ବିଗୁଡ଼ୁଛି ଆଇନ ଶୃଙ୍ଖଳା : ଏସ୍‌ପିଙ୍କୁ ଭେଟିଲେ କ˚ଗ୍ରେସ, ବିଜେପି ନେତା

ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଇସ୍ତଫା ଦାବି, ୧୫ରେ ଜିଲ୍ଲାବ୍ୟାପୀ ହରତାଳ କରିବ ବିଜେପି

କେନ୍ଦୁଝର : ମନ୍ତ୍ରୀପୁଅଙ୍କ ଗୁଣ୍ଡାଗର୍ଦିକୁ ନେଇ ଆଜି ଉଭୟ କଂଗ୍ରେସ ଓ ବିଜେପି କେନ୍ଦୁଝର ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜଣେ ମନ୍ତ୍ରୀପୁଅ ଗିରଫ ହୋଇ ଜେଲ୍‌ରେ ଥିଲାବେଳେ ଅନ୍ୟଜଣେ ପୁଅ ଦିନଦିପହରରେ ହାଣ୍‌କାଟ୍‌ରେ ସଂପୃକ୍ତ ଥିବାରୁ ତାକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଦୁଇ ଦଳ। ଏଥିସହ ନିଜ ପୁଅମାନଙ୍କ ଅପକୀର୍ତ୍ତିକୁ ଘଣ୍ଟ ଘୋଡ଼ାଉଥିବା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି।

କୋଉଠି ମନ୍ତ୍ରୀଙ୍କ ପୁଅ ଗୋଡାଇ ଗୋଡାଇ ହାଣିଲାଣି ତ କୋଉଠି ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ମିଳୁନି। ଏମିତିକି ଖୋଦ୍‌ ପୁଲିସ ଡାକ୍ତରଙ୍କୁ ମାଡ ମାରିବାକୁ ପଛାଉନାହାନ୍ତି। ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବାକୁ ଏସ୍‌ପିଙ୍କ ନିକଟରେ ଦାବି କରିଛି ଜିଲ୍ଲା କ˚ଗ୍ରେସର ଏକ ଟିମ୍‌। କ˚ଗ୍ରେସର ଏହି ପ୍ରତିନିଧି ଦଳ ଏସ୍‌ପିଙ୍କୁ ଏ ସଂକ୍ରାନ୍ତ ସ୍ମାରକପତ୍ର ପ୍ରଦାନ କରିଛି। ଆନନ୍ଦପୁରର ହାତୀବିନ୍ଧାଠାରେ ପ୍ରଶାନ୍ତ ସାହୁଙ୍କୁ ଗୋଡାଇ ଗୋଡାଇ ହାଣି ହତ୍ୟା କରିବା ଘଟଣାରେ ଖୋଦ୍‌ ମନ୍ତ୍ରୀଙ୍କ ପୁଅ ସାମିଲ ଥିବା ବେଳେ ଆଜିଯାଏ ପୁଲିସ ତାଙ୍କୁ ଗିରଫ କରୁନାହିଁ। ଏଭଳିସ୍ଥଳେ ପୁଲିସ ଉପରୁ ସାଧାରଣ ଲୋକଙ୍କ ଆସ୍ଥା ତୁଟି ଯାଉଛି। ସେହିପରି ତୁରୁମୁଙ୍ଗା ଥାନା ପୁଲିସ ଦ୍ବାରା ଜଣେ ମହିଳା ଡାକ୍ତର ମାଡ ଖାଇବା ଘଟଣା ପାଇଁ ମଧୢ ପୁଲିସ ଉପରୁ ଆସ୍ଥା ତୁଟୁଛି। ଘଟଗାଁ ଥାନା ଅ˚ଚଳରେ ଜଣେ ଆଦିବାସୀ ନାବାଳିକା ଦୁଷ୍କର୍ମ ଶିକାର ହେବା ସତ୍ତ୍ବେ ଆଜିଯାଏ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରୁନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି।

ଏସ୍‌ପି ଜୟ ନାରାୟଣ ପଙ୍କଜଙ୍କୁ ଭେଟିଥିବା ଏହି ଟିମ୍‌ରେ ଜିଲ୍ଲା କ˚ଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ମୁଖପାତ୍ର ବିପ୍ଳବ ମିଶ୍ର, ପିସିସି ସାଧାରଣ ସ˚ପାଦକ ଆଲୋକ ମିଶ୍ର, ପିସିସି ସ˚ପାଦକ ସ˚ଗ୍ରାମ ଦାସ, ଜିଲ୍ଲା ଛାତ୍ର କ˚ଗ୍ରେସ ସଭାପତି ସୁନେଶ ଧୀର, ୬ ନମ୍ବର ଜୋନ୍‌ର କ˚ଗ୍ରେସ ସଭାପତି ପୟୋଧର ବେହେରା, ବରିଷ୍ଠ କ˚ଗ୍ରେସ ନେତା ଉତ୍ତମ କୁମାର ସାହୁ, ଜିଲ୍ଲା କ˚ଗ୍ରେସ ସ˚ପାଦକ ବିଜୟ କୁମାର ରଣା, କୋଦଣ୍ତ ଜେନା, ବରିଷ୍ଠ କ˚ଗ୍ରେସ ନେତା ଲଳିତ ମୋହନ ନାୟକ, ରତ୍ନାକର ଜେନା ଉପସ୍ଥିତ ଥିଲେ।

ବିଜେପି ମଧ୍ୟ ଅନୁରୂପ ଅଭିଯୋଗ ଆଣିଛି । ମନ୍ତ୍ରୀପୁଅଙ୍କ ଆତଙ୍କରେ ଆନନ୍ଦପୁର ଉପଖଣ୍ତ ଥରହର ହେଉଛି ବୋଲି ବିଜେପି କହିଛି। ୨ ମାସ ହେଲାଣି ମନ୍ତ୍ରୀଙ୍କ ଗୋଟିଏ ପୁଅ ଦେବାଶିଷ ଜେଲ୍‌ରେ ଥିବା ବେଳେ ୪/୫ ଦିନ ପୂର୍ବେ ମନ୍ତ୍ରୀଙ୍କ ଅନ୍ୟଜଣେ ପୁଅ ଦେବପ୍ରିୟ ବେଲବାହାଳି ଅ˚ଚଳର ପ୍ରଶାନ୍ତ ସାହୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତଥାପି ପୁଲିସ ନିରବଦ୍ରଷ୍ଟା ସାଜିଛି ବୋଲି ବିଜେପି ଅଭିଯୋଗ କରିଛି। ଗୋଟିଏ ପରେ ଗୋଟିଏ ଜଘନ୍ୟ ଅପରାଧ କରୁଥିବା ମନ୍ତ୍ରୀପୁଅଙ୍କୁ ତୁରନ୍ତ ଗିରଫ କରିବା ସହିତ ମନ୍ତ୍ରୀ ଶ୍ରୀ ପାତ୍ର ନୈତିକତା ଦୃଷ୍ଟି ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି। ଆସନ୍ତା ୭୨ ଘଣ୍ଟା ମଧୢରେ ଶ୍ରୀ ପାତ୍ର ମନ୍ତ୍ରୀ ପଦରୁ ଇସ୍ତଫା ନ‌େଦଲେ ଏବ˚ ତାଙ୍କ ପୁଅ ଦେବପ୍ରିୟ ପାତ୍ରଙ୍କୁ ପୁଲିସ ଗିରଫ ନକଲେ ଆସନ୍ତା ୧୫ ତାରିଖ ବିଜେପି ଜିଲ୍ଲାବ୍ୟାପୀ ହରତାଳ କରିବ ବୋଲି ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ ଚେତାବନୀ ଦେଇଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁର ମନ୍ତ୍ରୀପୁଅଙ୍କ କଳାକାରନାମା ଉପରେ କହିଥିଲେ। ୨୦୦୩ ମସିହାରୁ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅମାନେ ଆନନ୍ଦପୁର ଅଞ୍ଚଳରେ ଆତଙ୍କରାଜ ଚଳାଇ ଆସିଛନ୍ତି। ମାନସ ରାମଙ୍କୁ ଦିନ ଦ୍ବିପ୍ରହରରେ ଜଳ ସେଚନ କାର୍ଯ୍ୟାଳୟ ସମ୍ମୁଖରେ ହତ୍ୟା କରିଥିଲେ। ଏହି କେସରେ ମନ୍ତ୍ରୀଙ୍କ ପୁଅ ଦେବପ୍ରିୟ ଦେଢବର୍ଷ ଜେଲରେ ଥିଲେ। ହେଲେ ପ୍ରମାଣ ଅଭାବରୁ ସେ ଖଲାସ ହୋଇଯାଇଥିଲେ। ୨୦୦୮ ମସିହାରେ ଖଲଣା ଶ୍ରୀକାନ୍ତ ସାହୁଙ୍କୁ ବୋମାମାଡ କରି ହତ୍ୟା କଲେ। ବାବୁଲି ବଳ, ସାଲକୁ ହେମ୍ବ୍ରମଙ୍କୁ ହତ୍ୟା କରିଥିଲେ। ହେଲେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଏହି କେସରେ ମୁଖ୍ୟ ଅଭିଯୁକ୍ତମାନେ ଧରାପଡିଲେ ନାହିଁ ବୋଲି ଶ୍ରୀ କୁଅଁର ଅଭିଯୋଗ କରିଥିଲେ। ସେହିପରି ପୂର୍ବତନ ବିଧାୟକ ମୋହନ ଚରଣ ମାଝୀ ଗଣତନ୍ତ୍ରରେ ହି˚ସାର ସ୍ଥାନ ନାହିଁ ବୋଲି କହିଥିଲେ। ନିରପେକ୍ଷ ତଦନ୍ତ ସହିତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର