ପୁରୀ : ରଥଯାତ୍ରା ସମନ୍ଵୟ ବୈଠକକୁ ଯୋଗଦେବା ପାଇଁ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଆଜି ଟମାଟୋ ମାଡ଼ ହୋଇଛି। ପୁରୀ ପେଣ୍ଠକଟା ଠାରେ ଘଟି ଯାଇଥିବା ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ଆଜି ଦିନ ୧୧ଟାରେ ପୁରୀ ଭିଆଇପି ରୋଡ୍‌ସ୍ଥିତ ଗୋପବନ୍ଧୁ ଆୟୁର୍ବେଦିକ୍‌ ମହାବିଦ୍ୟାଳୟ ପରିସରରେ ଶେଷ ରଥଯାତ୍ରା ସମନ୍ଵୟ ବୈଠକର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଏକାଧିକ ମନ୍ତ୍ରୀ, ବିଧାୟକ, ସାଂସଦ, ସଚିବ ଏହି ବୈଠକରେ ଯୋଗଦେଇଥିଲେ। ଏ ନେଇ ଆଜି ପୁରୀ ସହରକୁ ପୁଲିସ ଛାଉଣୀରେ ରଖାଯାଇଥିଲା। ଏପରିକି କେଉଁ ବାଟ ଦେଇ ମୁଖ୍ୟମନ୍ତ୍ରୀ ଆସିବେ ସେ ସଂପର୍କରେ ବି କାହାରିକୁ ସୂଚନା ଦିଆଯାଇନଥିଲା। ରାଜ୍ୟ ଗୁଇନ୍ଦା ବିଭାଗର ଏକାଧିକ ଅଧିକାରୀ ଏଥିପାଇଁ ପୁରୀରେ ମୁତୟନ ହୋଇଥିଲେ। ଚାରିଆଡ଼େ ମାଳମାଳ ପୁଲିସ ଅଧିକାରୀ ବି ଜଗି ରହିଥିଲେ।

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନ୍ୟମାନେ ମେରାଇନ୍‌ ଡ୍ରାଇଭ୍‌ ରାସ୍ତାରେ ଭୂଦାନ, ତାଳବଣିଆ, ପେଣ୍ଠକଟା ଦେଇ ପୁରୀ ସହରରେ ପ୍ରବେଶ କରିବା କରି ବୈଠକରେ ଯୋଗଦେବାକୁ ଯାଇଥିଲେ। କିନ୍ତୁ ପେଣ୍ଠକଟା ଠାରେ କଡ଼ା ସୁରକ୍ଷା ବଳୟ ଭାଙ୍ଗି ପୁଲିସ ଉପସ୍ଥିତିରେ କଂଗ୍ରେସର ଏକାଧିକ କର୍ମୀ ମୁଖ୍ୟମନ୍ତ୍ରୀ ଗାଡ଼ି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଥିଲେ। ପୁଲିସ ଏହି କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା। ତେବେ ଗୁଇନ୍ଦା ଓ ପୁଲିସର ଅପାରଗତା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଅପଦସ୍ଥ ହେବାକୁ ପଡ଼ିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।