା ଟିମକୁ କପ ସହ ପଦକ ପ୍ରଦାନ କରାଯାଇଛି।

ଏଥିସହିତ ବିଭିନ୍ନ କ୍ୟାଟେଗୋରିରେ ଉତ୍ତମ ପ୍ରଦର୍ଶନ କରିଥିବା ୧୫  ଖେଳାଳିଙ୍କୁ  ସ୍ବର୍ଣ୍ଣ ରୌପ୍ୟ ଏବଂ ତାମ୍ର ପଦକ ମିଳିଛି। ବାଳକାଟି ଅଞ୍ଚଳର ଚିତ୍ତରଞ୍ଜନ ପ୍ରଧାନ ସ୍ବର୍ଣ୍ଣ, ଶ୍ରୀଲିପ୍ତା ଆଚାର୍ଯ୍ୟ ସ୍ବର୍ଣ୍ଣ, ପ୍ରିୟଙ୍କା ପଣ୍ଡା ରୌପ୍ୟ, ଶୁଭଲକ୍ଷ୍ମୀ ସାହୁ ରୌପ୍ୟ, ସ୍ମୃତିପଜ୍ଞା ପଲେଇ ରୌପ୍ୟ, ସାଇଦୀପ ତାମ୍ର, ସାଇସ୍ମିତା ମହାନ୍ତି ତାମ୍ର, ଆଦିତ୍ୟ ଭଟ୍ଟ ତାମ୍ର, ଜଗନ୍ନାଥ ଓଝା ତାମ୍ର, ପ୍ରିୟାଂଶୁ ପ୍ରଧାନ ତାମ୍ର ଏବଂ ଆଦିତ୍ୟ ପ୍ରଧାନଙ୍କୁ ତାମ୍ର ପଦକ ମିଳିଛି। ସେହିପରି ଭୁବନେଶ୍ବର ଅଞ୍ଚଳର ଭକ୍ତିଶ୍ରୀ ଗୁରୁ ସ୍ବର୍ଣ୍ଣ, ଦେବସ୍ମିତା ଗୁରୁ ସ୍ବର୍ଣ୍ଣ, ଜବାହର ପ୍ରଧାନ ସ୍ବର୍ଣ୍ଣ ଏବଂ ରୁଦ୍ର ନାରାୟଣ ଭୋଳଙ୍କୁ ତାମ୍ର ପଦକ ମିଳିଛି।

ପ୍ରତିଯୋଗିତାରେ ମହାରାଷ୍ଟ୍ର ପ୍ରଥମ, ଓଡ଼ିଶା ଦ୍ବିତୀୟ ଏବଂ ଆସାମ ତୃତୀୟ ସ୍ଥାନ ହାସଲ କରିଛନ୍ତି। କୋଚ ସୁଧାଂଶୁ ପଣ୍ଡା, ମ୍ୟାନେଜର ନବୀନ ସିଂହ, କୋଚ ଉମାକାନ୍ତ ବେହେରା ଟିମର ନେତୃତ୍ବ ନେଇଥିବା ବେଳେ  ସଚିନ ମହନ୍ତ, ପ୍ରସାଦ ନାୟକ, ସୃଷ୍ଟିଶ୍ରୀ ଗୁରୁ ସହଯୋଗ କରିଥିଲେ। ଆସନ୍ତା ଜୁନ ମାସରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଥାଇ ବକ୍ସିଂ ଚାମ୍ପିୟନ ସିପ ପାଇଁ ସ୍ବର୍ଣ୍ଣ ପଦକ ବିଜେତାମାନଙ୍କୁ ଚୟନ କରାଯାଇଛି।

ସମ୍ବନ୍ଧିତ ଖବର