ଧସ୍ତାଧସ୍ତି, ଢେଲାପଥର ମାଡ଼
ପୁଲିସର ମୃଦୁ ଲାଠି ଚାଳନା
ପୁଲିସ ଓ କଂଗ୍ରେସ କର୍ମୀ ଆହତ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁ ପରଠାରୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛି ବିଜେପି ଓ କଂଗ୍ରେସ। ଆଜି କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବାକୁ ଉଦ୍ୟମ ବେଳେ ପୁଲିସ କଂଗ୍ରେସ କର୍ମୀମାନଙ୍କୁ ଶିଶୁଭବନ ଛକରେ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଓ ସଂଘର୍ଷ ହୋଇଛି। ଏପରିକି ବିକ୍ଷୋଭକାରୀମାନେ ପୁଲିସ ଉପରକୁ ଅଣ୍ଡା ଫିଙ୍ଗିବା ସହ ଢେଲା ପଥର ମାଡ଼ କରିଛନ୍ତି। ଫଳରେ ପୁଲିସ ବିକ୍ଷୋଭକାରୀଙ୍କ ଉପରେ ମୃଦୁ ଲାଠି ଚାଳନା କରିଛି ଏବଂ ଏହି ସଂଘର୍ଷରେ ଉଭୟ ପକ୍ଷରୁ ବେଶ୍ କେତେଜଣ ଆହତ ହୋଇଛନ୍ତି।
ପୂର୍ବ ଘୋଷଣା ଅନୁଯାୟୀ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାବେଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଶତାଧିକ କର୍ମୀ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ନିବାସ ଆଡ଼େ ମୁହାଁଇଥିଲେ। ସେମାନଙ୍କ ଦାବି ଥିଲା କୁନ୍ଦୁଲି ପୀଡ଼ିତାଙ୍କ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା ଠିକ୍ ଢଙ୍ଗରେ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପ୍ରଥମେ ପୁଲିସ ବିକ୍ଷୋଭକାରୀଙ୍କୁ ରାଜମହଲ ଛକରେ ଅଟକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ସେମାନେ ପୁଲିସ ବଳୟ ଭେଦ କରି ଶିଶୁଭବନ ଛକ ପର୍ଯ୍ୟନ୍ତ ମାଡ଼ି ଯାଇଥିଲେ। ତେବେ ଶିଶୁଭବନ ଛକରେ ପୁଲିସ ବ୍ୟାରିକେଡ୍ କରି ବିକ୍ଷୋଭକାରୀମାନଙ୍କୁ ବଳପୂର୍ବକ ଅଟକାଇବାରୁ ପୁଲିସ ସହ ବେଶ୍ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ଏତିକିବେଳେ ବିକ୍ଷୋଭକାରୀମାନେ ସରକାର ବିରୋଧୀ ସ୍ଳୋଗାନ ଦେଇ ପୁଲିସ ଉପରକୁ ଅଣ୍ଡା ଓ ଢେଲା ପଥର ମାଡ଼ କରିଥିଲେ। ପୁଲିସ ମଧ୍ୟ ସେମାନଙ୍କୁ ଅଟକାଇବାକୁ ଯାଇ ମୃଦୁ ଲାଠିଚାଳନା କରିଥିଲା। ଫଳରେ କିଛି ସମୟ ଲାଗି ଶିଶୁଭବନ ଛକ ରଣକ୍ଷେତ୍ର ପାଲଟି ଯାଇଥିଲା ଏବଂ ଉଭୟ ପକ୍ଷରୁ ବେଶ୍ କେତେଜଣ ଆହତ ହୋଇଥିଲେ। ଏହା ପରେ ପୁଲିସ କଂଗ୍ରେସ କର୍ମୀମାନଙ୍କୁ ଗିରଫ କରି ନେବାରୁ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଆଜିର ଏହି ବିକ୍ଷୋଭରେ କଂଗ୍ରେସ ସହପ୍ରଭାରୀ ଶୁଭଙ୍କର ସରକାର ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।