ପ୍ରତି ୱାର୍ଡରେ କଂଗ୍ରେସ ସହାୟତା କେନ୍ଦ୍ର

ସ୍ବାଧୀନତାର ୭୫ବର୍ଷ, ବାଂଲାଦେଶ ମୁକ୍ତି ଯୁଦ୍ଧର ୫୦ବର୍ଷ ପୂରଣ ପାଇଁ ଗଠନ ହେଲା କମିଟି

ଭୁବନେଶ୍ବର : ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ କଂଗ୍ରେସ ନିଜର ଗୋଟି ଚାଳନା ଆରମ୍ଭ କରିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର ସବୁ ଜିଲ୍ଲା ଗସ୍ତ କରିବା ସହିତ କର୍ମୀ ସମ୍ମିଳନୀ ଓ ସାଧାରଣ ସଭା କରୁଛନ୍ତି। ଏହାସହ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ସହିତ ତୃଣମୂଳସ୍ତରରେ କଂଗ୍ରେସକୁ ମଜଭୁତ କରିବା ଲାଗି ଖସଡ଼ା ପ୍ରସ୍ତୁତ କରିଛି। ଏହି ଭିତ୍ତିରେ ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ୱାର୍ଡରେ ୫ଜଣ ସଦସ୍ୟକୁ ନେଇ ୱାର୍ଡ କଂଗ୍ରେସ ସହାୟତା କେନ୍ଦ୍ର ଗଠନ କରାଯିବ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ଉପ-ସଭାପତି ଯଜ୍ଞେଶ୍ବର ବାବୁ କହିଲେ, ୱାର୍ଡ କଂଗ୍ରେସ ସହାୟତା କେନ୍ଦ୍ର ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ବିଧବା ଭତ୍ତା, ଆବାସ ଯୋଜନା, ଜମି ପଟ୍ଟା, ପାଇଖାନା ପ୍ରଭୃତି ସରକାରୀ ବ୍ୟବସ୍ଥାର ଉପଯୁକ୍ତ ବିନିଯୋଗ ପାଇଁ ନିରନ୍ତର ସଂଘର୍ଷ ଜାରି ରଖିବେ। କୃଷି ଋଣ ଛାଡ଼, ସ୍ବୟଂ ସହାୟକ ଗୋଷ୍ଠୀର ଋଣ ଛାଡ଼, ପ୍ରତ୍ୟେକ ଗରିବ ପରିବାରକୁ ‘ନ୍ୟାୟ’ ଯୋଜନାରେ ସାମିଲ କରିବା, ଶିକ୍ଷିତ ବେକାର ଯୁବକ/ଯୁବତୀଙ୍କୁ ବେକାରୀ ଭତ୍ତା ପ୍ରଦାନ ସଂପର୍କରେ ସଚେତନତା ସୃଷ୍ଟି କରିବେ। ସେହିପରି ଚଳିତମାସଠାରୁ କଂଗ୍ରେସର ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଆସନ୍ତାବର୍ଷ ମାର୍ଚ ୩୧ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ରାଜ୍ୟବ୍ୟାପୀ ୧୦ଲକ୍ଷ ନୂତନ ସଭ୍ୟ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆସନ୍ତାବର୍ଷ ମାର୍ଚ ସୁଦ୍ଧା ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ସମବାୟ ଭିତ୍ତିକ କୃଷକ ସଂଗଠନ ଗଠନ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ବାଧୀନତାର ୭୫ବର୍ଷ ପାଳନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶରେ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ଅଧ୍ୟକ୍ଷ ଥିବା ବେଳେ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଆବାହକ ଅଛନ୍ତି। ଏହାସହ ପଦ୍ମାକର ଗୁରୁ, ରବୀନ୍ଦ୍ରନାଥ କର, ବଟକୃଷ୍ଣ ତ୍ରିପାଠୀ, ନରେନ୍ଦ୍ର ମିଶ୍ର, ୟାସିର ନୱାଜ୍, ବନ୍ଦିତା ପରିଡ଼ା, ଗିରିବାଳା ବେହେରା ଓ ଅମିୟ ପାଣ୍ଡବ ସଭ୍ୟ ରହିଛନ୍ତି। ସେହିପରି ବାଂଲାଦେଶ ମୁକ୍ତି ଯୁଦ୍ଧର ସ୍ମରଣୀୟ ସ୍ବର୍ଣ୍ଣ ଜୟନ୍ତୀ ଆସନ୍ତାମାସ ୭ତାରିଖରେ ପାଳନ କରିବା ପାଇଁ ମଧ୍ୟ କମିଟି ଗଠନ ହୋଇଛି। ଏହି କମିଟିରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷ ଥିବା ବେଳେ ପିସିସି ମୁଖପାତ୍ର ପଦ୍ମାକର ଗୁରୁ ସଂଯୋଜକ, ସସ୍ମିତା ବେହେରା, ‌ଅଶୋକ କୁମାର ଦାସ, ଅମିୟ ପାଣ୍ଡବ, ରଞ୍ଜିତ କୁମାର ଦାସ, ମମତା କୁଣ୍ଡୁ, ସତ୍ୟବ୍ରତ ନାୟକ ଓ ନିମାଇ ସରକାର ସଭ୍ୟ ଭାବେ ରହିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଂଜନ ଦାଶ, ପଦ୍ମାକର ଗୁରୁ ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର