ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ କଂଗ୍ରେସ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦଳର ବରିଷ୍ଠ ନେତା ଶିବାନନ୍ଦ ରାୟଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ବିଜେଡି ବିରୋଧରେ ଅଭିଯୋଗ ଆଣିଛନ୍ତି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇଛି ଯେ, ବିଜୁ ଜନତା ଦଳ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି।

Advertisment

କଂଗ୍ରେସ ନିଜର ଅଭିଯୋଗରେ ଦର୍ଶାଇଛି ଯେ, ରାଜ୍ୟର ବିଭିନ୍ନ ନିର୍ବାଚନ କାର୍ଯ୍ୟାଳୟରେ ନବୀନ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କ ପୋଷ୍ଟର ଲାଗୁଛି। ସହରରେ ଯେଉଁଠି ମତଦାନ ହେବ ସେହି ସ୍କୁଲ ଫାଟକରେ ନବୀନ ଓ ବିଜୁବାବୁଙ୍କର ଏଭଳି ପୋଷ୍ଟର ଲାଗିଛି। ପ୍ରଚାର ମୈଦାନରେ ବିଜେଡି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଏହାର ହିସାବ ରହୁଛି କି ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ସେହିଭଳି କଂଗ୍ରେସ ଆହୁରି ମଧ୍ୟ କହିଛି ଯେ, କଂଗ୍ରେସ ପୋଷ୍ଟର ଉପରେ ବିଜେଡି ନିଜର ପୋଷ୍ଟର ଲଗାଉଛି।

ସୂଚନାଯୋଗ୍ୟ, ଆସନ୍ତା ୨୪ ତାରିଖରେ ରାଜ୍ୟର ୧୦୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି), ପୌରପାଳିକା ଓ ମହାନଗର ନିଗମ ପାଇଁ ଭୋଟ ଗ୍ରହଣ କରାଯିବ। ମାର୍ଚ୍ଚ ୨୬ ତାରିଖରେ‌ ଭୋଟ ଗଣତି ହୋଇ ଫଳାଫଳ ମଧ୍ୟ ପ୍ରକାଶ ପାଇବ।